ବନ୍ଧୁତା ଦିବସରେ ଆସିଲା ଦୁଃଖଦ ଖବର: ଫ୍ରେଣ୍ଡସିପ୍ ଡେ ପାଳିବା ପୂର୍ବରୁ ଗାଡି ଧକ୍କାରେ ଚାଲିଗଲା ୩ବନ୍ଧୁଙ୍କ ଜୀବନ

40

କନକ ବ୍ୟୁରୋ: ଆଜି ହେଉଛି ବନ୍ଧୁତ୍ୱର ଦିବସ । ବନ୍ଧୁ ପାଇଁ ଦିନଟିଏ । ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ ପିନ୍ଧାଇ ପରସ୍ପରକୁ ଆଲିଙ୍ଗନ କରି ବନ୍ଧୁତ୍ୱର ପରିଭାଷାକୁ ଜଣାଇଥାନ୍ତି । ଏହି ଖାସ୍ ଦିନଟିକୁ ଆହୁରୀ ବି ଖାସ୍ କରିବାକୁ ବି ଲୋକେ ପଛାଇନଥାନ୍ତି । କେହି ଏକାଠି ହୋଇ ବୁଲିବାକୁ ଯାଆନ୍ତି ତ ପୁଣି କେହି ଏକାଠି ହୋଇ ବଣଭୋଜି କରି ଏହି ଦିନଟିକୁ ସେଲିବ୍ରେଟ କରିଥାନ୍ତି କିନ୍ତୁ ସମସ୍ତଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଲା ବନ୍ଧୁଙ୍କ ପାଇଁ ଗୋଟିଏ ଦିନ । ଏହି ଗୋଟିଏ ଦିନରେ ପୁରୁଣ ରାଗରୁସାକୁ ଭୁଲିଯାଇ ପରସ୍ପରକୁ ଆଲିଙ୍ଗନ କରି ଏହି ସଂପର୍କକୁ ଆଉ ଗୋଟିଏ ସୁଯୋଗ ଦେବାକୁ ସମସ୍ତେ ଚାହିଁଥାନ୍ତି । ହେଲେ କିଏ ଜାଣିଥିଲା ଏହି ଦିନଟି କାହାପାଇଁ କାଳ ହୋଇଯିବ ବୋଲି । ଆଜିର ଦିନରେ ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ବଲାଙ୍ଗିରର ମାଲପଡା ଅଂଚଳରେ । ଯେଉଁଠି ପିଲାବେଳର ତିନିଜଣ ବନ୍ଧୁଙ୍କର ସଡକ ଦୁର୍ଘଟଣାରେ ଜୀବନ ଦୀପ ଲିଭିଯାଇଛି ।

ବଲାଙ୍ଗିରର ମାଲପଡା ଅଂଚଳରେ ରହୁଥିବା ଲଲିତ କର, ଅଚ୍ୟୁତ ବଗର୍ତ୍ତି ଏବଂ ରାଜେଶ ବାଗ ହେଉଛନ୍ତି ଘନିଷ୍ଠ ବନ୍ଧୁ । ପିଲାଟି ଦିନରୁ ଏମାନେ ସମସ୍ତେ ଏକାଠି ପାଠପଢିବା ସହିତ ସବୁକାମ ଏକାଠି ମିଶି କରୁଥିଲେ । ଆଉ ପ୍ରତିବର୍ଷ ମଧ୍ୟ ବନ୍ଧୁତ୍ୱର ଦିବସଟିକୁ ନିଆରା ଢଙ୍ଗରେ ପାଳନ କରୁଥିଲେ । ଏଥରକ ବି ଏଭଳି କିଛି ଯୋଜନା କରିଥିଲେ ଲଲିତ, ଅଚ୍ୟୁତ ଏବଂ ରାଜେଶ । ହେଲେ ସେମାନଙ୍କୁ କଣ ଜଣା ଥିଲା କି ଗତରାତିର ସେଇ କାଳ ମୁହୂର୍ତ୍ତ ସେମାନଙ୍କ ବନ୍ଧୁତ୍ୱରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ଟାଣିଦେବ ବୋଲି । ଗତକାଲି କୌଣସି ଏକ କାମରେ ସାଥିହୋଇ ତିନି ବନ୍ଧୁ ବାଇକରେ ବସି ବଜାର ଯାଇଥିଲେ ଏବଂ ଫେରୁ ଫେରୁ ବହୁତ ବିଳମ୍ବ ହୋଇଯାଇଥିଲା । ଫେରୁଥିବା ସମୟରେ ନିଛାଟିଆ ରାସ୍ତାରେ ସେମାନଙ୍କୁ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା ଆଉ ଘଟଣାସ୍ଥଳରେ ହିଁ ଏକାବେଳେ ତିନି ବନ୍ଧୁଙ୍କ ଜୀବନ ଦୀପ ଲିଭିଯାଇଥିଲା । ତିନିବନ୍ଧୁଙ୍କର ସବୁ ଆଶା ଓ ସ୍ୱପ୍ନ ଜୁଇର ନିଆଁରେ ସବୁଦିନ ପାଇଁ ଜଳିଗଲା ।

ଗତକାଲି ରାତି ପ୍ରାୟ ସାଢେ ୧୨ଟା ସମୟରେ ତିନି ଜଣ ଯାକ ବନ୍ଧୁ ବାଇକରେ ଘରକୁ ଫେରୁଥିବା ସମୟରେ ବଲାଙ୍ଗୀର ପୁଇନ୍ତଳା ସାତମାଇଲ ନିକଟରେ ଅଜଣା ଗାଡି ଧକ୍କାରେ ୩ ବନ୍ଧୁଙ୍କର ଅକାଳ ବିୟୋଗ ଘଟିଛି । ଆଜି ଭୋରୁ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।