ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ର ମଣିଷ ଶିକାର ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା : ହାତୀବାରି ବିଟ୍ ହାଉସ ପୋଡିଲେ ଉତ୍ୟକ୍ତ ଲୋକ

44

କନକ ବ୍ୟୁରୋ : ସାତକୋଶିଆରେ ବାଘୁଣୀ ସୁନ୍ଦରୀର ମଣିଷ ଶିକାର ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମହିଳାଙ୍କ ମୃତ୍ୟୁ ପରେ ହାତୀବାରି ବିଟ୍ ହାଉସ ପୋଡି ଦେଇଥିଲେ ଉତ୍ୟକ୍ତ ଲୋକ । ଏହାସହ ବନ କର୍ମଚାରୀଙ୍କୁ ମାଡ ମାରିଥିଲେ । ଏବେ ସ୍ଥାନୀୟ ଲୋକଙ୍କୁ ରାତି ଦିନ ମଣିଷ ଖିଆ ସୁନ୍ଦରୀର ଭୟ ଘାରିଛି । ଆଜି ବି ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ସାତକୋଶିଆରେ ଥିବା ବୋଟ ଗୁଡିକୁ ପୋଡି ଦେଇଛନ୍ତି । ସାତକୋଶିଆ ଭିତରେ ଥିବା ଗାଁ ଗୁଡିକରେ ଭୟର ବାତାବରଣ ଦେଖାଦେଇଛି । ସମସ୍ତଙ୍କୁ ଘାରିଛି ସୁନ୍ଦରୀ ଭୟ । ବାଘ ବଂଶର ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ବାନ୍ଧବଗଡ ଅଭୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡା ଯାଇଥିଲା ।

ସୂଚନା ଅନୁଯାୟୀ, ବାଘୁଣୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ଏଥିରେ ସ୍ଥାନୀୟ ଲୋକେ ଉତ୍ୟକ ହୋଇ ହାତୀବାରୀ ବିଟ୍ ହାଉସରେ ପୋଡାଜଳା କରିଥିଲେ । କାର୍ଯ୍ୟାଳୟରେ ନିଆଁ ଲଗାଇବା ସହ ବନ ବିଭାଗ କର୍ମଚାରୀଙ୍କୁ ମାଡ ମାରିଛନ୍ତି । ମୃତକଙ୍କ ସମ୍ପର୍କୀୟ କହିିବା ଅନୁଯାୟୀ ଛେଳି ଚରାଇବା ପାଇଁ ଯାଇଥିବା କୈଳାଶଙ୍କର ବାଘୁଣୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇପଡିଛନ୍ତି । ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛାଡିବା ଦିନରେ ସ୍ଥାନୀୟ ଅଂଚଳବାସୀ ଏହାକୁ ବିରୋଧ କରି ଆସୁଛନ୍ତି । କିନ୍ତୁ ଏହାକୁ ବନବିଭାଗ ଅଣଦେଖା କରିବା ସହ ଗୁଜବ ବୋଲି କହିଆସୁଛି ।