ସୁନ୍ଦରୀକୁ ବାଜିଲାନି ନିଶ୍ଚେତକ ଗୁଳି : ଡିଆଁ ମାରି ଅନ୍ୟ ଜଙ୍ଗଲକୁ ଚାଲିଗଲା ସୁନ୍ଦରୀ

34

କନକ ବ୍ୟୁରୋ : ସାତକୋଶିଆରେ ଧରା ଦେଉନି ସୁନ୍ଦରୀ । ଦୁଇ ଦିନ ହେଲା ଚାଲିଛି ସୁନ୍ଦରୀ ଖୋଜା । ସୁନ୍ଦରୀକୁ ଧରିବା ପାଇଁ ଗୋଟିଏ ଛେଳି ଅଣାଯାଇଛି । ଜଙ୍ଗଲ ଭିତରେ କଂଚା ମାଂସର ବାସ୍ନା ମଧ୍ୟ ସ୍ପ୍ରେ କରାଯାଉଛି । ଏହି ବାସ୍ନାରେ ମାଂସ ଖାଇବାକୁ ବାଘୁଣୀ ଆସିଲେ ଛେଳିକୁ ଛଡାଯିବ । ଏବଂ ଏହି ସମୟରେ ଚାରିପଟୁ ଜଗି ରହିଥିବା ଟ୍ରାଙ୍କୁଲାଇଜ୍ ଟିମ୍ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା କରିଛନ୍ତି । ବାଘୁଣୀକୁ କାବୁ କରିବାକୁ ସାତକୋଶିଆ ଜଙ୍ଗଲରେ ମଂଚାବାନ୍ଧି ଜଗି ବସିଛନ୍ତି ବିଶେଷଜ୍ଞ ଦଳ ।

ଯେକୌଣସି ସମୟରେ ସୁନ୍ଦରୀକୁ କାବୁ କରିବାକୁ ଆବଶ୍ୟକ ନିଶ୍ଚେତକ ଏବଂ ଯନ୍ତ୍ରପାତି ସହ ପ୍ରସ୍ତୁତ ଅଛନ୍ତି ଏହି ଟିମ୍ । ରେଡିଓ କଲାର ଦ୍ୱାରା ଅବସ୍ଥିତି ଜାଣିବାକୁ ଚେଷ୍ଟା କରାଯାଉଛି । ବେଳେ ବେଳେ ରେଡିଓ କଲାର କାମ କରୁନଥିବାରୁ ବାଘୁଣୀର ଉପସ୍ଥିତି ଜଣାପଡୁନାହିଁ । ଯାହା ବିଶେଷଜ୍ଞଙ୍କୁ ଅଡୁଆରେ ପକାଉଛି । ତେବେ ପ୍ରଥମ ଦିନରେ ବାଘୁଣୀକୁ କାବୁ କରିବାକୁ ବିଫଳ ହୋଇଥିବା ଟିମ୍ ଆଜି ଧରିବାରେ ସଫଳ ହେବେ ବୋଲି କୁହାଯାଉଛି । ବାଘ ଏକ ହିଂସ୍ର ପ୍ରାଣୀ ହୋଇଥିବାରୁ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ସ୍ୱତନ୍ତ୍ର କୌଶଳ ଓ ଯନ୍ତ୍ରପାତିର ସହାୟତା ନେଉଛି ଟିମ୍ । ଅନ୍ୟପଟେ ବାଘୁଣୀ ଯୋଗୁଁ କୁମୁରୀ ଓ ଏହାର ଆଖପାଖ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗାଁରେ ତାଟିକବାଟି ପଡିଯାଇଛି । ଘରୁ ପଦାକୁ ବାହାରକୁ ବାହାରିବାକୁ ଡରୁଛନ୍ତି ଗ୍ରାମବାସୀ ।