ବାଘ ଛୁଆ ଉପରେ ମାଡିଗଲା ଟ୍ରେନ୍ : ଚକାତଳେ ଚାଲିଗଲା ତିନିଟି ଛୁଆ ବାଘର ଜୀବନ

କେଲଝର ଷ୍ଟେସନ ମଝିରୁ ଟ୍ରେନ ଲାଇନରୁ ଉଦ୍ଧାର ହେଲା ମୃତ ଦେହ

208

କନକ ବ୍ୟୁରୋ : ବାଘ ଛୁଆଙ୍କ ଉପରେ ମାଡିଗଲା ଟ୍ରେନ । ମହାରାଷ୍ଟ୍ରରେ ଚନ୍ଦା ଫୋର୍ଟ-ଗନ୍ଦିଆ ସେକ୍ସନର କେଲଝର ଷ୍ଟେସନ ମଝିରେ ପାସେଞ୍ଜର ଟ୍ରେନ୍ ମାଡିଯାଇ ଚକା ତଳେ ୩ଟି ବାଘ ଛୁଆଙ୍କର ମୃତ୍ୟୁ ହୋଇଛି । ଚିଚପାଲି ବନଖଣ୍ଡଠାରୁ ପ୍ରାୟ ୧୫ କିମି. ଦୂରରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟିବା ପରେ ୨ଟି ବାଘ ଛୁଆଙ୍କର ମୃତ ଦେହ ଟ୍ରେନ୍ ଲାଇନରୁ ଉଦ୍ଧାର କରାଯାଇଛି । ୫୦୦ଶହ ମିଟର ଦୂରରୁ ଆଉ ଗୋଟିଏ ଛୁଆର ମୃତ ଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରପୁର ଜିଲ୍ଳା ଅନ୍ତର୍ଗତ ଜୁନୋନା ଜଙ୍ଗଲ ତଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଏହି ବାଘ ଛୁଆ ଟ୍ରେନ ଲାଇନକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଏମାନଙ୍କ ବୟସ ପ୍ରାୟ ୬ମାସ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ମା ବାଘୁଣୀର ପଛେ ପଛେ ୩ଟି ଛୁଆ ଟ୍ରେନ୍ ଲାଇନ୍ ପାର କରିବାବେଳେ ମାଡି ଯାଇଥିଲା ଟ୍ରେନ୍ । ଟ୍ରେନ ଚାଳକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ରେଳ କର୍ତ୍ତୃପକ୍ଷ ବନବିଭାଗକୁ ସୂଚନା ଦେଇଥିଲା । ଏମାନଙ୍କର ପୋଷ୍ଟମର୍ଟମ କରାଯାଇଛି । ଏକାଧିକ ଖଣ୍ଡିଆଖାବରା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି ।

ସେପଟେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ସାତକୋଶିଆକୁ ଆସିଥିବା ବାଘ ମହାବୀରର ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ତନାଘନା । ମହାବୀରକୁ ମାରିଲା କିଏ? ଏଥିପାଇଁ କିଏ ଦାୟୀ? ସେ ନେଇ ସବୁ ସ୍ତରରେ ତନାଘନା ଆରମ୍ଭ ହୋଇଛି । ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଆଜି ଏନଟିସିଏର ଏକ ଟିମ୍ ଏହି ଘଟଣାର ତଦନ୍ତ କରିବାକୁ ଓଡିଶା ଆସିବେ । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ମନ୍ତ୍ରୀ ଓ ସଚିବଙ୍କୁ ଡାକି ଆଲୋଚନା କରିଛନ୍ତି । ସେହିପରି ବାଘ ମୃତ୍ୟୁର କାରଣ ଖୋଜିବାରେ ଲାଗିପଡିଛି ବନବିଭାଗ । ଗତକାଲି ୩ଜଣ ଡାକ୍ତରଙ୍କ ସମେତ, ଏନଟିସିଏ ପ୍ରତିନିଧି, ଫିଲ୍ଡ ଡାଇରେକ୍ଟର ଓ ୨ଜଣ ଡିଏଫଓଙ୍କ ଉପସ୍ଥି୍ତିରେ ବାଘର ଶବ ବ୍ୟବଛେଦ ହୋଇଛି । ଶବ ବ୍ୟବଛେଦ ପରେ ବାଘକୁ ପୋଡି ଦିଆଯାଇଛି । ବାଘ ବେକରେ ଘା’ ଯୋଗୁଁ ମହାବୀରର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପିସିସିଏଫ୍ କହିଛନ୍ତି । ଜୁନ୍ ୨୧ରେ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିିବା ମହାବଳ ମହାବୀରର ବୁଧବାର ଦିନ ରାତିରେ ମୃତ୍ୟୁ ହୋଇଥିଲା ।