ନବୀନ ନିବାସରେ ତୃତୀୟ ପର୍ଯ୍ୟାୟ ପାଇଁ କସରତ ! ଟିକେଟ ପାଇଁ ଲବି ଚଳାଇଛନ୍ତି ଆଶାୟୀ ପ୍ରାର୍ଥୀ, ଆଶା ଆଶଙ୍କାରେ ଉପକୂଳ ନେତା ।

306

କନକ ବ୍ୟୁରୋ : ପ୍ରଥମ ଦୁଇ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ହୋଇ ନାମାଙ୍କନ ସରିଲା । ଏବେ ପାଳି ତୃତୀୟ ପର୍ଯ୍ୟାୟର । ଏପ୍ରିଲ ୨୩ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ନିବାସରେ ଲାଗିଛି ନେତାଙ୍କ ଭିଡ । ସୁପ୍ରିମୋଙ୍କୁ ଭେଟି ନେତା କରୁଛନ୍ତି ଟିକେଟ୍ ଲବି ।

ନବୀନ ନିବାସରେ ତୃତୀୟ ପର୍ଯ୍ୟାୟ କସରତ । ଟିକେଟ୍ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲବି । ଟିକେଟ୍ ପାଇଁ ନବୀନ ନିବାସରେ ଉପକୂଳିଆ ନେତାଙ୍କ ଭିଡ । ସୁପ୍ରିମୋଙ୍କ ପାଖରେ ଲବି କରୁଛନ୍ତି ନେତା । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ ଭଳି ଉପକୂଳ ଅଂଚଳରେ ନିର୍ବାଚନ ଥିବାରୁ ନବୀନଙ୍କ ପାଖରେ ନେତା ପହଁଚିଛନ୍ତି ଟିକେଟ୍ ଆଶା ନେଇ । ମଙ୍ଗଳବାର ତୃତୀୟ ଥର ପାଇଁ ପହଁଚିଥିଲେ ବାବା ପ୍ରସନ୍ନ ପାଟଶାଣୀ । ସାଙ୍ଗରେ ଥିଲେ ପୁଅ । ହେଲେ ବାବା କହିଛନ୍ତି, ପୁଅ ନୁହେଁ ସେ ହିଁ ଟିକେଟ୍ ଆଶାୟୀ । ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବି ଦେଖିବାକୁ ମିଳିଥିଲା ନବୀନ ନିବାସରେ ।

ତେବେ ପ୍ରଶ୍ନ ଉଠୁଛି ଟିକେଟ୍ ମିଳିବ କାହାକୁ ? କାହାର କଟିବ ଟିକେଟ୍ ? ଟିକେଟକୁ ନେଇ ଆଶା ଆଶଙ୍କା ଓ ସମ୍ଭାବନା ଭିତରେ ନବୀନ ନିବାସ ଆଗରେ କର୍ମୀଙ୍କ ଭିତରେ ସଂଘର୍ଷ ବି ଦେଖିବାକୁ ମିଳିଛି । ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ବିରୋଧରେ ଏକାଠି ହୋଇଥିଲେ ବିରୋଧୀ ଗୋଷ୍ଠୀର ଶହ ଶହ କର୍ମୀ । ନାରାବାଜି କରିଥିଲେ ଏବଂ ପ୍ରମୋଦଙ୍କୁ ଟିକେଟ୍ ନଦେବାକୁ ଦାବି ଜଣାଇଥିଲେ ।

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବିରୋଧରେ ବି ନାରାବାଜି ଶୁଭିଥିଲା ନବୀନ ନିବାସ ସାମ୍ନାରେ । ନିଜେ ନଲଢି ପୁଅକୁ ବାଙ୍କୀ ଟିକେଟ୍ ମିଳିବ ବୋଲି ପ୍ରଭାତ ଘୋଷଣା କରିବା ପରେ ତେଜିଛି ରାଜନୀତି । ପ୍ରଭାତଙ୍କୁ ବିରୋଧ କରି ଏକାଠି ହୋଇଛନ୍ତି ବାଙ୍କୀର ବିରୋଧୀ ଗୋଷ୍ଠୀ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ଅନେକ ନୂଆ ମୁହଁଙ୍କୁ ସୁଯୋଗ ମିଳିବା ପରେ ଏବେ ଦାବିଦାରଙ୍କ ଭିତରେ ଛନକା ପଶିଛି । ଟିକେଟ୍ ନେଇ ଆଶା ଆଶଙ୍କାରେ ଅଛନ୍ତି ନେତା ।