ନିର୍ବାଚନ ଘୋଷଣା ପରେ ନବୀନ ନିବାସରେ ଲାଗିଲା ନେତାଙ୍କ ଭିଡ ! ସୁପ୍ରିମୋଙ୍କ ପାଖରେ ଟିକେଟ୍ ପାଇଁ ଚାଲିଛି ଲବି ।

208

କନକ ବ୍ୟୁରୋ : ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ ଆରମ୍ଭ ହୋଇଗଲାଣି । ପୁଣି ଥରେ ସାଂସଦ ହେବାକୁ ମନ ବଳାଇଛନ୍ତି ଅନେକ ବରିଷ୍ଠ ନେତା । କିଛି ନେତା ନିଜ ଟିକେଟ୍ ପକ୍କା କରିବାକୁ ସୁପ୍ରିମୋଙ୍କ ପାଖରେ ଲବି କରିଛନ୍ତି । ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବାକୁ ନବୀନଙ୍କ ନିଷ୍ପତି ପରେ ଆଶାୟୀ ନେତ୍ରୀ ମଧ୍ୟ ନବୀନ ନିବାସରେ ପହଁଚିଛନ୍ତି । କିଛି ନେତା କହିଛନ୍ତି, ଲୋକସଭା ହେଉ କି ବିଧାନସଭା, ଯେଉଁ ଟିକେଟ୍ ମିଳିଲେ ବି ଲଢିବୁ ।

ନବୀନ ନିବାସରେ ନେତାଙ୍କ ଭିଡ଼ । ସୁପ୍ରିମୋଙ୍କ ପାଖରେ ଟିକେଟ୍ ଲବି । ନିର୍ବାଚନ ତାରିଖ ଘୋଷଣା ସହ ଆରମ୍ଭ ହୋଇଯାଇଛି ଟିକେଟ୍ ଲବି । ପୁଣି ଥରେ ଟିକେଟ୍ ପାଇବା ଆଶାରେ ନବୀନ ନିବାସରେ ଜମିଛି ନେତାଙ୍କ ଭିଡ । କିଏ ଲୋକସଭା ଟିକେଟ୍ ପାଇଁ ଲବି କରିଛି ତ ଆଉ କିଏ ମାଗିଛି ବିଧାନସଭା ଟିକେଟ୍ । କିଏ କିଏ ତ କହିଛି, ଯାହା ମିଳିଲେ ଚଳିବ, ଟିକେଟ୍ ଖଣ୍ଡିଏ ଦରକାର । ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ନେଇ ନବୀନଙ୍କ ଘୋଷଣା ପରେ ମହିଳା ନେତ୍ରୀଙ୍କ ମଧ୍ୟରେ ଟିକେଟ୍ ଆଶା ବଢିଯାଇଛି ।

ସୁପ୍ରିମୋଙ୍କ ଆଗରେ ନିଜ ନିର୍ବାଚନ ମଣ୍ଡଳୀରେ ୫ ବର୍ଷର ସଫଳତାର ହିସାବ ଦେଇଛନ୍ତି ନେତା । ପୁଣି କିଏ ମଜବୁତ୍ ସଂଗଠନ ଓ ଲୋକପ୍ରିୟତା ଆଧାରରେ ନିଶ୍ଚିତ ବିଜୟୀ ହେବାର ଦୃଢତା ଦେଖାଇ ଦ୍ୱିତୀୟ ଥର ସୁଯୋଗ ଦେବାକୁ ଲବି କରିଛି । ପ୍ରଥମ ଥର ପାଇଁ ସଂସଦ ଯିବାକୁ ମନ ବଳାଇଛନ୍ତି କିଛି ମହିଳା ନେତ୍ରୀ ।

ଆଉ ଏହାରି ଭିତରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, କାହାକୁ ଟିକେଟ୍ ମିଳିବ ? କିଏ ତାଲିକାରୁ କଟିବ ? ନୂଆ ମୁହଁ ଭାବେ ଏଥର କିଏ ହେବ ଉଭା ? ଟିକେଟ୍ ବାଂଟିବା ନେଇ ବିଜେଡି ଶିବିରରେ ଅଙ୍କ କଷା ଚାଲିଥିବା ବେଳେ ପୁଣି ଟିକେଟ୍ ପାଇବାକୁ ଆଶା ରଖିଛନ୍ତି ଅନେକ ନେତା । ନିଜ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ପ୍ରାର୍ଥୀ କରାଗଲେ ଅନ୍ୟ ଆସନରେ ଲଢିବାକୁ ବି କିଛି ନେତା ପ୍ରସ୍ତୁତ । ଗଣମାଧ୍ୟମରେ ନେତା ଯାହା ବି କୁହନ୍ତୁ ନା କାହିଁକି, ଟିକେଟ୍ ପାଇଁ କିନ୍ତୁ ଛାତି ଧଡପଡ ହେଲାଣି ।

ସେପଟେ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପାଇଁ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ କାମ ଚାଲିଛି ଏବଂ ଖୁବ ଶିଘ୍ର ନାଁ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଦଳ କଠିନ ପରିଶ୍ରମ କରୁଛି ଏବଂ ଆଗାମୀ ନିର୍ବାଚନରେ ପୁଣି ଥରେ ବିଜେଡି ସଫଳତା ହାସଲ କରିବ ବୋଲି ନବୀନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ।

Comments are closed.