ବାଘୁଣୀ ଉପରେ ଟ୍ରାକ୍ଟର ଚଢ଼ାଇ ମାରିଦେଲେ । ବଢ଼ୁଛି ବାଘ ହତ୍ୟା

ବାଘୁଣୀ ଉପରେ ଟ୍ରାକ୍ଟର ଚଢ଼ାଇ, ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

366

କନକ ବ୍ୟୁରୋ : ରବିବାର ସଞ୍ଜବେଳେ ଉତ୍ତରପ୍ରଦେଶର ଦୁଧଓ୍ଵା ବ୍ୟାଘ୍ର ସଂରକ୍ଷଣ ବନ ଗହନକୁ ପଶି, ବନରକ୍ଷୀଙ୍କୁ ପିଟି ସେମାନଙ୍କ ଟ୍ରାକ୍ଟର୍ ଛଡ଼ାଇ ନେଇ ଗୋଟିଏ ପ୍ରାପ୍ତ ବୟସ୍କା ବାଘୁଣୀ ଉପରେ ଚଢ଼ାଇ ଦେଇଛନ୍ତି । ରବିବାର ପ୍ରତ୍ୟୁଷରେ ସେ ବାଘୁଣୀଟି ଜଣେ ବାସିନ୍ଦାଙ୍କୁ ଖଣ୍ଡିଆଖାବରା କରି ପକାଇଥିଲା। ପରେ ଲୋକେ ବାଡ଼ିରେ ପିଟି ପିଟି ସେ ବାଘୁଣୀକୁ ମାରି ପକାଇଲେ। ଆହତ ଲୋକଟିର ମଧ୍ୟ ମୃତ୍ୟୁ ଘଟିଥିଲା।

ବନ ଅଧିକାରୀମାନଙ୍କ କହିବା ଅନୁସାରେ, ଆକ୍ରମଣକାରୀମାନେ ହେଉଛନ୍ତି ଦୁଧଓ୍ଵା ବ୍ୟାଘ୍ର ସଂରକ୍ଷଣର ମଧ୍ୟସ୍ଥଳରେ ଅବସ୍ଥିତ ଚଲତୁଆ ଗ୍ରାମବାସୀ। ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଇବାକୁ ବନ ବିଭାଗ ଦେଇଥିବା ପ୍ରସ୍ତାବକୁ ଅତୀତରେ ଏଇ ଗ୍ରାମବାସୀମାନେ ଟାଳି ଦେଇଥିଲେ। ଏହାର କାରଣ ସେମାନେ ମୁଖ୍ୟତଃ ବନଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ।ଅଧିକାରୀମାନେ କହିଛନ୍ତି ଯେ ୧୦ ବର୍ଷରୁ ଅଧିକ ବୟସ୍କା ଏଇ ବାଘୁଣୀ ଅତୀତରେ କୌଣସି ମଣିଷକୁ ଆଘାତ କରି ନାହିଁ। ସେ ଲୋକଟି ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବାରୁ ବାଘୁଣୀ ତାକୁ ଆକ୍ରମଣ କରିଥିଲା।

କମ୍ବିଂ ଅପରେସନ୍ ନିମନ୍ତେ ଗ୍ରାମରେ ରଖାଯାଇଥିବା ହାତୀମାନଙ୍କ ଉପରକୁ ଉତ୍ତ୍ୟକ୍ତ ଲୋକେ ଟେକାପଥର ପକାଇବା ସହ ବନ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ମନା କରିଦେଇଛନ୍ତି। ବାଘୁଣୀ ହତ୍ୟାରେ ସମ୍ପୃକ୍ତ ଗ୍ରାମବାସୀଙ୍କ ବିରୋଧରେ ସମୁଚ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଦୁଧଓ୍ଵା ବ୍ୟାଘ୍ର ସଂରକ୍ଷଣର ଫିଲ୍ଡ ଡାଇରେକ୍ଟର୍ ରମେଶ ପାଣ୍ଡେ ନିର୍ଦ୍ଦେଶ ଦେଇଛନ୍ତି।