କାଳେ ଟିକେଟ ବିକ୍ରିର ଲାଗିବ ଅପବାଦ, ଆଶାୟୀ ଆସିବା ଆଗରୁ ସତର୍କ ନଜର ।

ଖାସ କରି ବିଜେଡି ଟିକେଟ ପାଇବା ପାଇଁ ଯେଉଁଭଳି ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି, ତାକୁ ଆଖି ଆଗରେ ରଖି କେହି ଯେମିତି ଏହାର ଫାଇଦା ନେବାକୁ ଉଦ୍ୟମ ନକରିବେ, ସେ ଉପରେ ଦଳ ତରଫରୁ ଧ୍ୟାନ ଦିଆଯାଉଥିବା ଜଣାପଡିଛି ।

449

କନକ ବ୍ୟୁରୋ: ବିଧାନସଭା ଅଧିବେଶନ ସରିଗଲା । ନେତା ମାନେ ନିର୍ବାଚନ ମଣ୍ଡଳୀ ମୁହାଁ । ହେଲେ କିଛି ଦିନ ପରେ ରାଜଧାନୀ ଉଠିବ ପଡିବ । ଟିକେଟ ପାଇବା ପାଇଁ ଚାଲିବ ବଡ କସରତ । କିଭଳି ଆଉ କେଉଁ ଉପାୟରେ ଟିକେଟ ଖଣ୍ଡିଏ ହାତେଇବେ, ସେଥିପାଇଁ ନାନା ଉପାୟ ଚିନ୍ତା କରି ଭୁବନେଶ୍ୱର ମୁହାଁ ହେବେ ଆଶାୟୀ । ଲବି କରିବା ସହ ନିଜ ସପକ୍ଷରେ ବାତାବରଣ ସୃଷ୍ଟି ପାଇଁ ଯଥାସମ୍ଭବ ଉଦ୍ୟମ ମଧ୍ୟ କରିବେ । କାରଣ ଏହି ସମୟ ହାତରୁ ଖସିଗଲେ, ପୁଣି ୫ ବର୍ଷ ଅପେକ୍ଷା କରିବାକୁ ପଡିବ ।

ଆଉ ଏହାରି ଭିତରେ ସବୁଠାରୁ ବଡ ଅଭିଯୋଗ ସାମ୍ନାକୁ ଆସେ, ଟିକେଟ ବିକ୍ରି ହୋଇଗଲା । ଅତୀତରେ ଅନେକ ବାର ଏଭଳି ସଂଗୀନ ଅଭିଯୋଗ ଆସିବା ସହ ରାଜନୈତିକ ଦଳ ଓ ନେତା ବଦନାମ ହୋଇଥିଲେ । ଯାହାକୁ ନେଇ ରାଜନୀତି ଉଠିଥିଲା ଆଉ ପଡିଥିଲା ।

୨୦୧୯ ନିର୍ବାଚନ କସରତ ଭିତରେ ଏଦିଗକୁ ମଧ୍ୟ ରାଜନୈତିକ ଦଳ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି । ଖାସ କରି ବିଜେଡି ଟିକେଟ ପାଇବା ପାଇଁ ଯେଉଁଭଳି ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି, ତାକୁ ଆଖି ଆଗରେ ରଖି କେହି ଯେମିତି ଏହାର ଫାଇଦା ନେବାକୁ ଉଦ୍ୟମ ନ’କରିବେ, ସେ ଉପରେ ଦଳ ତରଫରୁ ଧ୍ୟାନ ଦିଆଯାଉଥିବା ଜଣାପଡିଛି । ଖାସ୍ କରି ଲବି କିମ୍ବା ବାୟୋଡାଟା ଭଳି ଚିରାଚରିତ ଢଙ୍ଗକୁ ବାଦ୍ ଦେଇ ନୂଆ ଫର୍ମାଟରେ ବିଜେଡି ଟିକେଟ ଚୟନ ପ୍ରକ୍ରିୟା ଆଗକୁ ବଢାଉଥିବା କୁହାଯାଉଛି ।

ଏକାଧିକ ସ୍ତରରେ ଦଳ ତରଫରୁ କରାଯାଇଛି ସର୍ଭେ । ନିର୍ବାଚନ ମଣ୍ଡଳୀରେ କାହାର ଲୋକପ୍ରିୟତା କେତେ? କାହାକୁ ଟିକେଟ ମିଳିଲେ ଜିତିବାର ସମ୍ଭାବନା ଅଧିକ? କେଉଁ ନିର୍ବାଚନ ମଣ୍ଡଳୀରେ ସମୀକରଣ କିଭଳି ରହିବ? ଏହି ସମସ୍ତ ଦିଗକୁ ଗୁରୁତ୍ୱ ଦେଇ ହେଉଥିବା ସର୍ଭେ ରିପୋର୍ଟ ଦ୍ୱାରା ହିଁ ନିର୍ଣ୍ଣୟ କରାଯିବ, ବିଜେଡି ଟିକେଟ ପାଇବ କିଏ ।

କୁହାଯାଉଛି, ୨ ଜଣ ପ୍ରଭାବଶାଳୀଙ୍କୁ ଛାଡିଦେଲେ କାହା ଟିକେଟ କଟିବ ଆଉ କାହା ଟିକେଟ ରହିବ ସେନେଇ ଆଭାସ କାହା ପାଖରେ ନାହିଁ । ଯେଉଁ ସ୍ଥାନରେ ଏକାଧିକ ପ୍ରାର୍ଥୀଙ୍କୁ ନେଇ ରାଜନୈତିକ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି, ସେହି ସ୍ଥାନରେ ସ୍ଥିତି ସାମାନ୍ୟ କରିବାକୁ ରଣନୀତି ସହ ନେତାଙ୍କୁ ପଠାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ଟିକେଟ କାମ ସରିଥିବା କୁହାଯାଉଥିବା ବେଳେ ଏହାକୁ ନିଜେ ଦଳର ସୁପ୍ରିମୋ ଚୁଡାନ୍ତ ରୂପ ଦେବେ । ଯଦିଓ ଦଳ ଆଗରୁ ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବ, ହେଲେ ଘୋଷଣା କିନ୍ତୁ ବିଳମ୍ବରେ କରିବ ।

bjdବଡ କଥା ହେଉଛି, ଏବେବି ରାଜନୈତିକ ମୈଦାନରେ ବିଜେଡି ଟିକେଟଟିଏ ହାତେଇବାକୁ ଆଶାୟୀଙ୍କ ଲମ୍ବା ଲାଇନ ରହିଛି । ଯେନତେନ ପ୍ରକାରେ ଟିକେଟ ହାତେଇବାକୁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ ହେବା ସହ ଯଥାସମ୍ଭବ ଖର୍ଚ୍ଚ କରିବାକୁ ମଧ୍ୟ ଆଶାୟୀ ପ୍ରସ୍ତୁତ ଅଛନ୍ତି । ହେଲେ ଏହା ଉପରେ କିନ୍ତୁ ବିଜେଡିର କ୍ଷମତାଶାଳୀ ଗୋଷ୍ଠୀଙ୍କର ତୀକ୍ଷ୍ଣ ନଜର ରହିଛି ।

ସୂଚନା ଅନୁସାରେ, କେଉଁ ନେତା ନିଜ ନିର୍ବାଚନ ମଣ୍ଡଳୀରେ ନରହି ରାଜଧାନୀରେ ରହୁଛନ୍ତି, କିଏ କାହା ମାଧ୍ୟମରେ ନିଜ ପାଇଁ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି, ଅର୍ଥର ଲୋଭ ଦେଖାଇ ନିଷ୍ପତ୍ତିକୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉ ନାହିଁ ତ, ଏହି ସମସ୍ତ ଦିଗ ଉପରେ ବିଜେଡି ଅନ୍ଦର ମହଲର ତୀକ୍ଷ୍ଣ ନଜର ରହିଛି । ଲଗାତର ଭାବେ ରିପୋର୍ଟ ସଂଗ୍ରହ କରାଯାଉଛି, କେଉଁ ନେତା କାହା ମାଧ୍ୟମରେ ଲବି କରୁଛନ୍ତି ।

କୁହାଯାଉଛି, ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ବହୁ ପ୍ରାର୍ଥୀଙ୍କୁ ବଦଳାଇବ ବିଜେଡି । ଏଥିପାଇଁ ଜୋରଦାର କସରତ ଚାଲିଛି । ୫ ପର୍ଯ୍ୟାୟର ସର୍ଭେ ରିପୋର୍ଟ ରହିଛି ଦଳୀୟ ସୁପ୍ରିମୋଙ୍କ ପାଖରେ । କାହାକୁ କିଭଳି ସନ୍ତୁଷ୍ଟ କରାଯିବ ଆଉ କାହାକୁ କଣ ଆଶା ଦେଖାଯିବ, ସେନେଇ ଏବେ ରଣନୀତି ପ୍ରସ୍ତୁତ କରାଯାଉଛି । ବିଦ୍ରୋହୀ ପ୍ରାର୍ଥୀ ଯେମିତି ମୁଣ୍ଡ ନଟେକନ୍ତି ସେନେଇ ଧ୍ୟାନ ଦିଆଯାଉଛି । ଶେଷ ମୁହୁର୍ତ୍ତରେ ଦଳ ତରଫରୁ ଟିକେଟ ଘୋଷଣା କରାଯିବ ।

ମିଳୁଥିବା ସୂଚନା ଅନୁସାରେ, ବିଜେଡିଏଥର ଭିନ୍ନ ଢଙ୍ଗରେ େଗାଟି ଚାଳନା କରୁଛି । ବିଭିନ୍ନ କାରଣରୁ ବଦନାମ େହାଇଥିବା ୭୦ ପାଖାପାଖି େନତାଙ୍କର ତାଲିକା େହାଇଛି। କିଏ ନିର୍ବାଚନମଣ୍ଡଳୀରେ ବଦନାମ, ଆଉ କିଏ ବିଶୃଙ୍ଖଳ ଆଚରଣ ପାଇଁ ଲୋକଙ୍କର ଗ୍ରହଣୀୟତା ହରାଇଛନ୍ତି। କିଏ ଚିଟଫଣ୍ଡ ଜାଲରେ ଛନ୍ଦି େହାଇଛନ୍ତି, ଆଉ କିଏ କାଳେ ବିେଜଡି ଟିକେଟ୍ ମିଳିବନି, ଏମିତି ଆଶଙ୍କା କରି ବିେରାଧୀ େଗାଷ୍ଠୀରେ ବି େଗାଡ ରଖିଲେଣି। ଏସବୁ େନତାଙ୍କ ତାଲିକା ଆପାତତଃ ସରିଛି। ଆଉ ଏହାକୁ ବିଶ୍ଲେଷଣ କରାଯାଇ, ଟିକେଟ ତାଲିକାକୁ ଶେଷ ସ୍ପର୍ଶ ଦିଆଯାଉଥିବା ଜଣାପଡିଛି ।

୨୦୧୯ ନିର୍ବାଚନ ବୋଧହୁଏ ନବୀନଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ସଂଘର୍ଷପୂର୍ଣ୍ଣ ହେବ । କାରଣ ପଂଚାୟତ ନିର୍ବାଚନ ପରେ ବିଜେପି ଏଠି ଶକ୍ତି ବଢାଉଥିବା କୁହାଯାଉଛି ଆଉ କଂଗ୍ରେସ ପ୍ରତିଶ୍ରୁତିର ବର୍ଷା କରି କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଛି । ତେଣୁ ଟିକେଟ ଚୟନ ଏପଟ ସେପଟ ହେଲେ ଗଣିତ ବିଗିଡିଯିବାର ଆଶଙ୍କା କରୁଛନ୍ତି ଦଳୀୟ ସୁପ୍ରିମୋ ।

ଅନ୍ୟପକ୍ଷରେ କଂଗ୍ରେସର ଭାର ସମ୍ଭାଳୁ ସମ୍ଭାଳୁ ଟିକେଟ ଘୋଷଣା କରିବାକୁ ଅଂଟା ଭିଡିଥିବା ନିରଂଜନ ପଟ୍ଟନାୟକ କିନ୍ତୁ ଏଯାଏଁ ଗୋଟିଏ ବି ଟିକେଟ ଘୋଷଣା କରିପାରି ନାହାନ୍ତି । ଫେବୃୟାରୀ ଶେଷ ସୁଦ୍ଧା ଲୋକସଭା ଆସନ ପାଇଁ କଂଗ୍ରେସ କିଛି ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆଣିପାରେ ବୋଲି କୁହାଯିବା ପରେ ଏବେ ଦଳୀୟ ସ୍ତରରେ ମଧ୍ୟ ହଲଚଲ ଦେଖିବାକୁ ମିଳୁଛି । ୨୦୧୪ର ଯେଉଁ ଅପବାଦ ଦଳ ଦେହରେ ଲାଗିଥିଲା, ଏଥର ତାର ସମ୍ଭାବନା କମ ଥିବା ବେଳେ ଦଳ ସତର୍କ ନଜର ମଧ୍ୟ ରଖିଥିବା ଜଣାପଡୁଛି ।

ସେପଟେ ବିଜେପିର ଯଦିଓ କେନ୍ଦ୍ରୀୟ ନିର୍ବାଚନ କମିଟି ଟିକେଟ ନେଇ ଚୁଡାନ୍ତ ନିଷ୍ପତ୍ତି ନିଏ, ତଥାପି ରାଜ୍ୟ ସ୍ତରର ନେତାଙ୍କ ସୁପାରିଶର ବଡ ଭୂମିକା ଥାଏ । ଆଉ ଏହାରି ଭିତରେ ବିଜେପି ଭିତରେ ମଧ୍ୟ ପୁରୁଣା ଓ ନୂଆ ନେତା ସମୀକରଣ ଆଉ ସଂପର୍କରେ ତିକ୍ତତା ଦେଖିବାକୁ ମିଳୁଥିବାରୁ ବିଜେପି ପାଇଁ ମଧ୍ୟ ଟିକେଟ ଚୟନ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଅର୍ଥାତ୍ ୩ ଦଳ ପାଇଁ ନିର୍ବାଚନ ଲଢିବା ଆଗରୁ ଟିକେଟ ଚୟନର ଅଗ୍ନିପରୀକ୍ଷାକୁ ସାମ୍ନା କରିବାକୁ ପଡିବ ।