ରାଜଧାନୀରେ ବୁଲୁଛି ବାଘ ! କଲରାପତରିଆକୁ ଧରିବାକୁ ରାତି ଅନିଦ୍ରା ହେଲା ବନବିଭାଗ, ହେଲେ ଧରାପଡିଲାନି ବାଘ, ଏପଟେ ଭୟଭୀତ ସ୍ଥାନୀୟ ଲୋକ ।

136

କନକ ବ୍ୟୁରୋ : ରାଜଧାନୀରେ ବାଘ ଧରିବାକୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଅପରେସନ ଶେଷ ହୋଇଛି । ବାଘକୁ ନପାଇ ଜଙ୍ଗଲରୁ ଫେରିଛନ୍ତି ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ବାଘକୁ ଧରିବାକୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ । ତେବେ ଆସନ୍ତୁ ଜାଣିବା କେମିତି ଥିଲା ପ୍ରଥମ ପର୍ଯ୍ୟାୟ ଅପରେସନ ।

ସମୟ – ଦିନ ୧୧ଟା୩୦ । ସ୍ଥାନ – ବିମାନବନ୍ଦର ପରିସର । ଭୁବନେଶ୍ୱର ବିମାନ ବନ୍ଦର ମଧ୍ୟରେ ଥିବା ବୁଦୁବୁଦିଆ ଜଙ୍ଗଲକୁ ପ୍ରବେଶ କରିଥିଲେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ହାତରେ ଥିଲା ଟ୍ରାଙ୍କୁଲାଇଜର ଗନ୍ । ସାଙ୍ଗରେ ନେଇଯାଇଥିଲେ  ଜୀବଜନ୍ତୁଙ୍କୁ କାବୁ କରିବା ପାଇଁ ବ୍ୟବହାର କରାଯାଉଥିବା ଜାଲ । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ଅପରେସନ ଲିଓପର୍ଡ । ଦୁଇ ଦିନ ଧରି ବିମାନ ବନ୍ଦର ଓ ଆଖପାଖରେ ଘୂରି ବୁଲୁଥିବା କଲରାପତରିଆ ବାଘକୁ କାବୁ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ବନ ବିଭାଗ । ବାଘ ଲୁଚିଥିବା ସମ୍ଭାବ୍ୟ ସ୍ଥାନରେ କରାଯାଇଥିଲା ସର୍ଚ୍ଚ ଅପରେଶନ । କିନ୍ତୁ ଦୀର୍ଘ ୪୫ ମିନିଟ ଧରି ତନ୍ନତନ୍ନ କରି ଖୋଜିବା ପରେ ମଧ୍ୟ ବନ ବିଭାଗକୁ ମିଳିଳାନି କଲରାପତରିଆର ସନ୍ଧାନ । ଏବେ ପୁଣି ଥରେ ବାଘକୁ ଠାବ କରିବାକୁ ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ବନ ଅଧିକାରୀ ।

ରାଜଧାନୀରେ ବାଘ ଆତଙ୍କ ! ବିମାନବନ୍ଦରରେ ବୁଲୁଛି ବାଘ ! ଗତ ରବିବାର ରାତିରେ ଏୟାରପୋର୍ଟ ନିକଟସ୍ଥ ପଳାଶପଲ୍ଲୀ ଅଂଚଳରେ ଏକ ବାଘକୁ ଦେଖିଥିଲେ ଜଣେ ସ୍ଥାନୀୟ ବ୍ୟକ୍ତି । ସିସିଟିଭି ଚିତ୍ର ଯାଞ୍ଚ କରିବା ପରେ ଏହା ଏକ କଲରାପତରିଆ ବାଘ ବୋଲି ସ୍ପଷ୍ଟ ହୋଇଥିଲା । ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହେବା ପରେ ବନ ବିଭାଗ ବାଘକୁ ସୁରକ୍ଷିତ ଉଦ୍ଧାର କରିବାକୁ ଯୋଜନା କରିଛି । ଜଙ୍ଗଲୀ ବାଘକୁ ଉଦ୍ଧାର କରିବା ପାଇଁ ଥିବା ସ୍ୱତନ୍ତ୍ର ନିୟମାବଳୀ ଅନୁସାରେ ପଦକ୍ଷେପ ନେଇଛି ବନ ବିଭାଗ । ପ୍ରଥମ ଉଦ୍ୟମରେ ସଫଳତା ମିଳିନଥିଲେ ମଧ୍ୟ ବାଘକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ । ଜନ୍ତା ବସାଇ ବାଘକୁ କାବୁ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।