ସାଧାରଣ ଲୋକଙ୍କ ସେବା ନୁହେଁ ଭିଆଇପିଙ୍କ ସେବାରେ ପୋଲିସ ! ଦେଶରେ ୬୬୩ ଜଣ ଲୋକଙ୍କ ପାଇଁ ଜଣେ ମାତ୍ର ପୋଲିସ

45

କନକ ବ୍ୟୁରୋ : ଗତ କିଛିଦିନ ପୂର୍ବେ କେନ୍ଦ୍ର ସରକାର ଦେଶରୁ ଭିଆଇପି କଲଚରକୁ ଲୋପ କରିବା ପାଇଁ ଆରମ୍ଭ କରିଥିଲେ ପ୍ରୟାସ । ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ନେତାଙ୍କ ନାଲିବତି ଗାଡିର ବ୍ୟବହାର ଉପରେ କଟକଣା ଜାରି କରିଥିଲେ କେନ୍ଦ୍ର ସରକାର । ମନ କି ବାତ୍ କାର୍ୟ୍ୟକ୍ରମରେ ଏନେଇ ପୂରା ଦେଶବାସୀଙ୍କୁ ଜଣାଇଥିଲେ ମୋଦି । ତେବେ ଦେଶରେ ଭିଆଇପି ସଂସ୍କୃତି ଶେଷ କରିବା ପାଇଁ କେନ୍ଦ୍ର ସରକାର ଅନେକ ସମୟରେ ଗୁରୁତ୍ୱାରୋପ କରୁଥିଲେ ମଧ୍ୟ ବାସ୍ତବ ସ୍ଥିତି ଏବେ ମଧ୍ୟ ଉଦବେଗଜନକ ରହିଛି। ଏବେ ବି ବଞ୍ଚି ରହିଛି ଭିଆଇପି କଲଚର ।

policeଏହି ଦୃଷ୍ଟିରୁ ଦେଖିବାକୁ ଗଲେ,ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଦେଶରେ ପୁଲିସ କର୍ମୀଙ୍କ ଯଥେଷ୍ଟ ଅଭାବ ଦେଖାଦେଇଛି। ଅନ୍ୟପକ୍ଷରେ ଭିଆଇପି ସଂସ୍କୃତି ସାଧାରଣ ନାଗରିକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି। ଦେଶରେ ପ୍ରତି ଭିଆଇପିଙ୍କ ପାଇଁ ୩ ପୋଲିସ କର୍ମୀ ନିୟୋଜିତ ହେଉଥିବା ବେଳେ ୬୬୩ ଜଣ ସାଧାରଣ ନାଗରିକଙ୍କ ପାଇଁ ଜଣେ ମାତ୍ର ପୋଲିସ କର୍ମୀ ଉପଲବ୍ଧ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (ବିପିଆରଏଡି) ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଦେଶରେ ଏବେ ୧୯.୨୬ ଲକ୍ଷ ପୋଲିସ କର୍ମୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୯,୯୯୪ ପୋଲିସ କର୍ମୀ ୨୦ ହଜାର ୮୨୮ ଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ ହେଉଛନ୍ତି। ଦେଶର ୨୯ ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ଅଂଚଳରେ ଭିଆଇପିଙ୍କ ପାଇଁ ମୁତୟନ ପୋଲିସ କର୍ମୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସାଧାରଣ ନାଗରିକ ଅସୁରକ୍ଷିତ ହୋଇପଡ଼ୁଛନ୍ତି। ଲକ୍ଷାଦ୍ୱୀପ ହେଉଛି ଦେଶର ଏକମାତ୍ର କେନ୍ଦ୍ର ଶାସିତ ଅଂଚଳ ଯେଉଁଠି ଜଣେ ମଧ୍ୟ ଭିଆଇପିଙ୍କ ସୁରକ୍ଷାରେ ପୋଲିସ କର୍ମୀ ମୁତୟନ ନାହାନ୍ତି। ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତ ଏବେ ବି ବିଶ୍ୱରେ ସବୁଠାରୁ କମ୍ ପୋଲିସ କର୍ମୀ ଥିବା ଦେଶ ଭାବେ ପରିଗଣିତ ହେଉଛି ।

mumbai police୬୬୩ ଜଣଙ୍କ ପାଇଁ ଜଣେ ପୋଲିସ କର୍ମୀ ହେତୁ ସବୁଠି ଅସୁରକ୍ଷାର ବାତାବରଣ ଦେଖିବାକୁ ମିଳୁଛି । ଦେଶରେ ଭିଆଇପି ସଂସ୍କୃତି ହଟାଇବା ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି ଭିଆଇପି ସଂସ୍କୃତି । ପୂର୍ବ ଏବଂ ଉତ୍ତର ଭାରତରେ ପ୍ରବଳ ଭାବେ ରହିଥିବା ଦେଖିବାକୁ ମିଳିଛି। ବିହାରର ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଯେତିକି ପୋଲିସ କର୍ମୀ ନିୟୋଜିତ ଅଛନ୍ତି, ତାହା ଉଦବେଗଜନକ। ବିହାରରେ ୩,୨୦୦ ଭିଆଇପିଙ୍କ ସୁରକ୍ଷା ପାଇଁ ୬, ୨୪୮ ପୋଲିସ କର୍ମୀ ମୁତୟନ ଅଛନ୍ତି। ପଶ୍ଚିମବଙ୍ଗ ମଧ୍ୟ ଏ ଦୃଷ୍ଟିରୁ ପଛରେ ପଡ଼ିନାହିଁ। ଏଠାରେ ୨୨୦୭ ଭିଆଇପିଙ୍କ ପାଇଁ ୪୨୩୩ ପୋଲିସ କର୍ମୀ ମୁତୟନ ଅଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଟ୍ରେଣ୍ଡରେ ତୃତୀୟ ସ୍ଥାନରେ ରହିଛି ଜମ୍ମୁ ଓ କାଶ୍ମୀର । ଆତଙ୍କବାଦୀ ବହୁଳ ଏହି ରାଜ୍ୟରେ ୨୦୭୫ ଭିଆଇପିଙ୍କ ସୁରକ୍ଷାରେ ୪,୪୯୯ ପୋଲିସ କର୍ମୀ ନିୟୋଜିତ ଅଛନ୍ତି ।

ତେବେ ଦିଲ୍ଲୀରେ ସବୁଠାରୁ ଅଧିକ ସଂଖ୍ୟକ ପୋଲିସ ଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ମାତ୍ର ୪୮୯ ଜଣ ଭିଆଇପିଙ୍କ ସୁରକ୍ଷାରେ ୭,୪୨୦ ଜଣ ପୋଲିସକୁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି କିଛିଦିନ ପୂର୍ବେ କହିଥିଲେ ଯେ, ଦେଶର ସମସ୍ତ ବ୍ୟକ୍ତି ଜଣେ ଜଣେ ଭିଆଇପି । ଏଥିପାଇଁ ଭିଆଇପି କଲଚରକୁ ବନ୍ଦ କରି ଇପିଆଇ କଳଚରର ପ୍ରଚଳନ କରିବାକୁ ଆହ୍ୱାନ କରିଥଲେ । କିନ୍ତୁ ବାସ୍ତବ ଚିତ୍ର ଆଉ କିଛି ବୟାନ କରୁଛି ।

.