ପଦାରେ ପଡିଲା ଉପାନ୍ତ ଅଞ୍ଚଳର ହୁଗୁଳା ସ୍ୱାସ୍ଥ୍ୟସେବା ! ସରକାରୀ ଡାକ୍ତରଖାନାରେ ଉଚିତ ସୁବିଧା ନପାଇ ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପଟ୍ଟନାୟକ ପରିବାର

ମାଲକାନଗିରିରେ ବାପାଙ୍କ ଶବ କାନ୍ଧେଇବା ସହ ମୁଖାଗ୍ନି ଦେଇ ଚର୍ଚ୍ଚା ସାଉଁଣ୍ଟିଛନ୍ତି ତିନି ଉଉଣୀ

170

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ତିନି ଉଉଣୀ ନିଜ ବାପାଙ୍କ ଶବ କାନ୍ଧେଇ ଆଜିକାର ରକ୍ଷଣଶୀଳ ସମାଜକୁ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହାକୁ ନେଇ ଚାରିଆଡେ ଚର୍ଚ୍ଚା । ଏହାରି ଭିତରେ ବାପାଙ୍କ ମୃତ୍ୟୁ ପଛର କାରଣ ସେମାନଙ୍କ ମନକୁ ଆନ୍ଦୋଳିତ କରୁଛି । ସରକାରୀ ଡାକ୍ତରଖାନାରେ ଉଚିତ ସ୍ୱାସ୍ଥ୍ୟସେବା ନପାଇ ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପଟ୍ଟନାୟକ ପରିବାର । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି କୋରପୁଟ ମେଡିକାଲ କଲେଜ, ସବୁଠି ଚିକିତ୍ସାରେ ଚରମ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଝିଅ । ଏମିତି କି ବାପାଙ୍କୁ ଚିକିତ୍ସା ପାଇଁ ମାଲକାନଗିରିରୁ କୋରାପୁଟ ନେବା ପାଇଁ ମିଳିନଥିଲା ମାଗଣା ଆମ୍ବୁଲାନ୍ସ କି ମୃତ୍ୟୁ ପରେ ଶବ ଆଣିବା ପାଇଁ କୋରାପୁଟ ମେଡିକାଲ କଲେଜରେ ମିଳିନଥିବା ମହାପ୍ରାୟଣ ସେବା ।

ମାଲକାନଗିରିର ଯେଉଁ ଝିଅ ବାପାଙ୍କ ଶବ କାନ୍ଧେଇ ଚର୍ଚ୍ଚା ସାଉଁଣ୍ଟିଛନ୍ତି ସେମାନଙ୍କ ଅଭିଯୋଗ ଉପାନ୍ତ ଅଂଚଳର ହୁଗୁଳା ସ୍ୱାସ୍ଥ୍ୟସେବାକୁ ପଦାରେ ପକାଇଛି । ଭାଇ ନଥିବାରୁ ୩ ଝିଅ ସଙ୍ଗିତା, ସ୍ମିତା ଓ ସଶ୍ମିତା ବାପା ସୁକାନ୍ତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର କରି ରକ୍ଷଣଶୀଳ ସମାଜକୁ ପରିବର୍ତ୍ତନର ବାର୍ତ୍ତା ଦେଇଥିଲେ । ବାପାଙ୍କ କ୍ରୀୟାକର୍ମ କରି ଯେତେ ଗର୍ବିତ, ବାପାଙ୍କୁ ଡାକ୍ତରଖାନାରୁ ସୁସ୍ଥ କରି ଫେରାଇ ନପାରି ସେତିକି ଦୁଃଖିତ । ସେମାନଙ୍କ ଅଭିଯୋଗ ଅନୁସାରେ, ଗତ ୧୭ ତାରିଖ ଦିନ ସୁକାନ୍ତ ପଟ୍ଟନାୟକ ଅସୁସ୍ଥ ଅବସ୍ଥାରେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଡାକ୍ତର କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ହେଲେ ରୋଗୀଙ୍କୁ କୋରାପୁଟ ନେବା ପାଇଁ ପରିବାରକୁ ମିଳିନଥିଲା ମାଗଣା ଆମ୍ବୁଲାନ୍ସ । ବାପାଙ୍କୁ ସ୍ଥାନାନ୍ତର ପାଇଁ ୧୦୮ ଲେଖା ଥିବା ଆମ୍ବୁଲାନ୍ସକୁ ୪ ହଜାର ଟଙ୍କା ଦେଇଥିଲେ ମୃତକଙ୍କ ଝିଅ ।

ମାଲକାନଗିରିରେ ତ ଠିକ୍ ସ୍ୱାସ୍ଥ୍ୟସେବା ମିଳିନଥିଲା, କୋରାପୁଟ ମେଡିକାଲ କଲେଜରେ ମଧ୍ୟ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଝିଅ । ରୋଗୀ ଗୁରୁତର ଥିବା କହି ଆଡମିଶନ କରାଇ ଦେଲେ, ହେଲେ ଦିନ ୯ଟାରେ ଚିକିତ୍ସା ଆରମ୍ଭ ହେବ କହି ଡାକ୍ତର ଚାଲିଗଲେ । ପରେ ପ୍ରାଥମିକ ଚିକିତ୍ସା ପାଇଁ ଲେଖା ହୋଇଥିବା ଇଂଜେକ୍ସନ ଓ ସାଲାଇନ୍ ନିରାମୟ କେନ୍ଦ୍ରରେ ନମିଳିବାରୁ ବାହାରୁ କିଣିଥିଲେ ସୁକାନ୍ତଙ୍କ ଝିଅ । କିନ୍ତୁ ଝିଅମାନଙ୍କ ସବୁ ଚେଷ୍ଟା ବାପାଙ୍କ ମୃତ୍ୟୁ ପରେ ହାର ମାନିଥିଲା । ମୃତ୍ୟୁ ପରେ ଶବକୁ କୋରାପୁଟରୁ ମାଲକାନଗିରି ଆଣିବା ପାଇଁ ମୃତକଙ୍କ ପରିବାରକୁ ମିଳିନଥିଲା ମହାପ୍ରୟାଣ ଯୋଜନା । ମାଗଣା ଆମ୍ବୁଲାନ୍ସ ନମିଳିବାରୁ ୬ ହଜାର ଟଙ୍କା ଦେଇ ଘରୋଇ ଆମ୍ବୁଲାନ୍ସରେ ବାପାଙ୍କ ଶବକୁ ମାଲକାନଗିରି ଆଣିଥିଲେ ପରିବାର ।

ନିକଟରେ ମାଲକାନଗିରି ଡାକ୍ତରଖାନାରେ ଜିଲ୍ଲାପାଳ ନିଜ ସ୍ତ୍ରୀଙ୍କ ପ୍ରସବ କରାଇ ସୁସ୍ଥ ସରକାରୀ ସୁସ୍ଥ୍ୟ ସେବାର ବାର୍ତ୍ତା ଦେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସୁକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଝିଅଙ୍କ ଅଭିଯୋଗ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବାର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛି ।