ବର୍ତମାନ ଚର୍ଚ୍ଚାରେ ଟାଇଗର୍ ଶ୍ରଫ୍ । ବାଗୀ ଫିଲ୍ମରେ ତାଙ୍କ ଫ୍ଲେକ୍ସିବଲ୍ ବଡ଼ି ଓ ଡେୟାର୍ ଡେଭିଲ୍ ଆକ୍ସନ୍ ଚକିତ କରିଛି ସିନେପ୍ରେମୀ ଓ ସମୀକ୍ଷକଙ୍କୁ । ଟାଇଗରଙ୍କ ଜବରଦସ୍ତ ଆକ୍ସନ୍ ଫିଲ୍ମକୁ ଦେଇଛି ଅସମ୍ଭବ ଲୋକପ୍ରିୟତା । ବ୍ୟାବସାୟିକ ଭାବେ ବାଗୀ ଫିଲ୍ମ ହୋଇଛି ସଫଳ । ତେବେ ବାଗୀ ସିନେମାରେ ଟାଇଗର୍ ଶ୍ରଫଙ୍କର ଡାନ୍ସ ଓ ଜିମନାଷ୍ଟିକ୍ ଷ୍ଟଂଟ୍ ପଛରେ ଥିବା ଓଡ଼ିଶା କନେକ୍ସନ୍ ଅଧିକ ଚର୍ଚ୍ଚିତ କରିଛି ତାଙ୍କୁ । ଟାଇଗରଙ୍କ ପର୍ସନାଲ୍ ଟ୍ରେନର୍ ହେଉଛନ୍ତି ଓଡ଼ିଆ ପୁଅ ବିକ୍ରମ୍ ସ୍ୱାଇଁ । ଡାନ୍ସ ଓ ଜିମନାଷ୍ଟିକ୍ ଟ୍ରେନର୍ ହିସାବରେ ବିକ୍ରମ୍ ରହୁଛନ୍ତି ଟାଇଗରଙ୍କ ପାଖେ ପାଖେ । ବଲିଉଡ କରିଡରରେ ବିକ୍ରମ୍ ଏବେ ଜଣେ ଚିହ୍ନା ଚେହେରା । ତେବେ ଏ ସବୁକିଛି ସମ୍ଭବ ହୋଇପାରିଛି କେବଳ ଜୁନିୟର ଶ୍ରଫଙ୍କ ଯୋଗୁ ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି ବିକ୍ରମ୍ । ହେଲେ ବିକ୍ରମଙ୍କୁ କେମିତି ମିଳିଲା ବଲିଉଡ୍ ଇନଭିଟେସନ୍ ? ଟାଇଗରଙ୍କ ସହ କେଉଁଠି ଦେଖାହେଲା ବିକ୍ରମଙ୍କର ? କ’ଣ ଥିଲା କାହାଣୀ ? ଏଭଳି ଅନେକ ପ୍ରଶ୍ନର ଉତର ପାଇଁ ଦେଖିବା ସ୍ପେଶାଲ ରିପୋର୍ଟ ଟାଇଗରଙ୍କ ଟାଇଗର ।

bikramଓଡିଶାରୁ ମୁମ୍ବାଇ ଭାୟା ସୁରତ୍ । ପେଟପାଟଣା ଦାଉରେ ଦିନେ ଘରଦ୍ୱାର ଛାଡି ଦାଦନ ସାଜିଥିଲେ ବିକ୍ରମ୍ ।ଜୀବନଯୁଦ୍ଧ କରୁ କରୁ ବିକ୍ରମ୍ ମୁମ୍ବାଇ ତ ପହଂଚିଯାନ୍ତି ହେଲେ ମୁଣ୍ଡକୁ ତାଙ୍କୁ ପ୍ରଥମେ ଘାରେ ପେଟପାଟଣା କଥା । ସାମ୍ନାରେ ଜୀବନ । ହାତ ମୁଠା ଖାଲି । ଦାନା ମୁଠାଏ ପାଇଁ କରିବାକୁ ପଡ଼େ ରୀତିମତ ସଂଗ୍ରାମ ଏ କଥା ଭଲଭାବେ ବୁଝିଥିବା ବିକ୍ରମଙ୍କର ଆରମ୍ଭ ହୁଏ ଅସଲ ପରୀକ୍ଷା । ଫଳରେ ପେଟପାଟଣା ଦାଉରେ ମୁମ୍ବାଇରେ ଘର ଘର ବୁଲି କାର୍ ସଫା କଲେ । ତେବେ ସମୟ ମିଳିଲେ ଚାଲି ଯାଉଥିଲେ ଜୁହୁ ବିଚ୍ । ଆଉ ଏହି ସମୟରେ ସାମ୍ନା ସାମ୍ନି ହୁଅନ୍ତି ଟାଇଗର୍ ଶ୍ରଫଙ୍କ ସହ । ବିକ୍ରମଙ୍କ ଜିମ୍ନାଷ୍ଟିକ୍ ଷ୍ଟାଇଲ୍ ତାଙ୍କୁ ଖୁବ୍ ପ୍ରଭାବିତ କରେ । ଆଉ ତାପରେ ଏ ଗରିବ ପିଲାକୁ ଟାଇଗର ବନାନ୍ତି ନିଜ ଦୋସ୍ତ ।

bikram with other actorsବିକ୍ରମ୍ ଆଜି ବଲିଉଡ ମହଲରେ ଅଜଣା ଓ ଅଚିହ୍ନା ନୁହନ୍ତି । ତେବେ ଦିନ ଥିଲା କିଛି ମଧ୍ୟ ନଥିଲା ବିକ୍ରମଙ୍କ ନିକଟରେ । ତେବେ କେଉଁଠି ନା କେଉଁଠି ବିକ୍ରମଙ୍କ ମନରେ ଥିଲା ଆଗକୁ ବଢ଼ିବାର ସ୍ୱପ୍ନ । ଅଭିଶପ୍ତ ବର୍ତମାନକୁ ସୁନେଲି ଭବିଷ୍ୟତରେ ବଦଳାଇବାର ସ୍ୱପ୍ନ । ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ ବିକ୍ରମ ହେଲେ ସେତେ ସହଜ ନଥିଲା ସଫଳ ହେବା । କାରଣ ପାଦେ ପାଦେ ଥିଲା ପ୍ରତିବନ୍ଧକ । ତଥାପି ଜୀବନଯୁଦ୍ଧରେ ହାର୍ ମାନିନଥିଲେ ବିକ୍ରମ୍ । ଯାହା ତାଙ୍କୁ ଦେଖାଇଥିଲା ବାଟ ଆଗକୁ ବଢ଼ିବାକୁ । ସଫଳତା ପାଇଁ ବୋଧହୁଏ ମୁଳଦୁଆ ପଡ଼ିଥିଲା ଠିକ ଏଇଠାରେ । ସଫଳତା ଦୁରରେ ଥିଲା କିନ୍ତୁ ନଥିଲା ଅପହଂଚ । ଆରମ୍ଭ ହୋଇଥିଲା ଜୀବନଯୁଦ୍ଧ ।

tigerଷ୍ଟାରଡଟର୍ କିମ୍ବା ଷ୍ଟାରସନର ଟ୍ୟାଗ୍ ଲାଗିଗଲେ ମିଳି ଯାଏନାହିଁ ସଫଳତା । ବଲିଉଡରେ ସଫଳ ହେବାକୁ କଠିନ ପରିଶ୍ରମ କରିବାକୁ ପଡ଼େ । ଟାଇଗର୍ ଶ୍ରଫ୍ ବେଶ ଭଲଭାବେ ଜାଣିଥିଲେ ଏ କଥା । ସେଥିପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ନେଇଥିଲେ ବିଧିବଦ୍ଧ ତାଲିମ୍ । ପରିଶ୍ରମର ଉଚିତ ମୂଲ୍ୟ ବୁଝିଥିବା ଟାଇଗର୍ ସେହି କାରଣରୁ ବୋଧହୁଏ ପ୍ରଥମ ସାକ୍ଷାତରୁ ଆକଳନ କରିପାରିଥିଲେ ବିକ୍ରମଙ୍କ ପ୍ରତିଭାକୁ । ବିକ୍ରମଙ୍କୁ ଟାଇଗର୍ ଦେଇଥିଲେ ସୁଯୋଗ ଯାହାର ସଦବ୍ୟବହାର କରିବାକୁ ଜମାରୁ ପଛେଇ ନଥିଲେ ବିକ୍ରମ୍ । ଏହାର ମୂଲ୍ୟ ମିଳିଥିଲା ବିକ୍ରମଙ୍କୁ ।

ଟାଇଗର୍ ଶ୍ରଫ୍ ଅଭିନୀତ ବାଗୀ ସିନେମା ହୋଇଛି ସୁପରହିଟ୍ । ସୁଉଚ୍ଚ ଫ୍ଲାଇଙ୍ଗ୍ କିକ୍ ସାଙ୍ଗକୁ ଆକର୍ଷଣୀୟ ଗ୍ରୁପ୍ ଫାଇଟିଂ ସବୁଥିରେ ଟାଇଗର୍ ଦେଖାଇଛନ୍ତି ନିଜର ଦମଦାର୍ ଆକ୍ସନ୍ । ବିଭିନ୍ନ ଡାନ୍ସ ସିକୁଏନ୍ସରେ ମଧ୍ୟ ଦେଖିବାକୁ ମିଳିଛି ଟାଇଗରଙ୍କର ଫ୍ଲେକ୍ସିବଲ୍ ବଡ଼ି । ତେବେ ଟାଇଗର୍ଙ୍କ ଏହି ସଫଳତା ପଛରେ ଓଡ଼ିଆ ଟ୍ରେନର୍ ବିକ୍ରମଙ୍କ ଭୂମିକାକୁ ଆଦୌ ଅସ୍ୱୀକାର କରାଯାଇନପାରେ । କାରଣ ଫିଲ୍ମ ପାଇଁ ଟାଇଗର୍ ବିକ୍ରମଙ୍କଠାରୁ ସ୍ୱତନ୍ତ୍ର ଭାବେ ନେଇଥିଲେ ଜିମନାଷ୍ଟିକ୍ କୌଶଳର ଟ୍ରେନିଂ ।