ମହାବଳ ମୃତ୍ୟୁକୁ ନେଇ ସସପେନ୍ସ ! ବିଷ କ୍ରିୟା ଉପରେ ସନ୍ଦେହ

54

କନକ ବ୍ୟୁରୋ: ବଲାଙ୍ଗିରରୁ ୯୦ କିଲୋମିଟର ଦୂର ବଡପତରା ଜଙ୍ଗଲରୁ ମିଳିଛି ଏକ ମହାବଳ ବାଘର ମୃତ ଦେହ । ବନ ବିଭାଗ ଏହି ଅଂଚଳରେ ବାଘ ନଥିବା କହୁଥିବା ବେଳେ ଏବାଘ କେଉଁଠୁ ଆସିଲା, ସେନେଇ ବି ହେଉଛି ଚର୍ଚ୍ଚା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ସୁସ୍ଥ ସବଳ ଦେଖା ଯାଉଥିବା ଏହି ବାଘର ନାକରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛନ୍ତି ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ।

ତେବେ, ବନ ବିଭାଗର ରିପୋର୍ଟ ଅନୁସାରେ ଜିଲ୍ଲାରେ ମହାବଳ ବାଘ ନଥିବା ବେଳେ ଏହି ୯ ଫୁଟ ଲମ୍ବ ଓ ସାଢେ ୩ ଫୁଟ ଉଚ୍ଚ ବିଶାଳ ମହାବଳ ବାଘ ସମସ୍ତଙ୍କୁ ଚକିତ କରିଥିଲା । ବାଘର ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ କୁହାଯାଉଥିବା ବେଳେ ବାଘର ଶରୀର ଗଠନ ତାହା ପ୍ରମାଣ କରୁନାହିଁ । ଅନ୍ୟପଟେ ତା ନାକରୁ ରକ୍ତ ବାହାରିଥିବା ସୂଚନା ଥିବାରୁ ଏହା ବିଷ କ୍ରିୟା ଯୋଗୁଁ ହୋଇଥିବା ସମ୍ଭାବନା ରହିଛି । ଅନ୍ୟ ପଟେ ଅନ୍ଥ୍ରାକ୍ସ ଯୋଗୁଁ ବାଘର ମୃତ୍ୟୁ ହୋଇଥିବା ସମ୍ଭାବନା କମ୍ ବୋଲି କହିଛନ୍ତି ପୂର୍ବତନ ବରିଷ୍ଠ ବନ ଅଧିକାରୀ ।

ମହାବଳ ବାଘଟି ନୂଆପଡା ସୁନାବେଡା ଜଙ୍ଗଲ ବା ଛତିଶଗଡ ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି । ସେପଟେ ଏକ ବିଶେଷଜ୍ଞ ଦଳ ବାଘର ବ୍ୟବଚ୍ଛେଦ କରିସାରିଥିବା ବେଳେ ବନ ବିଭାଗ ବର୍ତମାନ କୌଣସି ସୂଚନା ଦେଇନାହାନ୍ତି । ଆରପଟେ ବାଘକୁ ପୋଡି ଦିଆଯାଇଛି । ଆଉ ୨-୩ ଦିନ ମଧ୍ୟରେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ତଥ୍ୟ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଏବେ ବି ସନ୍ଦେହ ଘେରରେ ରହିଛି ବାଘର ମୃତ୍ୟୁ ରହସ୍ୟ ।