ଆଜି ସିଂହଦ୍ଵାର ଚକଡ଼ାକୁ ଯିବ ରଥ : ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସିଂହଦ୍ଵାର ଚକଡ଼ାକୁ ଯିବ ତିନି ରଥ

109

କନକ ବ୍ୟୁରୋ: ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଏହା ଭିତରେ ଶେଷ ହୋଇଥିବା ବେଳେ ରଥଖଳା ଚାଳି ଭଙ୍ଗା ସରିବା ସହ ରଥ ଉପର କାମ ମଧ୍ୟ ସରିଛି । ବୁଧବାର ଦିନ ତିନି ରଥରେ କଳସ, ଓଲଟ ଶୁଆ ଓ ଦୁଆର ବେଢ଼ା କନା ଲାଗିବା ପରେ ଗତକାଲି ପ୍ରଭା ସଂଯୋଗ କରାଯାଇଛି। ମହାରଣା ସେବକ ଓ ଭୋଇ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ତିନି ଠାକୁରଙ୍କ ଶୋଭାବର୍ଦ୍ଧନ ପାଇଁ ସିଂହାସନରେ ପ୍ରଭା ସଂଯୋଗ କରାଯାଇଥାଏ। ଏହା ଉପରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥଯାତ୍ରା କରିଥାନ୍ତି। ତିନି ରଥର ସିଂହାସନ ଚକ ଉପରେ ତିନି ଠାକୁର ବିଜେ କରିଥାନ୍ତି। ତିନି ରଥରେ ପ୍ରଭା ପ୍ରମୁଖ ତଥା ଶେଷ କାମ ଭାବେ ପରିଗଣିତ ହେଉଥିବା ବେଳେ ଗତକାଲି ଏହି କାମ ଶେଷ ହୋଇଛି।

ସେପଟେ ତିନି ରଥରେ ଠେକରା ବାଡ଼ିଆ କାମ ବି ଶେଷ ହୋଇଛି। ତିନି ରଥରେ ଗତକାଲି ସଖୀ ସଂଯୋଗ କରାଯାଇଛି। ଗତକାଲି ରାତିରେ ତିନି ରଥରେ ଦରଜୀ ସେବକମାନେ କନା ଲଗାଇଛନ୍ତି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରା ଦର୍ପଦଳନ ରଥରେ କନା ସଂଯୋଗ ପରେ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ କନା ଲାଗିଛି। ଆଜି ତିନି ରଥ ସିଂହଦ୍ଵାର ସମ୍ମୁଖ ଚକଡ଼ାକୁ ଯିବେ।

ବିଧି ମୁତାବକ, ସର୍ବାଙ୍ଗ ସହ ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ ସରିବା ପରେ ଅପରାହ୍ନ ୪ଟା ୧୦ରେ ରଥକୁ ଆଜ୍ଞାମାଳ ବିଜେ କରିବ। ମହାପ୍ରଭୁଙ୍କର ଏହି ଅନୁମତି ମିଳିବା ପରେ ତିନି ରଥ ରଥଖଳାରୁ ସିଂହଦ୍ଵାରରେ ଥିବା ରଥ ଚକଡ଼ାକୁ ଯିବ। ପରେ ତିନି ରଥ ଚକଡ଼ାକୁ ନିଆଯିବ। ପରେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ବାହୁଟକଣ୍ଟ ହେବା ସହ ମଧ୍ୟରାତ୍ରରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ହେବ।