କଡ଼ା ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର : ସମଗ୍ର ପୁରୀ ସହରରେ ପୋଲିସ ଛାଉଣୀ

64

କନକ ବ୍ୟୁରୋ : କଡ଼ା ସୁରକ୍ଷା ବଳୟରେ ପୁରୀ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନକୁ ଅପେକ୍ଷା । ଜଳ, ସ୍ଥଳ ଓ ଆକାଶ ସ୍ଥଳରୁ ପୁରୀ ଉପରେ ରହିଛି କଡ଼ା ନଜର । ଆଇନ ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି । ବ୍ୟାପକ ଅଘଟଣ ରୋକିବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରାର ସୁପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା ସବୁଠୁ ବଡ଼ ଚ୍ୟାଲେଂଜ । ସୁରକ୍ଷା ପାଇଁ ଚଳିତ ବର୍ଷ ୧୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି। ରାପିଡ୍ ଆସ୍କନ ଫୋର୍ସ, କାଉଂଟର ଟେରୋରିଷ୍ଟ ସ୍କ୍ୱାଡ୍, ଉପକୂଳ ସୁରକ୍ଷା ପାଇଁ କୋଷ୍ଟଗାର୍ଡ ମୂତୟନ ହୋଇଛନ୍ତି ବାତ୍ୟା ଫୋନି ପ୍ରଭାବରେ ପୁରୀ ଅଧିକ ପ୍ରଭାବିତ ହୋଇଛି । ବିଶେଷ କରି ବହୁ ସିସିଟିଭି ନଷ୍ଟ ହୋଇଛି । ଏଥିପାଇଁ ଅସ୍ଥାୟୀ ସିସିଟିଭି ଲାଗିବ । କଂଟ୍ରୋଲ ରୁମରୁ ସିଧାସଳଖ ଭାବେ ସିସିଟିଭି ମନିଟରିଂ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।

ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ରାଜ୍ୟ ପୋଲିସ ପକ୍ଷରୁ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ସମୟରେ ହେଉଥିବା ବିଶୃଙ୍ଖଳା ରୋକିବା ପାଇଁ ଚଳିତ ବର୍ଷ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରୁଖୁରୁରେ ରଥଯାତ୍ରା ସମାପନ କରିବାକୁ ୪ଜଣ ଆଇପିଏସ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଭଳି ୧୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ମୂତୟନ ହେବେ । ସିସିଟିଭି କ୍ୟାମେରା ବଳୟରେ ରହିଛି ଶ୍ରୀମନ୍ଦିର ସମେତ ସମଗ୍ର ପୁରୀ ସହର ।