ମହାବୀର ପାଇଲା ସୁନ୍ଦରୀ ସାଥୀ ! ମହାବଳ ବାଘ ପାଇଁ ମଧ୍ୟପ୍ରଦେଶରୁ ସାତକୋଶିଆ ଆସିଲା ବାଘୁଣୀ ।

28

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଆଣି ଓଡିଶାର ସାତକୋଶିଆରେ ରଖାଯାଇଥିବା ମହାବଳ ବାଘ ମହାବୀର ପାଇଁ ଆସିଲା ସୁନ୍ଦରୀ । ବାନ୍ଧବଗଡ ଜାତୀୟ ଉଦ୍ୟାନରୁ ଆଜି ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଣାଯାଇଛି । ବାନ୍ଧବଗଡ ଜାତୀୟ ଉଦ୍ୟାନର ସବୁଠାରୁ ଆକର୍ଷଣୀୟ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ତାକୁ ଓଡିଶା ସ୍ଥାନାନ୍ତର କରାଯାଇଛି । ସାତକୋଶିଆରେ ପ୍ରାୟ ଦୁଇ ହେକ୍ଟର ଅଂଚଳରେ ସୁନ୍ଦରୀ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର କରାଯାଇଛି । କିଛି ଦିନ ଅନୁଧ୍ୟାନ କଲା ପରେ ବାଘୁଣୀକୁ ଜଙ୍ଗଲ ଭିତରକୁ ଛଡାଯିବ ।

ଦୁଇ ଭଉଣୀ ଝୁମରୀ ଓ ଗୌରୀକୁ ଛାଡି ଓଡିଶା ଆସିଛି ସୁନ୍ଦରୀ । ମଧ୍ୟପ୍ରଦେଶର ବାନ୍ଧବଗଡ ଜାତୀୟ ଉଦ୍ୟାନରେ ଏହି ତିନି ବାଘୁଣୀ ୨୭ ମାସ ତଳେ ଜନ୍ମ ହୋଇଥିଲେ । ଏହି ଉଦ୍ୟାନର ସବୁଠାରୁ ଆକର୍ଷଣୀୟ ବାଘୁଣୀ, ସୁନ୍ଦରୀ ବୋଲି କୁହାଯାଏ । ତେବେ ବାଘୁଣୀ ସୁନ୍ଦରୀ ବାନ୍ଧବଗଡ ଛାଡି ବୁଧବାରରୁ ଯାତ୍ରା ଆରମ୍ଭ କରିଥିଲା । ସ୍ୱତନ୍ତ୍ର ଟିମ୍ ସୁନ୍ଦରୀକୁ ଚିହ୍ନଟ କରିବା ପରେ ବୁଧବାର ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ବାଘୁଣୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆରମ୍ଭ ହୋଇଥିଲା ସ୍ଥାନାନ୍ତରର କାମ ।

ପୂର୍ବରୁ କାହ୍ନାରୁ ମହାବୀର ବାଘ ଆସି ସାତକୋଶିଆରେ ରଖାଯାଇଛି । ତାକୁ  ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯାଇଛି । ଠିକ୍ ସେହି ପରି ସୁନ୍ଦରୀ ପାଇଁ ବି ତିଆରି ହୋଇଛି ପ୍ରାୟ ଦୁଇ ହେକ୍ଟର ଅଂଚଳରେ ସ୍ୱତନ୍ତ୍ର ଏନକ୍ଲୋଜର । ଏଠାରେ କିଛି ଦିନ ଅନୁଧ୍ୟାନ କଲା ପରେ ସୁନ୍ଦରୀକୁ ମଧ୍ୟ ଜଙ୍ଗଲ ଭିତରକୁ ମୁକ୍ତ କରାଯିବ ବୋଲି ଜଣାପଡିଛି । ବାନ୍ଧବଗଡର ଟି-୪୧୨ ନମ୍ବର ଏହି ବାଘୁଣୀ ଆଗକୁ ସାତକୋଶିଆରେ ରାଣୀ ସାଜିବ । ସାତକୋଶିଆରେ ବାଘ ବଂଶ ବଢାଇବା ପାଇଁ ଏକ ନିଆରା ଉଦ୍ୟମ ଆରମ୍ଭ କରାଯାଇଛି । ମଧ୍ୟ ପ୍ରଦେଶର ବିଭିନ୍ନ ଉଦ୍ୟାନରୁ ଓଡିଶାକୁ ଆସିବେ ବାଘ ଓ ବାଘୁଣୀ । ମହାବୀର ଓ ସୁନ୍ଦରୀ ପରେ ଆଉ ୪ଟି ବାଘ ଖୁବ ଶୀଘ୍ର ସାତକୋଶିଆ ଆସିବେ ।