ବିବାଦରେ ଆରମ୍ଭ ସଫଳତାରେ ଶେଷ । କିଭଳି ଶୃଙ୍ଖଳାର ସହ ଶେଷ ହେଲା ରଥଯାତ୍ରା? ଏହି ଗୋଟିଏ ନିଷ୍ପତ୍ତି ଆଣିଲା କି ଫରକ?

183

ଗତ ୬୦ ଦିନ ଭିତରେ ଶ୍ରୀମନ୍ଦିରକୁ ନେଇ ଅନେକ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଏହାରି ଭିତରେ ଚଳିତଥର ରଥଯାତ୍ରା ପାଇଁ ନୀତି ନିର୍ଘଂଟ ହୋଇଥିଲା । ଆଶଙ୍କା ଥିଲା ବିଭ୍ରାଟ ସୃଷ୍ଟି ହେବ, ବିଶୃଙ୍ଖଳା ଦେଖିବାକୁ ମିଳିବ । ହେଲେ ନୀତିକାନ୍ତି ଠାରୁ ଆରମ୍ଭ କରି ପ୍ରତିଟି କ୍ଷେତ୍ରରେ ଶୃଙ୍ଖଳା ବେଶ ବାରି ହୋଇଥିଲା । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଅତୀତରେ ଅନେକ ଆହ୍ୱାନକୁ ସଫଳତାର ସହ ମୁକାବିଲା କରିଥିବା ରାଜ୍ୟ ସରକାର ରଥଯାତ୍ରାକୁ ସବୁଠାରୁ ଶୃଙ୍ଖଳିତ କରି ଉଦାହରଣ ସୃଷ୍ଟି କରିଛନ୍ତି । ବୋଧହୁଏ, ଗତ ୧୮ ବର୍ଷ ଭିତରେ ଚଳିତ ଥର ରଥଯାତ୍ରା ସବୁଠାରୁ ଶୃଙ୍ଖଳିତ ଢଙ୍ଗରେ ସରିଥିଲା ।

ସ୍ନାନବେଦୀକୁ ଶ୍ରୀଜିଉ ଆସିବା ଠାରୁ ଆରମ୍ଭ କରି ସୁନାବେଶରେ ସଅଳ ବେଶ ପର୍ଯ୍ୟନ୍ତ ସେବାୟତ ଆଉ ପ୍ରଶାସନ ମଧ୍ୟରେ ଯେଉଁ ସମନ୍ୱୟ ରହିଲା ତାହା ପୂର୍ବରୁ ଖୁବ କ୍ୱଚିତ ଦେଖିବାକୁ ମିଳୁଥିଲା । ତେବେ ଚଳିତ ବର୍ଷ ରଥଯାତ୍ରା କିଭଳି ପୂର୍ବ ବର୍ଷ ମାନଙ୍କ ତୁଳନାରେ ବେଶ ଭିନ୍ନ ବୁଝିବାକୁ ପଡିବ । ହେଲେ ତା’ପୂର୍ବରୁ ନଜର ପକାନ୍ତୁ କିଭଳି ଏକ ବିବାଦୀୟ ସ୍ଥିତି ଭିତରେ ରଥଯାତ୍ରାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।

ଭିତରଭଣ୍ଡାର ଚାବି ହଜିଗଲା
ବୋଧହୁଏ ଶ୍ରୀମନ୍ଦିର ଭିତର ଭଣ୍ଡାର ଚାବି ନ’ମିଳିବା ଚଳିତ ବର୍ଷର ସବୁଠାରୁ ବଡ ଖବର ଥିଲା । ଉଭୟ ସରକାର ଆଉ ଶ୍ରୀମନ୍ଦିର ପ୍ରଶାସନ ଅଡୁଆରେ ପଡିଗଲେ । କାରଣ, ଖବର ଯେତେବେଳେ ସାମ୍ନାକୁ ଆସିଲା, ସେତେବେଳ ପର୍ଯ୍ୟନ୍ତ ଗଣମାଧ୍ୟମକୁ ଭିନ୍ନ ତଥ୍ୟ ଦିଆଯାଉଥିଲା । ଆଉ ସତ ଜଣାପଡିବା ପରେ ଆରମ୍ଭ ହୋଇଗଲା ଅନୁଶୀଳନ । ଚାରିଆଡେ ହଇଚଇ ପକାଇବା ସହ ଏହି ଖବର ସରକାରଙ୍କୁ ଅଡୁଆରେ ପକାଇଲା । ଚାବି ଖୋଜିବାକୁ କମିଶନ ଗଠନ କରାଗଲା । ବିରୋଧୀ ଏହାକୁ ରାଜନୈତିକ ମୁଦ୍ଦା କଲେ ଆଉ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା ।

ପ୍ରଶାସକ ବଦଳିଗଲେ
କ୍ୱଚିତ ଏଭଳି ସ୍ଥିତି ଦେଖିବାକୁ ମିଳେ ଯେତେବେଳେ ରଥଯାତ୍ରାର ଠିକ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଢାଇ ଦିଆଯାଇଛି । ତେବେ ଭିତର ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଯେତେବେଳେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ମନୋମାଳିନ୍ୟ ସ୍ଥିତି ଉପୁଜିଲା ସରକାର ବିବାଦକୁ ଦୂରେଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳାଇ ଦେଲେ । ପ୍ରଦୀପ ଜେନାଙ୍କ ସ୍ଥାନରେ ଦାୟିତ୍ୱ ପାଇଲେ ପ୍ରଦୀପ୍ତ ମହାପାତ୍ର । ପ୍ରଶ୍ନ ଉଠିଲା. ଏତେ କମ ସମୟ ଭିତରେ ସବୁକିଛି ଠିକ ଭାବେ କିଭଳି ସମାପନ ହେବ, ହେଲେ ସମନ୍ୱୟ ରକ୍ଷା କରି ପ୍ରଦୀପ୍ତ ମହାପାତ୍ର ନିଜର ଦକ୍ଷତାକୁ ପ୍ରମାଣିତ କଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଶ୍ରୀମନ୍ଦିର ସଂସ୍କାର କ୍ଷେତ୍ରରେ ଯେତେବେଳେ ଦେଶର ସର୍ବୋଚ୍ଚକୋର୍ଟଙ୍କ ନିର୍ଦ୍ଦେଶ ସାମ୍ନାକୁ ଆସିଲା, ସେତେବେଳେ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ତିଆରି ହେଲା । ସୁପ୍ରିମକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ସେବାୟତଙ୍କ ରୋଷର ସାମ୍ନା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ମନ୍ଦିର ଭିତରେ ଦାନଥାଳି ରହିପାରିବନି ଠାରୁ ଆରମ୍ଭ କରି ପୁରୀ ଜିଲ୍ଲା ଜଜଙ୍କ ପ୍ରସ୍ତାବ ପର୍ଯ୍ୟନ୍ତ ସବୁକିଛି ଏକ ସନ୍ଦେହର ବାତାବରଣ ତିଆରି କରିଥିଲା । କାରଣ ତମାମ ପ୍ରସ୍ତାବ ସେବାୟତଙ୍କ ବିରୋଧରେ ଯାଉଥିଲା । କୈାଳିକ ବୃତ୍ତି ବନ୍ଦ କରିବା ସିଧାସଳଖ ସେବାୟତଙ୍କ ବଂଶାନୁକ୍ରମିକ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଦାନ ଦକ୍ଷିଣା ବନ୍ଦ ହେବା ସେମାନଙ୍କ ଆୟକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଲା । ଯାହାକୁ ଖୋଲାଖୋଲି ବିରୋଧ କରିଥିଲେ ସେବାୟତ ।

ରଥରେ ଲାଗିବ ହୁଣ୍ଡି
ଏହା ଏଭଳି ଏକ ନିଷ୍ପତ୍ତି ଥିଲା, ଯାହାକୁ ନେଇ ସେବାୟତ ମଧ୍ୟ ନିଜ ଅସନ୍ତୋଷ ଜାହିର କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଯେତେବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାକୁ କାର୍ଯ୍ୟକାରୀ କରାଇଲେ ସେତେବେଳେ ମଧ୍ୟ ଏକ ବିବାଦୀୟ ସ୍ଥିତି ସୃଷ୍ଟି ହେଲା । ଯାହା ଏକ ଅସହଜ ବାତାବରଣ ତିଆରି କରିଥିଲା । ରଥ ନିକଟରେ ଯେଉଁମାନେ ତୁଳସୀ ଦେଇ ଦାନ ଗ୍ରହଣ କରୁଥିଲେ ବା କିଛି ଭକ୍ତଙ୍କର ଭୋଗ କରାଇ ଦି ପଇସା ପାଉଥିଲେ ତାକୁ ବନ୍ଦ କରି ଶ୍ରୀମନ୍ଦିର ପ୍ରଶାସନ ଜାଣିଶୁଣି ଏକ ବିବାଦୀୟ ସ୍ଥିତି କରିଥିବା ଅଭିଯୋଗ ହେଲା ।

ଏହି ତମାମ ପ୍ରସଙ୍ଗକୁ ନେଇ ଚଳିତବର୍ଷର ରଥଯାତ୍ରା ଉପରେ ଏକ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଥିଲା, ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରାକୁ ସମାପନ କରାଯାଇ ପାରିବ ତ?

ଆଉ ଏହାରି ଭିତରେ ଆସିଥିଲା ରଥ ସମନ୍ୱୟ କମିଟିର ଅନ୍ତିମ ବୈଠକ । ଯେଉଁଥିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ସବୁ କିଛିର ଅନୂଧ୍ୟାନ କରିଥିଲେ । ବାସ. ଏହିଠାରୁ ହିଁ ସ୍ଥିତି ବଦଳିଥିଲା । ଆଉ ସମସ୍ତଙ୍କ ଭିତରେ ଏକ ସମନ୍ୱୟ ତିଆରି କରିବାରେ ଏହି ବୈଠକ ସଫଳ ହେଲା । ସ୍ଥିତି ଏମିତି ହେଲା ଯେ ୫୦ ବର୍ଷର ରେକର୍ଡ କାଟି ନୂଆ ଇତିହାସ ସୃଷ୍ଟି କଲା ଚଳିତ ବର୍ଷର ରଥଯାତ୍ରା ।

ସମୟ ପୂର୍ବରୁ ପହଣ୍ଡି
ଚଳିତବର୍ଷର ରଥଯାତ୍ରା ସମୟରୁ ହିଁ ସେବାୟତଙ୍କ ସହଯୋଗ ଆଉ ପ୍ରଶାସନର ସମନ୍ୱୟ ଉଭୟ ଦେଖିବାକୁ ମିଳିଥିଲା । ରଥ ପ୍ରତିଷ୍ଠାଠାରୁ ଆରମ୍ଭ କରି ରଥଟଣା ଯାଏଁ, ସମସ୍ତ ନୀତି ନିର୍ଦ୍ଧାରିତ ସମୟ ପୂର୍ବରୁ ସମାପନ ହୋଇଥିଲା । ନିର୍ଦ୍ଧାରିତ ସମୟର ଘଂଟାକ ପୂର୍ବରୁ ପହଣ୍ଡି ଆଉ ୨ ଘଂଟା ପୂର୍ବରୁ ରଥଟଣା ଆରମ୍ଭ ହେଲା । ସନ୍ଧ୍ୟା ସୁଦ୍ଧା ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିବା ବେଳେ ବାଟରେ ଅଟକିଥିଲା ନନ୍ଦିଘୋଷ । ବେଶ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଥିଲା ରଥଯାତ୍ରା ।

ବାହୁଡା ରଚିଲା ଇତିହାସ
ସବୁଠାରୁ ବଡ ସମସ୍ୟା ସୃଷ୍ଟି ହୋଇଥିଲା ବାହୁଡାକୁ ନେଇ । ଯେଉଁଭଳି ଲଗାଣ ବର୍ଷା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଥିଲା ଆଉ ପୁରୀରେ ବାହୁଡା ପୂର୍ବଦିନ ସର୍ବାଧିକ ବର୍ଷା ହୋଇ ଶରଧାବାଲି ପରିସରରେ ବନ୍ୟାର ଭ୍ରମ ସୃଷ୍ଟି କରିଥିଲା, ତାକୁ ନେଇ ସମସ୍ତେ ଆଶଙ୍କିତ ଥିଲେ, କିଭଳି ବାହୁଡା ଯାତ୍ରା ସଠିକ ଭାବେ ସରିବ । ସନ୍ଧ୍ୟା ଦର୍ଶନ ବେଳେ ମଧ୍ୟ ଲଗାଣ ବର୍ଷା ହୋଇଥିଲା । ଭକ୍ତ ଭିଜୁଥିଲେ ଆଉ ଦର୍ଶନ ପାଇଁ ଭିଡ ବି ବଢୁଥିଲା ।

ହେଲେ ଏହାପରେ ସତେ କିଛି ଚମକ୍ରାର ହୋଇଥିଲା । ବର୍ଷା ଥମିଗଲା । ଆଉ ଯୁଦ୍ଧକାଳୀନ ଭିତ୍ତିରେ ଜିଲ୍ଲା ପ୍ରଶାସନ ଶରଧାବାଲିରେ ଜମିଥିବା ପାଣିକୁ ଶୁଖାଇ ଦିଆଗଲା । ବାଲି ପକାଇବାର ବ୍ୟବସ୍ଥା କରାଗଲା । ନିଜେ ଜିଲ୍ଲାପାଳ ଯେଭଳି ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ତାହା ପ୍ରମାଣିତ କରୁଥିଲା, କେତେ ଗମ୍ଭୀରତାର ସହ ପ୍ରଶାସନ ଏହି ପ୍ରସଙ୍ଗକୁ ନେଇଛି । ଅବାହୁଡା ସକାଳ ବେଳକୁ ପାଣି ଶୁଖି ଯାଇଥିଲା । ସେବାୟତ ମଧ୍ୟ ନୀତିକାନ୍ତି କରିବାରେ କୈଣସି ହେଳା କରିନଥିଲେ । ଫଳସ୍ୱରୂପ ବାହୁଡାଯାତ୍ରା ଇତିହାସ ରଚିଥିଲା । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବାକୁ ସ୍ଥିର ହୋଇଥିବା ବେଳେ ଅପରାହ୍ନ ସାଢେ ୩ଟା ସୁଦ୍ଧା ବଳଭଦ୍ରଙ୍କ ରଥ ସିଂହଦ୍ୱାରରେ ଲାଗିଯାଇଥିଲା । ଆଉ ଅପରାହ୍ନ ସାଢେ ୫ଟା ସୁଦ୍ଧା ତିନି ରଥ ଆସି ସିଂହଦ୍ୱାରରେ ପହଂଚିଥିଲା । ଯାହା ୫୦ ବର୍ଷର ରେକର୍ଡକୁ ଭାଙ୍କିଥିଲା ।

ଶୃଙ୍ଖଳିତ ସୁନାବେଶ
ସୁନାବେଶରେ ମଧ୍ୟ ଏହି ଧାରା ବଜାୟ ରହିଥିଲା । ବେଶ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜାଇ ଦେଇଥିଲେ ସେବାୟତ । ଆଉ ଭକ୍ତ ମଧ୍ୟ ଏହାକୁ ଦେଖି ବେଶ ଆନନ୍ଦିତ ହୋଇଥିଲେ । ଏପରିକି ତିନି ଠାକୁରଙ୍କ ସାମ୍ନାରେ କେହି ସେବାୟତ ଠିଆ ହୋଇ ଦର୍ଶନରେ ବାଧା ଦେଇନଥିଲେ । ଆଉ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇ ପୋଲିସ ପ୍ରଶାସନ ପକ୍ଷରୁ ସବୁକିଛିକୁ ବ୍ୟବସ୍ଥିତ କରାଯାଇଥିଲା ।

Suna-Besha

୨୦୧୯ ନିର୍ବାଚନ ପାଇଁ…
ରଥଯାତ୍ରାକୁ ସୁରୁଖୁରୁରେ ସାରିବା ଥିଲା ସରକାରଙ୍କ ସାମ୍ନାରେ ସବୁଠାରୁ ବଡ ଆହ୍ୱାନ । କାରଣ ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଜଗନ୍ନାଥ ସଂସ୍କୃତିକୁ ନେଇ ଯେଉଁଭଳି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି, ତାହା ସରକାରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଥିଲା । କାଳେ ରଥଯାତ୍ରାରେ ସମୟରେ କିଛି ବିଭ୍ରାଟ ବିରୋଧୀ ରାଜନୈତିକ ଦଳଙ୍କ ପାଇଁ ଏକ ବାତାବରଣ ସୃଷ୍ଟି କରିବ ଆଉ ସରକାର ଏକ ଅଶ୍ୱସ୍ତିକର ସ୍ଥିତିକୁ ଚାଲିଯିବେ ସେଥିପାଇଁ ସମସ୍ତେ ଜୋର ଦେଇଥିଲେ ରଥଯାତ୍ରାରେ ସମନ୍ୱୟ ରକ୍ଷା କରି କାମ କରିବା ଉପରେ ।

ସେହିଭଳି ରଥଯାତ୍ରାର ଅନ୍ତିମ ସମନ୍ୱୟ କମିଟି ବୈଠକ ପରେ ଯେତେବେଳେ କିଛି ସେବାୟତଙ୍କୁ ନେଇ ସ୍ଥାନୀୟ ବିଧାୟକ ଓ ସାଂସଦ ନବୀନ ନିବାସରେ ପହଂଚି ଆଲୋଚନା କଲେ ଠିକ ସେତିକି ବେଳଠୁ ଜଣାପଡୁଥିଲା, ରଥଯାତ୍ରାକୁ ନେଇ ସରକାର କେତେ ଗୁରୁତ୍ୱ ସହ ଚିନ୍ତା କରୁଛନ୍ତି । ଆଉ ଏହିଠାରୁ ହିଁ ବଦଳିଥିଲା ବିବାଦୀୟ ସ୍ଥିତି । ଗେମଚେଂଜର ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ଶୃଙ୍ଖଳିତ ରଥଯାତ୍ରା ଉପରେ ଅନେକ କିଛି ନିର୍ଭର କରୁଥିଲା । ବିରୋଧୀଦଳ ରତ୍ନଭଣ୍ଡାର ପ୍ରସଙ୍ଗରେ ଯେଉଁଭଳି ସରକାରଙ୍କୁ ଘେରିଥିଲେ, ସେହି ଦୃଷ୍ଟିକୋଣରୁ ସରକାର ଆଉ ରିସ୍କ ନେବା ମୁଡରେ ନଥିଲେ । ତେଣୁ ଯଥାସମ୍ଭବ ଚେଷ୍ଟା କରାଯାଇଥିଲା ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ।

ହେଲେ ସବୁକିଛି ପରେ ବି ଅନେକ ସେବାୟତ ଏହାକୁ ପ୍ରଭୁ ଜଗନ୍ନାଥଙ୍କ ଇଛା କହି ଯଦିଓ ସମସ୍ତ ଶ୍ରେୟ ଭଗବାନଙ୍କୁ ଦେଇଛନ୍ତି ତଥାପି ଯେଉଁ ସହଯୋଗ ଆଉ ସମନ୍ୱୟ ବଳରେ ଚଳିତ ବର୍ଷର ରଥଯାତ୍ରା ସମାପନ ହୋଇଛି ତାର ନଜିର ଅତୀତରେ ବେଶ କମ ଦେଖିବାକୁ ମିଳିଛି । ଆଶା କରାଯାଉଛି, ଏଭଳି କ୍ରିୟାଶୀଳତା ଆଗକୁ ମଧ୍ୟ ଦେଖିବାକୁ ମିଳିବ ଆଉ ବିବାଦୀୟ ସ୍ଥିତି ଭିତରେ ରଥଯାତ୍ରା ସମାପନ ହେବା ବଦଳରେ ସୈାହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଦେଖିବାକୁ ମିଳିବ ।