ଖଣିରେ ତାଲା, ଜୀବନ ଯନ୍ତ୍ରଣା ବଢିଲା ! ଗ୍ରାଉଣ୍ଡ ଜିରୋର ସତ, ବଢିଛି ବେକାରି

26

କନକ ବ୍ୟୁରୋ : ବେଆଇନ ଖଣି ଉତୋଳନ ପାଇଁ ଜୋରିମାନା ନଦେବା କାରଣରୁ ରାଜ୍ୟ ସରକାର ୬ଟି ଖଣିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି ୬ଟି ଖଣି ମଧ୍ୟରୁ ୩ଟି ଖଣି ରହିଛି କେବଳ ଯୋଡ଼ା ମଣ୍ଡଳରେ । ଖଣି ଖନନ କରି ମାଲିକ ସିନା ମାଲେମାଲ ହେଲେ, ଏବେ ଖଣି ବନ୍ଦ ହୋଇଥିବା ପରେ କେମିତି ଅଛି ସାଧାରଣ ଲୋକଙ୍କ ଅବସ୍ଥା । ଏହାର ସ୍ଥିତି ପରଖିଥିଲା କନକ ନ୍ୟୁଜ ।

vlcsnap-2018-01-05-21h37m07s545ଖଣି ମାଲିକ ମାଲାମାଲ, ସାଧାରଣ ଲୋକ ବେହାଲ । ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଛକରେ ଆଲୋଚନା । ଖଣି ବନ୍ଦ ହେଇଯିବା ପରେ ଜୀବନ ଜୀବିକା ନେଇ ସନ୍ଦେହରେ ଖଣି ଉପରେ ନିର୍ଭର କରୁଥିବା ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଜୋଡା ଅଂଚଳରେ ଥିବା ରୋଇଡା ଗ୍ରାମର ଅଧିକାଂଶ ଲୋକ ଖଣି ଉପରେ ନିର୍ଭରଶୀଳ । ବଞ୍ଚିବା ପାଇଁ ନିକଟରେ ଥିବା ମେସ୍କୋ ଓ ଆଇଡିସିର ଖଣି ଥିଲା ଭରସା । ହେଲେ ଖଣି ବନ୍ଦ ହେବାପରେ ନିଜ ଭାଗ୍ୟ ଭବିଷ୍ୟତକୁ ନେଇ ଏମାନେ ସନ୍ଦୀହାନ ।

ଖଣି ବନ୍ଦ ହେବାପରେ ଖଣିଜ ଦ୍ରବ୍ୟ ପରିବହନ କାର୍ଯ୍ୟ କରୁଥିବା ଟ୍ରକ ମାଲିକ ମଧ୍ୟ ଏବେ ହତାଶ । କେବଳ ଟ୍ରକ ମାଲିକ ନୁହେଁ ପରିବହନ ଶିଳ୍ପ ସହ ଜଡିତ ଡ୍ରାଇଭର୍, ହେଲପରଙ୍କ ପ୍ରାୟ ୩୦ ହଜାର ପରିବାରଙ୍କ ଭବିଷ୍ୟତ ଏବେ ଅନ୍ଧାର ଘେରକୁ ଠେଲି ହୋଇଯାଇଛି । ଋଣ କରି ଟ୍ରକ କିଣିଥିବା ମାଲିକ ମାନେ ଏବେ ଋଣ କିପରି ସୁଝିବେ ତାକୁ ନେଇ ଦ୍ୱନ୍ଦରେ ।

ଖଣି ମାଲିକ ବେଆଇନ ଖଣି ଲୁଟ୍ କରି କୋଟି କୋଟି ଟଙ୍କା ହଡପ କଲେ । ସରକାରୀ କଳ ମଧ୍ୟ ଏଥିରେ ସମ୍ପୃକ୍ତ ଥିବାର ଅଭିଯୋଗ ଆସିଲା । କିନ୍ତୁ ଜୀବିକା ହରାଇଲେ ଖଣି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭର କରୁଥିବା ସ୍ଥାନୀୟ ଜନସାଧାରଣ । ଏବେ ଆଗାମୀ ଶୁଣାଣିରେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରିଛନ୍ତି ଅଂଚଳବାସୀ । ଖଣି ଚାଲିଲେ କାମ ପାଇବେ, ନଚେତ ଏକ ଅନିଶ୍ଚିତ ଭବିଷ୍ୟତ ସେମାନଙ୍କୁ ଅଡୁଆରେ ପକାଇପାରେ ।