ସାଧାରଣତନ୍ତ୍ର ଦିବସରେ ଆତଙ୍କୀ ହମଲା ଯୋଜନା ପଣ୍ଡ ! ୨ ଆତଙ୍କୀଙ୍କୁ ଧରିଲା ପୁଲିସ, ଦିଲ୍ଲୀ ସମେତ ଦେଶର ବିଭିନ୍ନ ଅଂଚଳରେ ସୁରକ୍ଷା କଡାକଡି ।

92

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ । ଦିଲ୍ଲୀ ପୁଲିସ ଜୈଶ ଇ ମହମ୍ମଦର ୨ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିବା ପରେ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଛି । ଜମ୍ମୁ କଶ୍ମୀର ବାନ୍ଦୀପୋରାରୁ ଗିରଫ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଜେରା କରିବା ସମୟରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ଯୋଜନା ରହିଥିବା ଜାଣିବାକୁ ମିଳିଥିଲା । ଏହା ପରେ ତନାଘନା ଆରମ୍ଭ କରିଥିଲା ପୁଲିସ । ସେମାନଙ୍କ ନିକଟରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଦିଲ୍ଲୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନକସା ମଧ୍ୟ ମିଳିଛି ।

ସେପଟେ ଗଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାସ୍ତାଗୁଡିକ ନାକାବନ୍ଦି କରି ସବୁଠି ଚାଲିଛି ସୁରକ୍ଷା ଯାଂଚ । ଆତଙ୍କୀ ହମଲା ଆଶଙ୍କା ଥିବା ଗୁଇନ୍ଦା ବିଭାଗ ସୂଚନା ଦେବା ପରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରଯାଇଛି । ରାଜଧାନୀ ଦିଲ୍ଲୀରେ ଆତଙ୍କୀ ହମଲା ଆଶଙ୍କା ସବୁଠୁ ଅଧିକ ରହିଥିବା ଯୋଗୁଁ ସବୁଠି କଡ଼ା ପ୍ରହରୀ ଦେଇଛନ୍ତି ସୁରକ୍ଷାକର୍ମୀ  ।

ସେହିପରି ପଂଜାବରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ବିମାନବନ୍ଦରଠୁ ନେଇ ରେଳଷ୍ଟେସନ । ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ତନ୍ନତନ୍ନ କରି ତଦନ୍ତ କରାଯାଉଛି । ଯାତ୍ରୀଙ୍କୁ ସହ ସେମାନଙ୍କ ଆସାବପତ୍ରର  ମଧ୍ୟ କଡ଼ା ଯାଂଚ କରାଯାଉଛି । ସେପଟେ ଜମ୍ମୁକାଶ୍ମିରରେ ମଧ୍ୟ ଆତଙ୍କବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତି ସୁରକ୍ଷାକର୍ମୀ । ଆତଙ୍କବାଦୀ  ଆକ୍ରମଣ ଭୟ ଥିବାରୁ ଉଧମପୁର ଓ ଏହାର ଆଖପାଖ ଅଂଚଳକୁ କଡ଼ା ସୁରକ୍ଷାବଳୟରେ ରଖାଯାଇଛି ।