ରୁୁମାଲ ନେଇଥିଲା ୯୩୧ ଜଣଙ୍କ ଜୀବନ ! ଜାଣନ୍ତୁ ସେହି ସଂଘାତିକ ଷଡ଼ଯନ୍ତ୍ର ରଚିଥିବା ବ୍ୟକ୍ତିଙ୍କୁ

90

ଆଉ କିଛି ଦିନ ପରେ ପରଦାକୁ ଆସିବ ଠଗସ୍ ଅଫ୍ ହିନ୍ଦୋସ୍ତାନ ଚଳଚ୍ଚିତ୍ର । ଯେଉଁଥିରେ ପୂର୍ବରୁ ଭାରତରେ କିପରି ଲୁଟେରା ବା ନୃଂଶସ ଗୁଣ୍ଡା ମାନଙ୍କର ରାଜ ଚାଲୁଥିଲା ତାହା ହୁଏତ ଦେଖିପାରିବେ ଦର୍ଶକ । କିନ୍ତୁ ରିୟଲ ଠଗସ୍ ଅଫ୍ ହିନ୍ଦୋସ୍ତାନର ଖଳନାୟକଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ସେହିଭଳି ଜଣେ ଭୟଙ୍କର ଲୁଟେରା ଥିଲା ବେହରାମ । ଲୁଟ କରିବା ବେହରାମର ମୁଖ୍ୟ ପେଶା ଥିଲା । ଆଉ ଲୁଟେରା ଗୋଷ୍ଠୀ ମଧ୍ୟରେ ବେହରାମ ସବୁଠୁ କ୍ରୁର ଓ ନୃଂଶସ ଲୁଟେରା ଥିଲା ।

ବେହରାମର ଜନ୍ମ ୧୭୬୫ ମସିହାରେ ହୋଇଥିଲା । ପୂରା ବିଶ୍ୱରେ କୁଖ୍ୟାତ ଲୁଟେରା ଭାବେ ବେହରାମର ନାଁ ଥିଲା । ଖାସକରି ବ୍ୟବସାୟୀ ମାନେ ବେହରାମର ମୁଖ୍ୟ ଟାର୍ଗେଟରେ ରହୁଥିଲେ । ଏପରିକି ଦିଲ୍ଲୀ ଠାରୁ ଆରମ୍ଭ କରି ଗ୍ୱାଲିୟର ଓ ଜବଲପୁର ଅଞ୍ଚଳ ବେହରାମର ଆତଙ୍କ ଥରିଉଠୁଥିଲା । ଭାରତରେ ମୋଗଲ ସାମ୍ରାଜ୍ୟର ପତନ ସହ ଆରମ୍ଭ ହୋଇଥିଲା ଲୁଟେରା ବେହରାମର ଆତଙ୍କ । ସେତେବେଳେ ଦେଶର ଅଧିକାଂଶ ସ୍ଥାନରେ ଇଷ୍ଟ ଇଣ୍ଡିଆ କମ୍ପାନିର ରାଜୁତି ଥିଲା । ତେବେ ଇଂରେଜ ମାନଙ୍କ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଥିଲା ଲୁଟେରା ବେହରାମର ଗ୍ୟାଙ୍ଗ । କାରଣ ଏହି ଗ୍ୟାଙ୍ଗ ଯୋଗୁଁ ହଜାର ହଜାର ଲୋକ ରହସ୍ୟମୟ ଭାବେ ଗାୟବ ହୋଇଯାଉଥିଲେ । ଏପରିକି ଇଷ୍ଟ ଇଣ୍ଡିଆ କମ୍ପାନିର ସିପାହୀ ମାନେ ମଧ୍ୟ ବେହରାମ ଗ୍ୟାଙ୍ଗ କବଳରୁ ରକ୍ଷା ପାଇନଥିଲେ । ଆଉ ଏଭଳି ସ୍ଥିତିରେ ଏହି ଗ୍ୟାଙ୍ଗକୁ ଧରିବାକୁ ଇଷ୍ଟ ଇଣ୍ଡିଆ କମ୍ପାନି ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ କରାଯାଇଥିଲା ।

୧୮୦୯ ମସିହାରେ ରହସ୍ୟମୟ ଭାବେ ଗାଏବ ହେଉଥିବା ଲୋକଙ୍କ ବିଷୟରେ ଜାଣିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନି ପକ୍ଷରୁ କ୍ୟାପଟେନ ୱିଲିୟମ ସ୍ଲିମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବେହରାମ ଗ୍ୟାଙ୍ଗ ଲୋକମାନଙ୍କୁ ରହସ୍ୟମୟ ଭାବେ ଗାଏବ କରୁଥିବା ସ୍ଲିମ୍ୟାନ ଜାଣିବା ପରେ ତାଙ୍କୁ ଧରିବା ପାଇଁ ଯନ୍ତା ବିଛାଇଥିଲେ । ଖାସକରି ଉତ୍ତର ଭାରତର ଜବଲପୁର ଓ ଗ୍ୱାଲିୟର ଆଖପାଖ ଅଞ୍ଚଳରେ ଯେଉଁଠାରେ ବେହରାମ ଗ୍ୟାଙ୍ଗ ସକ୍ରିୟ ଥିଲା ସେହିଠାରୁ ଆରମ୍ଭ ହୋଇଥିଲା ଅପରେସନ । ଏହି ଦୁଇଟି ଅଞ୍ଚଳ ଦେଇ ଲୋକମାନେ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ ଯାତ୍ରା କରୁଥିଲେ । ତେଣୁ ଏହି ଅଞ୍ଚଳରେ ହିଁ ଲୋକମାନଙ୍କୁ ଲୁଟ୍ କରୁଥିଲେ ବେହରାମ ଗ୍ୟାଙ୍ଗ । ତେଣୁ ପ୍ରଥମେ ଗ୍ୱାଲିଅରରୁ ଜବଲପୁର ମଧ୍ୟରେ ରାସ୍ତା କଡରେ ଥିବା ଜଙ୍ଗଲ ସଫା କରିଥିଲେ ସ୍ଲିମ୍ୟାନ । ଏହାପରେ ଗୁପ୍ତଚର ମାନଙ୍କୁ ଲଗାଇ ବେହରାମ ଗ୍ୟାଙ୍ଗର ସଦସ୍ୟ ମାନେ କଥା ହେଉଥିବା ଭାଷା ବୁଝିବାକୁ ଚେଷ୍ଟା କରିଥିଲେ । ବେହରାମ ଗ୍ୟାଙ୍ଗର ସଦସ୍ୟ ମାନେ ମୁଖ୍ୟତଃ ରାମୋସି ଭାଷାରେ କଥା ହେଉଥିଲେ । ଯାହା ସମ୍ପୂର୍ଣ୍ଣ ଭାବେ ସାଙ୍କେତିକ ଭାଷା । ଯେଉଁ ଭାଷା ଲୁଟେରା ମାନେ ଶିକାର ଶେଷ କରିବା ସମୟରେ ହିଁ ବ୍ୟବହାର କରୁଥିଲେ ।

୧୮୪୦ ପର୍ଯ୍ୟନ୍ତ ବେହରାମ ଗ୍ୟାଙ୍ଗର ଆତଙ୍କ ପୂରା ଅଞ୍ଚଳରେ ଦେଖିବାକୁ ମିଳିଥିଲା । ବେହରାମ ଟଙ୍କା ପାଇଁ ଲୋକଙ୍କୁ ଟାର୍ଗେଟ କରୁଥିଲା ଓ ତାର ପ୍ରମୁଖ ଅସ୍ତ୍ର ଥିଲା ହଳଦିଆ ରଙ୍ଗର ରୁମାଲ । ବେହରାମ ଜଣେ କି ଦୁଇ ଜଣ ନୁହେଁ ବରଂ ୯୩୧ ଜଣଙ୍କୁ ହତ୍ୟା କରିଥିଲା । ଯେହେତୁ ବେହରାମକୁ ଲୋକଙ୍କୁ ରକ୍ତାକ୍ତ କରି ମାରିବାକୁ ପସନ୍ଦ ନଥିଲା ତେଣୁ ରୁମାଲରେ ତଣ୍ଟି ଚିପି ଲୋକଙ୍କୁ ହତ୍ୟା କରୁଥିଲା ବେହରାମ । ଏହି ଗ୍ୟାଙ୍ଗରେ ୨୦୦ରୁ ଅଧିକ ସଦସ୍ୟ ରହିଥିଲେ । ତେବେ ଏହି ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ପୋଲିସ ଅସମର୍ଥ ହେଉଥିଲା କାରଣ, ଏହି ଗ୍ୟାଙ୍ଗର ଅଧିକାଂଶ ସଦସ୍ୟ ଚାଷ କାମ କରୁଥିଲେ । ତେବେ ଚାଷ କାମ ନଥିଲେ ଏମାନ ଲୁଟ୍ କରିବାକୁ ବେହରାମ ଗ୍ୟାଙ୍ଗରେ ସାମିଲ ହେଉଥିଲେ ଓ ଚାଷ କାମ ଆରମ୍ଭ ସମୟରେ ପୁଣିଥରେ ଘରକୁ ଫେରୁଥିଲେ ।

ତେବେ ସମସ୍ତଙ୍କୁ ଚକମା ଦେଇ ଖସି ଆସୁଥିବା ବେହରାମଙ୍କୁ ଦାୟିତ୍ୱ ନେବାର ୧୦ ବର୍ଷ ପରେ ୭୫ ବର୍ଷ ବୟସରେ ଗିରଫ କରିଥିଲେ ୱିଲୟମ ସ୍ଲିମ୍ୟାନ । ଆଉ ବେହରାମଙ୍କ ଗିରଫ ସହ ରହସ୍ୟଜନକ ଭାବେ ଗାଏବ ହୋଇଯାଉଥିବା ଲୋକଙ୍କ ରହସ୍ୟ ଉପରୁ ପରଦା ଉଠିଥିଲା । ବେହରାମର କହିବା ଅନୁଯାୟୀ, ସେ ବ୍ୟବସାୟୀଙ୍କ ବେଶ ଧରି ଲୋକଙ୍କୁ ଟାର୍ଗେଟ କରୁଥିଲା । ଗ୍ୟାଙ୍ଗର ସଦସ୍ୟ ମାନେ ଲୋକଙ୍କୁ ଲୁଟ୍ କରିବା ସହ ରୁମାଲ ମାଧ୍ୟମରେ ତଣ୍ଟି ଚିପି ହତ୍ୟା କରୁଥିଲେ । ଏପରିକି ବେହରମ ନିଜେ ରୁମାଲରେ ୧୫୦ରୁ ଅଧିକ ଲୋକଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଲୋକଙ୍କୁ ହତ୍ୟା କରିବା ପରେ ମୃତଶରୀର ଗୁଡିକୁ ମାଟି ତଳେ ପୋତି ଦିଆଯାଉଥିଲା ନଚେତ୍ ପାଖରେ ଥିବା କୌଣସି ପରିତ୍ୟକ୍ତ କୂଅ ମଧ୍ୟରେ ଫିଙ୍ଗି ଦିଆଯାଉଥିଲା । ବେଳେବେଳେ କିଛି ମୃତଦେହକୁ ନଦୀ ମଧ୍ୟକୁ ଫୋପାଡି ଦେଉଥିଲେ ବେହରାମ ଗ୍ୟାଙ୍ଗର ସଦସ୍ୟ । ଯାହା ଫଳରେ କୌଣସି ବ୍ୟକ୍ତିଙ୍କର ମୃତଦେହ ମିଳୁନଥିଲା ।

ତେବେ ୧୮୪୦ ମସିହାରେ ବେହରାମ ଗ୍ୟାଙ୍ଗର ପର୍ଦ୍ଦାଫାଶ ହେବା ପରେ ତାଙ୍କୁ ଫାଶୀ ଦିଆଯାଇଥିଲା । ଏହାସହ ବେହରାମ ଗ୍ୟାଙ୍ଗ ସହ ଜଡିତ ଅନ୍ୟ ୧୪୦୦ ଜଣଙ୍କୁ ମଧ୍ୟ ଫାଶି ଦିଆଯାଇଥିଲା । ଯେଉଁ ଗଛରେ ଏମାନଙ୍କୁ ଫାଶି ଦିଆଯାଇଥିଲା ସେହି ଗଛ ଏବେ ପର୍ଯ୍ୟନ୍ତ ଜବଲପୁରରେ ରହିଛି । ସେହିଭଳି ବେହରାମ ଯେଉଁ ରୁମାଲରେ ଲୋକଙ୍କୁ ହତ୍ୟା କରୁଥିଲା ସେହି ରୁମାଲ ଏବେ ପର୍ଯ୍ୟନ୍ତ ୱିଲୟମ ସ୍ଲିମ୍ୟାନଙ୍କ ବଂଶଜଙ୍କ ନିକଟରେ ରହିଛି ।