ସାତକୋଶିଆରେ ଆରମ୍ଭ ହେଲା ମହାବୀର ଯୁଗ ! ଏନକ୍ଲୋଜର ନୁହେଁ ଏଣିକି ଜଙ୍ଗଲରେ ଶିକାର ।

77

ସାତକୋଶିଆ ଜଙ୍ଗଲରେ ଛଡାଗଲା ବାଘ । ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବାଘ ‘ମହାବୀର’କୁ ଆଜି ସାତକୋଶିଆ ଜଙ୍ଗଲରେ ଛଡାଯାଇଛି । ଗତ ୨୧ ତାରିଖରୁ ଆସିଥିବା ମହାବୀରକୁ ଏନକ୍ଲୋଜରରେ ରଖାଯାଇଥିଲା । ଆଜି ଅପରାହ୍ନ ୨ଟାରେ ମହାବୀରକୁ ଏନକ୍ଲୋଜରରୁ ବାହାରକୁ ଛଡାଯାଇଥିଲା । ପ୍ରଥମେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସାତକୋଶିଆ ଜଙ୍ଗଲରେ ଛାଡିଦିଆଯାଇଛି । ତେବେ ସିସିଟିଭି ଦ୍ୱାରା ବାଘର ଗତିବିଧି ଉପରେ ନଜର ରଖାଯାଇଛି ।

ଓଡିଶାର ସାତକୋଶିଆ ଜଙ୍ଗଲରେ ବାଘ ସଂଖ୍ୟା ବଢାଇବା ପାଇଁ ଏଭଳି ଏକ ବଡ ଧରଣର ପଦକ୍ଷେପ ନିଆଯାଇଥିଲା । ବାଘକୁ ନିଶ୍ଚେତକ ଦିଆଯାଇ ୪୮ ଘଂଟାର ଯାତ୍ରା ପରେ ସାତକୋଶିଆରେ ପହଂଚିଥିଲା ମହାବଳ ବାଘ । କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରଥମ ପର୍ୟ୍ୟାୟରେ ମହାବଳକୁ ଅଣାଯାଇଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ଆଉ ୫ଟି ମହାବଳ ବାଘ ଅଣାଯିବ ।

ସୂଚନା ଅନୁଯାୟୀ, ସାତକୋଶିଆର ଘଂଚ ଜଙ୍ଗଲ ଭିତରେ ଘୁରି ବୁଲିବ ଏହି ମହାବଳ ବାଘ । ଜଙ୍ଗଲରେ କ୍ରମାଗତ ବଢୁଥିବା ତୃଣାଭୋଜି ପ୍ରାଣୀଙ୍କ ସଂଖ୍ୟା ହ୍ରାସ କରିବା ସହ ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି କରିବ । ଆଉ ବାଘଙ୍କ ପାଇଁ ସାତକୋଶିଆ ଜଙ୍ଗଲରେ ପ୍ରସ୍ତୁତ ହେବ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର । ତିନୋଟି ପର୍ୟ୍ୟାୟରେ ୬ଟି ମହାବଳ ବାଘ ସାତକୋଶିଆ ଜଙ୍ଗଲକୁ ଅଣାଯିବ ।