ପୁଣି ସାତକୋଶିଆରେ ‘ସୁନ୍ଦରୀ’ ଆତଙ୍କ: ବାଘୁଣୀ ଆକ୍ରମଣରେ ସାମ୍ବାଦିକ ଗୁରୁତର,ମେଡିକାଲରେ ଭର୍ତ୍ତି

31

କନକ ବ୍ୟୁରୋ: ପୁଣି ସାତକୋଶିଆରେ ବାଘୁଣୀ ଆତଙ୍କ । ସୁନ୍ଦରୀ କରିଛି ପୁଣି ମଣିଷ ଶିକାର । ଅନୁଗୁଳ ଟାଇଁସିରେ ଜଣେ ଲୋକଙ୍କୁ ମାରିଥିବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଜଣେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧୀଙ୍କୁ ବାଘୁଣୀ ସୁନ୍ଦରୀ ଆକ୍ରମଣ କରି ଲହୁଲୁହାଣ କରିପକାଇଛି । ତେବେ ଗୁରୁତର ଅବସ୍ଥାରେ ସମ୍ବାଦିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ, ସୁନ୍ଦରୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାଁ ତ୍ରିନାଥ ସାହୁ । ସେ ମାଛ ମାରୁଥିବା ବେଳେ ସୁନ୍ଦରୀ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ମାଛ ଗୁଡିକ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ଦେଖା ଦେଇଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିଛନ୍ତି । ତେବେ ଉତ୍ୟକ୍ତ ଲୋକେ ଏସିଏଫଙ୍କୁ ଅଟକ ରଖିଥିବା ଜଣାପଡିଛି ।

କିଛି ଦିନ ତଳେ ସାତକୋଶିଆ ଅଂଚଳରେ ମଣିଷ ଶିକାର କରିଥିଲା ସୁନ୍ଦରୀ । ହାତୀବାରି ଗାଁରେ ଜଣେ ମହିଳାଙ୍କୁ ମାରିଥିଲା ଏହି ବାଘୁଣୀ । ଏହି ଘଟଣାକୁ ନେଇ ସେତେବେଳେ ପ୍ରବଳ ଉତେଜନା ଦେଖାଦେଇଥିଲା । ଏପରିକି ସୁନ୍ଦରୀକୁ ବାନ୍ଧବଗଡକୁ ଫେରାଇ ନିଆଯିବା ପାଇଁ ମଧ୍ୟ ଦାବି ଜୋର ଧରିଥିଲା । ହେଲେ ପରେ ପୁଣି ତା’ ଉପରେ ନଜର ରଖିଥିଲେ ବନ କର୍ମଚାରୀ ।