ତିନି ଦଳର ନେତାଙ୍କୁ ଘାରିଛି ଟିକେଟ ଟେନସନ । ଲବି ବଦଳରେ ସର୍ଭେ ରିପୋର୍ଟକୁ ଦିଆଯାଉଛି ପ୍ରାଧାନ୍ୟ ।

ଯେଉଁ ଦଳ ଟିକେଟ ଚୟନ ସଠିକ ଢଙ୍ଗରେ କରିବ ଏବଂ ଅସନ୍ତୁଷ୍ଟଙ୍କୁ ବୁଝା ସୁଝାଇ ଦଳରେ ରଖିପାରିବ ଏବଂ କର୍ମୀଙ୍କ ମନରେ ଜୋଶ ଭରିପାରିବ, ସେହିଦଳ ପାଇଁ ସ୍ଥିତି ଅନୁକୂଳ ରହିବ ।

472

ମାର୍ଚ୍ଚ ପ୍ରଥମ ସପ୍ତାହରେ ଆଗାମୀ ସାଧାରଣ ନିର୍ନାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଜାତୀୟ ଗଣମାଧ୍ୟମରେ ଏହି ଚର୍ଚ୍ଚା ସହିତ ଟିକେଟ କସରତକୁ ଶେଷ ସ୍ପର୍ଶ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୨୦୧୯ ନିର୍ବାଚନ ଅତୀତର ସବୁ ନିର୍ବାଚନ ଠାରୁ ଅଲଗା ହେବା ନେଇ ପ୍ରତିଟି ରାଜନୈତିକ ଦଳ ମତ ପ୍ରକାଶ କରିଥିବା ବେଳେ ଟିକେଟ ଚୟନ ହେବ ସବୁଠାରୁ ବଡ ଆହ୍ୱାନ ।

ବିଜେଡିର ଟିକେଟ କସରତ
ଗତ ଥର ଭଳି ବିଜେଡିରେ ଟିକେଟ ପାଇଁ ବାୟୋଡାଟା ଫର୍ମୁଲା ଆଉ କାମ କରୁନି । ୨୦୧୪ ନିର୍ବାଚନର ଠିକ ପୂର୍ବରୁ ନବୀନ ନିବାସ ସାମ୍ନାରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ ଜମିଥିଲା । ନିଜ ସପକ୍ଷରେ ନବୀନଙ୍କ ମତ ଆଣିବାକୁ ଚାଲୁଥିଲା ଏହି କସରତ । ହେଲେ ଏଥର ବିଜେଡିର ଅନ୍ଦର ମହଲ ଏହି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଦେଇଥିବା କୁହାଯାଉଛି ।

ଚାରି ଚାରି ଥର ଜିତିବା ପରେ ଶାସକ ଦଳ ପାଇଁ ସତ୍ତା ବିରୋଧୀ ମତ, ବଡ ବିପଦ ଭାବେ ଉଭା ହୋଇଛି । ଏପରିକି ସ୍ଥାନୀୟ ବିଧାୟକଙ୍କ ଉପରେ ଲୋକଙ୍କ ରୋଷ ଥିବାରୁ ତାକୁ ପ୍ରତିହତ କରିବାକୁ ଚାଲିଛି ରଣନୀତି । କୁହାଯାଉଛି, ପାଖାପାଖି ୬୦ ଆସନରେ ବିଜେଡି ନିଜ ପ୍ରାର୍ଥୀ ବଦଳାଇବ । ନୂଆ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇ ପାରନ୍ତି ନବୀନ ।

ଟ୍ରମ୍ପକାର୍ଡ ସାଜିବ ସର୍ଭେ ରିପୋର୍ଟ
ପାଖାପାଖି ୫ଟି ସର୍ଭେ ରିପୋର୍ଟ ଉପରେ ଭରସା କରି ଆଗକୁ ବଢୁଛି ବିଜେଡି । ନେତାମାନଙ୍କ ନାଁରେ କରାଯାଇଥିବା ଏହି ସର୍ଭେ ରିପୋର୍ଟରେ ଯିଏ ଆଗରେ ରହିବ, ସିଏ ଟିକେଟ ପାଇବ । ଏଥିପାଇଁ କୈାଣସି ନେତାଙ୍କ ଲବି କାମ କରିବା ନାହିଁ କିମ୍ବା ନିଜ ପ୍ରିୟ ଲୋକଙ୍କୁ ଟିକେଟ ଦେବାରେ ଆଉ ପ୍ରଭାବଶାଳୀ ନେତା ସମର୍ଥ ହେବେନାହିଁ ବୋଲି କୁହାଯାଉଛି ।

ସମସ୍ତ ସର୍ଭେ ରିପୋର୍ଟକୁ ନେଇ ବିଜେଡିର ଇଲେକ୍ସନ ମ୍ୟାନେଜମେଂଟ ଟିମ୍ କରୁଛନ୍ତି ଅନୁଧ୍ୟାନ । ଖାଲି ଏତିକି ନୁହେଁ, କିଛି ନିର୍ଦ୍ଦିଷ୍ଟ ନେତାଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ତେଣୁ ଯେଉଁ ନେତାମାନଙ୍କର ଜିତିବାର ସମ୍ଭାବନା ଅଧିକ ଏବଂ ଜନତାଙ୍କ ବିଶ୍ୱାସ ସେମାନଙ୍କ ସପକ୍ଷରେ ଥିବ, ସେହି ବ୍ୟକ୍ତିମାନଙ୍କୁ ବିଜେଡି ଟିକେଟ ମିଳିବାର ସମ୍ଭାବନା ଅଧିକ । ତେଣୁ କାନ କୁହା କଥା ବଦଳରେ ସାଇଂଟିଫିକ ଉପାୟରେ ବିଜେଡି ଏହି ନିର୍ବାଚନରେ ପ୍ରାର୍ଥୀ ସାମ୍ନାକୁ ଆଣିବାକୁ ଯାଉଛି ।

ଶେଷ ମୂହୁର୍ତ୍ତରେ ନିଷ୍ପତ୍ତି
ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ବିଜେଡି ଏଥର ଟିକେଟ ଘୋଷଣା ଝୂଲାଇ ରଖିପାରିବ ବୋଲି କୁହାଯାଉଛି । କାରଣ ଯେଉଁମାନଙ୍କର ଟିକେଟ କଟିବ ସେମାନେ ବିଦ୍ରୋହୀ ପ୍ରାର୍ଥୀ ହେଲେ ବିଜେଡି ପାଇଁ ରାସ୍ତା ମୁସ୍କିଲ ହୋଇପାରେ । ତେଣୁ ଯଥାସମ୍ଭବ ସମସ୍ତଙ୍କୁ ଝୁଲାଇ ରଖାଯିବ ଯେଉଁଭଳି ଅସନ୍ତୁଷ୍ଟ ନେତା ବିଦ୍ରୋହୀ ପ୍ରାର୍ଥୀ ହେବାର ଆଉ ସୁଯୋଗ ପାଇବେ ନାହିଁ ।

ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରାଯିବ କିଭଳି?
କୁହାଯାଉଛି, ବିଜେଡି ପାଇଁ ୨୦୧୯ରେ ସବୁଠାରୁ ବଡ ଚ୍ୟାଲେଂଜ ଅସନ୍ତୁଷ୍ଟଙ୍କୁ ଥଇଥାନ । ଯାହାର ଟିକେଟ କଟିବ କିମ୍ବା ଆଶାୟୀଙ୍କୁ ଯଦି ଟିକେଟ ନମିଳିବ ତେବେ ସେମାନଙ୍କୁ କିଭଳି ବୁଝାଇ ଦଳ ସହିତ ରଖାଯିବ, ତାହା ହିଁ ଇଲେକ୍ସନ ମ୍ୟାନେଜମେଂଟ ଟିମ ପାଇଁ ଆହ୍ୱାନ । ୨୦୧୪ରେ କଳ୍ପତରୁ ଦାସ ଅବା ୨୦୦୯ ବେଳକୁ ପ୍ୟାରୀମୋହନ ମହାପାତ୍ର ଯେଉଁ ଭୂମିକାରେ ଥିଲେ, ୨୦୧୯ରେ ସେହି ଭୂମିକାକୁ କିଏ ତୁଲାଇବ, ତାହା ହେବ ଗୁରୁତ୍ୱପୂର୍ଣ୍ଣ ।

୨୦୦୯ରେ ପ୍ୟାରୀମୋହନ ମହାପାତ୍ର ନିର୍ବାଚନ ଲଢିନଥିଲେ, ୨୦୧୪ରେ କଳ୍ପତରୁ ଦାସ ରାଜ୍ୟସଭା ସାଂସଦ ଥିଲେ । ତେଣୁ ସିଧା ନିର୍ବାଚନ ମୈଦାନକୁ ଓହ୍ଲାଉନଥିବା ନେତା କିମ୍ବା ନେତାଙ୍କ ଟିମ ହିଁ ଏହି ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ପାରିବେ । ତେଣୁ ୨୦୧୯ରେ ନବୀନ କାହାକୁ ଏହି ଦାୟିତ୍ୱ ଦେବେ, ବା କେଉଁ ନେତା ମାନଙ୍କୁ ନେଇ ଏହି ଟିମ ଗଠନ ହେବ, ତାହା ହିଁ ନିର୍ଦ୍ଧାରଣ କରିବ, ଅସନ୍ତୁଷ୍ଟଙ୍କୁ କିଭଳି ବୁଝାଇ ସୁଝା ଦଳ ସହିତ ରଖାଯାଉଛି ।

ବିଜେପିର ଟିକେଟ କସରତ
ମିଶନ ୧୨୦ ପାଇଁ କାର୍ଯ୍ୟ କରୁଥିବା ବିଜେପି ପାଇଁ ମଧ୍ୟ ଟିକେଟ ଚୟନ ଚ୍ୟାଲେଂଜ ଆଣିବ । ଖାସ କରି ଦଳର ପୁରୁଣା ଆଉ ନୂଆ ନେତାଙ୍କ ମଧ୍ୟରେ କିଭଳି ସମନ୍ୱୟ ରଖାଯିବ ତାସହ କେଉଁ ଗୋଷ୍ଠିର ନେତାଙ୍କୁ ଟିକେଟ ମିଳିବ, ଆଉ ଅନ୍ୟ ନେତାଙ୍କୁ କିଭଳି ଆଶା ଦେଖାଯିବ, ତାକୁ ନେଇ ମଧ୍ୟ ବଡ କସରତ ଚାଲିଥିବା କୁହାଯାଉଛି ।

ଅପରାଜିତା ଷଡଙ୍ଗୀ ବିଜେପିରେ ସାମିଲ ହେବା ପରେ ଭୂବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । କୁହାଯାଉଛି, ଭୁବନେଶ୍ୱର ଅଧୀନସ୍ଥା ବିଧାନସଭା ଆସନରେ କାହାକୁ ପ୍ରାର୍ଥୀ କରାଯିବ, ତାହା ନିର୍ଦ୍ଧାରଣ କରିବେ ଅପରାଜିତା ଷଡଙ୍ଗୀ । ଏଭଳି ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ନେତା କିଭଳି ଏହାକୁ ଗ୍ରହଣ କରିବେ, ତାଉପରେ ନଜର ରହିବ ।

ସେହିଭଳି ଗତ କିଛି ଦିନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ପ୍ରମାଣିତ କରିଛି, ଆଗାମୀ ଦିନରେ ଟିକେଟ ଚୟନ ପରେ ଦଳ ଭିତରେ ଏକ ବଡ କନ୍ଦଳ ଦେଖିବାକୁ ମିଳିବ । ଖାସ କରି ଯେଉଁମାନଙ୍କୁ ଟିକେଟର ଆଶା ଦେଖାଇ ଦଳରେ ସାମିଲ କରାଯାଇଛି ଆଉ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିଥିବା ନେତାଙ୍କ ଭିତରେ ସମନ୍ୱୟ ରଖିପାରିବେ କି ନାହିଁ ତାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା ।

କଂଗ୍ରେସ ଫୋକସରେ ୫୦ ସିଟ
କୁହାଯାଉଛି, କଂଗ୍ରେସ ୫୦ ଆସନରେ ନିଜର ପୂରା ବଳ ଲଗାଇ ଲଢିବ । ବାକି ଆସନରେ ହୁଏତ ଦଳ ପ୍ରାର୍ଥୀ ଘୋଷଣା କରିବ ଏବଂ ଆଉ କିଛି ଆସନରେ ବୁଝାମଣ କରି ସହଯୋଗୀ ଦଳଙ୍କୁ ଛାଡି ଦେଇପାରେ, କିନ୍ତୁ ଫକସରେ ୫୦ ଆସନ ହିଁ ରହିବ । ଯେଉଁ ସ୍ଥାନରେ ଦଳର ଭୋଟ ବ୍ୟାଙ୍କ ଏକାଠି ଅଛି, ନେତା ସୁଦୃଢ ଅଛନ୍ତି ଓ ଦଳର କର୍ମୀଙ୍କ ମଧ୍ୟରେ ଜୋଶ ରହିଛି ସେଭଳି ୫୦ଟିି ଆସନକୁ ଚିହ୍ନଟ କରି ଦଳ ରଣନୀତି ପ୍ରସ୍ତୁତ କରୁଛି । ତେଣୁ ଟିକେଟ ଚୟନ କଂଗ୍ରେସ ପାଇଁ ଆହ୍ୱାନ ହେବନାହିଁ । ବରଂ କେତେ ଆସନରେ କେଉଁ ସହଯୋଗୀ ଦଳଙ୍କ ସହ ବୁଝାମଣା କରିବ, ତାହା ଗୁରୁତ୍ୱପୂର୍ଣ୍ଣ ହେବ ।

କାହା ସହ ଯିବ ସାମୁଖ୍ୟ?
ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟକେଉଁ ରାଜନୈତିକ ଦଳ ସହ ହାତ ମିଳାଇବ ଓ କେତୋଟି ଆସନ ନେଇ ବୁଝାମଣା ହେବ, ତାଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଯଦି ବିଜେପି ଏହି ସାମୁଖ୍ୟ ସହ ମେଂଟ କରେ ତେବେ କେତେ ଆସନ ଏଥିପାଇଁ ଛାଡିବ, ଆଉ ସେସବୁ ଆସନ ଉପରେ ପ୍ରଭାବ କଣ ରହିବ, ତାକୁ ନେଇ ମଧ୍ୟ ଏବେ ଅଙ୍କକଷା ଚାଲିଛି । ସେହିଭଳି କଂଗ୍ରେସ ମଧ୍ୟ ଏଦିଗରେ ଗୋଟିଚାଳନା କରୁଛି, କିଭଳି ଅନ୍ୟ ଛୋଟ ଦଳ ଗୁଡିକୁ ଏକାଠି କରି ନିର୍ବାଚନ ମୈଦାନରେ ପୂରା ଶକ୍ତି ଏକାଠି କରି ଲଢିବା ପାଇଁ ।

ଏଥର ତ୍ରିମୁଖୀ ଲଢେଇ
ଗତ ୨ଟି ନିର୍ବାଚନରେ ଏକତରଫା ବିଜୟ ହାସଲ କରିଥିବା ବିଜେଡି ଲଗାତର ଚାରିଥର ଶାସନ କ୍ଷମତାକୁ ଆସିଛି । ହେଲେ ଆଗାମୀ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପି ଆଡୁ ଚ୍ୟାଲେଂଜ ଆସିବ ଶାସକ ଦଳ ପାଇଁ । ଖାସ କରି ପଂଚାୟତ ନିର୍ବାଚନ ଓ ବିଜେପୁର ନିର୍ବାଚନ ପରେ ରାଜ୍ୟରେ ଦ୍ୱିତୀୟ ଦଳ ଭାବେ ବିଜେପି ଉଭା ହୋଇଥିବା ବେଳେ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ କମବ୍ୟାକ କରିବାକୁ ରଣନୀତି କରିଛି ।

ଯେଉଁ ଦଳ ଟିକେଟ ଚୟନ ସଠିକ ଢଙ୍ଗରେ କରିବ ଏବଂ ଅସନ୍ତୁଷ୍ଟଙ୍କୁ ବୁଝା ସୁଝାଇ ଦଳରେ ରଖିପାରିବ ଏବଂ କର୍ମୀଙ୍କ ମନରେ ଜୋଶ ଭରିପାରିବ, ସେହିଦଳ ପାଇଁ ସ୍ଥିତି ଅନୁକୂଳ ରହିବ । ନିର୍ବାଚନକୁ ୩ ମାସ ପୂର୍ବରୁ ଆଜିର ଦିନରେ ବିଜେଡି ବିରୋଧୀ କ୍ୟାମ୍ପରୁ ଆଗରେ ଥିବା ବେଳେ ଏହି ଅବଧି ମଧ୍ୟରେ ବିରୋଧୀ ଦଳ ଗୁଡିକ କମବ୍ୟାକ କରିପାରୁଛନ୍ତି କି ନାହିଁ, ତା ଉପରେ ନଜର ରହିଛି ।