ବିମାନରୁ ହେଲା ମାଛ ବର୍ଷା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, କାରଣ ଜାଣିଲେ ଆଶ୍ଚଯ୍ୟ ହେବେ

28

ଖୋଲା ଆକାଶରୁ ଛଡାଗଲା ହଜାର ହଜାର ମାଛ । ତାହା ବି ପୁଣି ବିମାନ ମାଧ୍ୟମରେ । ଉଟାହ ହ୍ରଦରେ ମାଛ ଛାଡିବାକୁ ନୂଆ ଫର୍ମୁଲା ଆପଣାଇଛି ଉଟାହ ବନ୍ୟଜୀବ ସଂସ୍ଥାନ । ଆଉ ଏହିଭଳି ଭାବେ ବିମାନରୁ ହ୍ରଦରେ ମାଛ ମାନଙ୍କୁ ଛାଡିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏତେ ଉଚ୍ଚରୁ ମାଛ ଯାଆଁଳ ମାନଙ୍କୁ ବିମାନରୁ ହ୍ରଦକୁ ଛାଡିବାର ଦୃଶ୍ୟ ଅନେକଙ୍କ ଆଶ୍ଚଯ୍ୟ କରିଛି ।

ଉଟାହ ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ହ୍ରଦରେ ମାଛ ଛଡାଯିବାର ଦୃଶ୍ୟକୁ ଫେସବୁକରେ ସେୟାର କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ଯେ, ବିମାନର ତଳ ପାଶ୍ୱର୍ରେ ଥିବା ଏକ ଗାତ ମଧ୍ୟରୁ ମାଛ ଗୁଡିକୁ ଉପରୁ ହ୍ରଦ ମଧ୍ୟକୁ ଛଡାଯାଉଛି । ଏଭଳି ଭାବେ ବିମାନ ଉଡିବା ସହ ହଜାର ହଜାର ସଂଖ୍ୟାର ମାଛ ଯାଆଁଳ ହ୍ରଦରେ ଛଡାଯାଇଛି । ଏପରିକି ଏତେ ଉଚ୍ଚରୁ ମାଛ ଯାଆଁଳ ଗୁଡିକ ହ୍ରଦ ମଧ୍ୟକୁ ଛାଡିବା ଦ୍ୱାରା ଏମାନଙ୍କୁ ଆଘାତ ପହଞ୍ଚୁଥିବ ବୋଲି ଅନେକଙ୍କ ମନରେ ଧାରଣା ରହିଛି ।


ତେବେ ଉଟାହ ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ କୁହାଯାଇଛି ଏଭଳି ଭାବେ ମାଛ ଗୁଡିକୁ ହ୍ରଦରେ ଛଡାଯିବା ଦ୍ୱାରା ମାଛ ଯାଆଁଳ ଗୁଡିକର କୌଣସି କ୍ଷତି ହୋଇନଥାଏ । କାରଣ ଏହି ମାଛ ଯାଆଁଳ ଗୁଡିକ ଅତ୍ୟନ୍ତ ଛୋଟ । ଏହାଛଡା ଏହି ମାଛ ଯାଆଁଳ ଗୁଡିକର ଲମ୍ବ ମଧ୍ୟ ୧ରୁ ୩ ଇଞ୍ଚ ମଧ୍ୟରେ ରହିଛି । ତେଣୁ ଏହି ଧରଣର ଯାଆଁଳ ଗୁଡିକ ଉପରୁ ହ୍ରଦ ମଧ୍ୟରେ ପଡିଲେ ମଧ୍ୟ ଏମାନଙ୍କର କୌଣସି କ୍ଷତି ହୋଇନଥାଏ । ଗୋଟିଏ ବିମାନରେ ପାଖାପାଖି ୩୫,୦୦୦ ମାଛ ଯାଆଁଳ ଛଡାଯାଇଥାଏ । ପ୍ରତି ବିମାନରେ ୧୦୦ ପାଉଣ୍ଡ ଜଳ ଓ ୭୦ ପାଉଣ୍ଡ ଓଜନର ମାଛ ଯାଆଁଳ ରହିଥାଏ ।


ଏହି ପ୍ରକିୟାରେ ଉପରୁ ଛଡା ଯାଉଥିବା ୯୫ ପ୍ରତିଶତ ମାଛ ଜୀବିତ ରହିଥାନ୍ତି । ତା ଛଡା ଉଟାହ ହ୍ରଦରେ ପହଞ୍ଚିବାକୁ ସଡକପଥରେ ଆସିଲେ ଅନେକ ସମୟ ଲାଗିଥାଏ । ତେଣୁ ମାଛମାନଙ୍କୁ ବିମାନରେ ଆଣି ହ୍ରଦରେ ଛଡାଯାଉଛି । ଯଦି ଏଭଳି ଉପାୟରେ ମାଛ ଉଟାହ ହ୍ରଦରେ ଛଡା ଯାଇନଥାନ୍ତା ତେବେ ଖୁବଶୀଘ୍ର ଏହା ମାଛଶୂନ୍ୟ ହୋଇ ଯାଇଥାନ୍ତା । ଆକାଶମାର୍ଗରୁ ଏଭଳି ଭାବେ ମାଛ ଛାଡିବା ପ୍ରକିୟା ୧୯୫୬ ମସିହାରୁ ଆରମ୍ଭ ହୋଇଛି ।