ଖୋର୍ଦ୍ଧା କୋଶଳାଶୁଣୀରେ ବାଘ ଆତଙ୍କ ! ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ

33

କନକ ବ୍ୟୁରୋ: ଖୋର୍ଦ୍ଧା ବୋଲଗଡ଼ରେ ବାଘ ଆତଙ୍କ । ବୋଲଗଡର କୋଶଳାଶୁଣୀ ଜଙ୍ଗଲରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଆରିକମା, କୋଜିଅବଣୀ, ମାଣିବନ୍ଧ, ଛାମୁଣ୍ଡିଆପଲ୍ଲୀ ଓ ଦଦରା ଗାଁଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଜଙ୍ଗଲ ଦେଇ ଯାଇଥିବା ରାସ୍ତାରେ ଲୋକେ ବାଘର ପାଦ ଚିହ୍ନ ଦେଖିବାକୁ ପାଇଛନ୍ତି ।

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଣିବନ୍ଧ ଗ୍ରାମ ନିକଟରେ ଥିବା କୋଶଳାଶୁଣୀ ଜଙ୍ଗଲରେ ବାଘ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ମାଣିବନ୍ଧ ମେଡିକାଲରେ କାର୍ଯ୍ୟ କରୁଥିବା ଡାକ୍ତର ନିବେଦିତା ଭୋଳ ଓ ତାଙ୍କର ସହାୟକ ଉଦୟନାଥ ରାଉତ ଗତ ୨୪ ତାରିଖ ସନ୍ଧ୍ୟା ସାଢ଼େ ୫ଟା ସମୟରେ ମେଡିକାଲରୁ ନିଜ ଘର ଧଳାପଥର ଫେରୁଥିବା ବେଳେ କୋଶଳାଶୁଣୀ ଜଙ୍ଗଲରେ ଏକ ଗଛ ଉପରେ ଏକ ବାଘ ବସିଥିବାର ଦେଖିବାକୁ ପାଇଥିଲେ ।

ସେମାନେ ଭୟରେ ସେଠାରୁ ତୁରନ୍ତ ଧଳାପଥର ଆସି ଲୋକମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଏହି ଖବର ପାଇବା ପରେ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ବୋଲଗଡ଼ ବନପାଳ ଗଗନ ମହାପାତ୍ର ସଦଳବଳେ ଉକ୍ତ ଅଞ୍ଚଳ ଯାଇ ଅନୁସନ୍ଧାନ କରିଥିଲେ । ମାତ୍ର ବାଘ ଥିବା ସମ୍ପର୍କରେ କୌଣସି ଠୋସ ପ୍ରମାଣ ପାଇପାରି ନଥିଲେ ।

ତେବେ ବୁଧବାର ଆରିକମା ଗ୍ରାମର ୫ ଜଣ ବ୍ୟକ୍ତି ଏକ ଗାଡ଼ିରେ ମା’ କୋଶଳାଶୁଣୀ ଦର୍ଶନ କରିବାକୁ କୋଶଳାଶୁଣୀ ଜଙ୍ଗଲ ଭିତରକୁ ଯାଇଥିଲେ । ସେମାନେ ଫେରିବା ବେଳେ କୋଶଳାଶୁଣୀ ଜଙ୍ଗଲ ପାର୍ଶ୍ୱରେ ଥିବା ଧଳାପଥର-ରାଜସୁନାଖଳା ରାସ୍ତାରେ ବାଘ ପାଦ ଚିହ୍ନ ପଡ଼ିଥିବାର ଦେଖିବାକୁ ପାଇଛନ୍ତି । ଫଳରେ ସେ ଜଙ୍ଗଲରେ ବାଘ ରହିଥିବା ନେଇ ପୁଣି ଆଲୋଚିତ ହେଉଛି । ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଥିବା ବେଳେ ବନ ବିଭାଗ ପକ୍ଷରୁ ଏ ନେଇ ଅନୁସନ୍ଧାନ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।