କାଶ୍ମୀରରେ ସୁରକ୍ଷାବଳର ଅପରେସନରେ ଆତଙ୍କିତ ଆତଙ୍କବାଦୀ । ବାରମୁଳାରେ ୩ ଯୁବକଙ୍କୁ ଲସ୍କରର ହତ୍ୟା । ପୁଲୱାମାରେ ଗୁଳିରେ ଟଳିଲା ମୁଜାହିଦ୍ଦିନର ପୋଷ୍ଟରବୟ

62

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ବର୍ବର କାଣ୍ଡ । ଜମ୍ମୁ କଶ୍ମୀର ବାରମୁଳା ଜିଲ୍ଲାର ପୁରୁଣା ସହର ଅଂଚଳରେ ୩ ଜଣ ନାଗରିକଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି । ସେମାନେ ହେଲେ ଅହମଦ ଶେଖ, ହସିବ ଅହମଦ, ମହମ୍ମଦ ଅସଗର । ମୃତକମାନେ କାକର ହାସନ ଅଂଚଳର ବୋଲି ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଘଟଣାରେ ଲସ୍କର ଏ ତୋଏବାର ହାତ ଥିବା ସୂଚନା ମିଳିଛି । ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ସହ ଦୁଇ ଜଣ ସ୍ଥାନୀୟ ବାସିନ୍ଦାଙ୍କ ହାତ ରହିଥିବା ପୋଲିସ ସନ୍ଦେହ କରିଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ଇକବାଲ ମାର୍କେଟ୍ ଅଂଚଳରେ ଏହି ବର୍ବର କାଣ୍ଡ ଘଟାଇଥିଲେ ମାଓବାଦୀ । ଘଟଣା ପରେ ସ୍ଥାନୀୟ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆତଙ୍କବାଦୀ ଆକ୍ରମଣରେ ତିନିଜଣ ମୃତକଙ୍କ ବୟସ ୨୦ ବର୍ଷ ପାଖାପାଖି ହେବ ବୋଲି କୁହାଯାଇଛି । ପୋଲିସ ଡିଜି ଏସପି ବୈଦ୍ୟ ଘଟଣା ସଂପର୍କରେ ସ୍ପଷ୍ଟ କରିଛନ୍ତି । ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଦ୍ରୁବଗାମ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀ ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ୨ ଜଣ କମାଣ୍ଡରଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁଇ ଜଣ କୁଖ୍ୟାତ ଆତଙ୍କବାଦୀ ହେଲେ ରାଜପୋରା ସେକ୍ଟରର ସମୀର ଭଟ୍ଟ ଓରଫ ଟାଇଗର ଏବଂ ଆକିବ୍‌ ଖାନ। ତେବେ ଏହି ଘଟଣାରେ ୩ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏନକାଉଣ୍ଟର ଚାଲିଥିବା ବେଳେ ମଝିକୁ ଚାଲି ଆସିବାରୁ ଜଣେ ସ୍ଥାନୀୟ ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଯୁବକର ମୃତ୍ୟୁକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିଥିଲେ। ସେମାନେ ଯବାନଙ୍କ ଏକ ଗାଡ଼ିକୁ ମଧ୍ୟ ପୋଡି ଦେଇଥିବା ଜଣାପଡ଼ିଛି। ତେବେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। କିନ୍ତୁ ତଥାପି ପଥରମାଡ଼ ନଥମିବାରୁ ପୁଲିସ ଗୁଳି ଚାଳନା କରିଥିଲା। ଏଥିରେ ୧୫ ଜଣ ସ୍ଥାନୀୟ ବିରୋଧ ପ୍ରଦର୍ଶନକାରୀ ଗୁରୁତର ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଜମ୍ମୁ-କଶ୍ମୀରର ଅର୍ଦ୍ଧାଧିକ ଅଂଚଳରେ ଅଶାନ୍ତି ସୃଷ୍ଟି ହେବାରୁ କୁଲଗାମ,ସୋପିଆନ ଭଳି ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଇଣ୍ଟରନେଟ ସେବା ବନ୍ଦ ପରିଦିଆଯାଇଛି ।