ବାଘର ଗଳିତ ମୃତଦେହକୁ ନେଇ ବଢିଲା ବିବାଦ ! କୁଆଡେ ଗଲା କ୍ୟାମେରାରେ ଦେଖାଯାଇଥିବା ମହାବଳ ?

98

କନକ ବ୍ୟୁରୋ : ଦେବ୍ରିଗଡର ମହାବଳକୁ ନେଇ ବିବାଦ ବଢିବାରେ ଲାଗିଛି । ଗୋଟିଏ ପଟେ ଜାତୀୟ ବ୍ୟାଘ୍ର ସଂରକ୍ଷଣ  କର୍ତୃପକ୍ଷ, ଏନଟିସିଏ ଘଟଣା ନେଇ ରିିପୋର୍ଟ ଦେବାକୁ ପିସିସିଏଫଙ୍କୁ ଚିଠି ଲେଖିଥିବା ବେଳେ ଗବେଷକ ଅଧିକ ତଦନ୍ତ ଦାବିରେ ଏନଟିସିଏର ଦ୍ୱାରସ୍ଥ ହୋଇଛନ୍ତି । ଏପଟେ ମହାବଳର ସ୍ଥିତି ନେଇ କିଛି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି ପିସିସିଏଫ । ଫଳରେ ବନ ବିଭାଗର ଆନ୍ତରିକତା ନେଇ ଉଠିଛି ପ୍ରଶ୍ନ ।

କୁଆଡ଼େ ଗଲା ମହାବଳ ? ବନ ବିଭାଗ ପାଖରେ ନାହିଁ  କୌଣସି ଉତ୍ତର । ଦେବ୍ରିଗଡ ଜଙ୍ଗଲରେ ମିଳିଥିବା ଗଳିତ ବାଘ ଦେହକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏହା ଏବେ ଭିନ୍ନ ମୋଡ ନେଇଛି । ଏହି ମୃତ ଦେହ କଳରାପତରିଆ ବାଘର ବୋଲି ବନ ବିଭାଗ କହୁଥିବା ବେଳେ ସେଠାରେ ଦେଖାଯାଇଥିବା ମହାବଳ ଗଲା କୁଆଡେ ? ଏପରି ପ୍ରଶ୍ନ ଉଠାଇଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ । ଗବେଷକଙ୍କ ମତ ଏଠାରେ ମିଳିଥିବା ଅବଶେଷ ଗୋଟିଏ ପ୍ରାପ୍ତ ବୟସ୍କ ମହାବଳର । ଏନେଇ ବିଭିନ୍ନ ପ୍ରମାଣ ଘଟଣାସ୍ଥଳରେ ମିଳିଥିବା ବେଳେ ଦୋଷ ଲୁଚାଇବାକୁ ବନ ବିଭାଗ ତଥ୍ୟ ଦେଉ ନଥିବା ଅଭିଯୋଗ ହେଉଛି ।

ଦିନେ ବନ ବିଭାଗର ଟ୍ରାପ କ୍ୟାମେରାରେ ଧରା ପଡିଥିଲା ମହାବଳ । ଏହା ପରେ ଦେବ୍ରିଗଡକୁ ଅଭୟାରଣ୍ୟ ରୂପେ ଘୋଷଣା କରିବା ନେଇ ବିଭାଗ ସୂଚନା ଦେଇଥିଲା । କିନ୍ତୁ ଏବେ ଏହି ମହାବଳକୁ ନେଇ ବନ ବିଭାଗ ପାଖରେ କୌଣସି ଉତ୍ତର ନାହିଁ । ଧର୍ମକୁ ଆଖିଠାର ଦେଲା ଭଳି ମ୍ରୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକ କହିଛନ୍ତି ମାଓବାଦୀ  କାର୍ଯ୍ୟକଳାପ ଭୟରେ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାକୁ କାଢି ଦିଆଯାଇଥିଲା । ଆଗକୁ ଏଠାରେ ପୁଣି କ୍ଲୋଜ୍ ସର୍କିଟ କ୍ୟାମେରା ଲାଗିବ ଏବଂ ପଗ୍ ଇମ୍ପ୍ରେସନ ପ୍ୟାଡ୍ ମାଧ୍ୟମରେ ମହାବଳକୁ ଚିହ୍ନଟ କରାଯିବ ବୋଲି କହିଛନ୍ତି ।

ସେପଟେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି ଏବଂ ଏନେଇ କଣ ପଦକ୍ଷେପ ନିଆଯାଇଛି ତାହାର ସବିଶେଷ ରିପୋର୍ଟ ତଲବ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ  କର୍ତୃପକ୍ଷ, ଏନଟିସିଏ । ଗୋଟିଏ ପଟେ ବନ ବିଭାଗ, ସାତକୋଶିଆରେ ବାଘ ବଂଶବୃଦ୍ଧି ନେଇ ଯୋଜନା ପରେ ଯୋଜନା କରୁଥିବା ବେଳେ ଛତିଶଗଡ ଜଙ୍ଗଲରୁ ଓଡିଶାକୁ ଚାଲିଆସି ଥିବା ମହାବଳର ସୁରକ୍ଷା କଥା ଭୁଲି ଗଲେ କେମିତି? ବାସ୍ତବରେ ଦେବ୍ରିଗଡର ମହାବଳର ସ୍ଥିତି କଣ ? ବନ ବିଭାଗର ଆନ୍ତରିକତା ନେଇ ଏବେ ଉଠିଛି ଏମିତି ଅନେକ ପ୍ରଶ୍ନ ।