୧୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଝଡପବନ ସହ ରହିଛି ବର୍ଷା ଓ ବଜ୍ରପାତର ଆଶଙ୍କା ।

214

କନକ ବ୍ୟୁରୋ : ଆଜି ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସାଟେଲାଇଟ୍ ଚିତ୍ର ଓ ଡପଲର ରାଡାର ସୂଚନାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଆଜି ଅପରାହ୍ନ ୩ ଟାରୁ ରାତି ୧୦ଟା ୩୦ ମଧ୍ୟରେ ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ । ଏଥି ସହ ଏହି ସମୟ ମଧ୍ୟରେ ଏହି ସମସ୍ତ ସ୍ଥାନରେ ପ୍ରବଳ ପବନ ସହ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ଜାରି ସତର୍କ ସୂଚନାରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଅନ୍ୟ ପକ୍ଷରେ ରାଜ୍ୟରେ ଆଜି ବି ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର, ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ଫଳରେ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପବନର ବେଗ ଅଧିକ ରହିବ । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ ଠାରେ ୪୨.୦ ଡିଗ୍ରି ସେଲସିୟସ୍ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୭.୮ ଡିଗ୍ରି ସେଲସିୟସ୍ ବାଲେଶ୍ୱର ଠାରେ ରେକର୍ଡ କରାଯାଇଥିଲା ।