ଚଳିତ ଥର ରାଜଧାନୀରେ ବି ହେବ ବାଲିଯାତ୍ରା

ଉତ୍କଳର ଗର୍ବ ଓ ଗୌରବର ଗାଥା ବହନ କରୁଥିବା କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ପରେ ଏବେ ବାଲିଯାତ୍ରା ଭୁବନେଶ୍ୱରରେ

2,531

କନକ ବ୍ୟୁରୋ : କାର୍ତିକ ପୂର୍ଣ୍ଣମାଠାରୁ ଆରମ୍ଭ ହେଉଥିବା ବାଲିଯାତ୍ରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ବାଲିଯାତ୍ରା ପାଇଁ ଚଳିତ ଥର କଟକରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ସମୟରେ ପ୍ରଥମ ଥର ଲାଗି ଏ ବର୍ଷ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ସୂଚନା ମିଳିଛି । ବାଲିଯାତ୍ରା ପଡିଆ, ପଟିଆ ବନ୍ଧ, କୂଆଖାଇ ନଦୀପଠା । ଏହି ଠିକଣା ହେଉଛି ଭୁବନେଶ୍ୱର ବାଲିଯାତ୍ରାର । ଉତ୍କଳର ଗର୍ବ ଓ ଗୌରବର ଗାଥା ବହନ କରୁଥିବା କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ପରେ ଏବେ ବାଲିଯାତ୍ରା ଭୁବନେଶ୍ୱରରେ । ଗତବର୍ଷ ଅପେକ୍ଷା ଚଳିତବର୍ଷ ଏଠାରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଚଳିତବର୍ଷ ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ବାଲିଯାତ୍ରା ହେବ । ତେବେ ମିଳିଥିବା ସୂଚନା ଅନୁସାରେ ବ୍ୟବସାୟ ପ୍ରତିଷ୍ଠାନ ଷ୍ଟଲ ପାଇଁ କାର୍ଯ୍ୟକ୍ରମ ଯୋରଦାର ପ୍ରସ୍ତୁତି ଚାଲିଛି । ଏଥିପାଇଁ ବାଲିଯାତ୍ରା କମିଟି ଓ ପୁଲିସ ପ୍ରଶାସନ ତତ୍ପର ହୋଇଉଠିଛନ୍ତି ।

 

ନିର୍ଦ୍ଧାରିତ ସମୟ ପୂର୍ବରୁ ରାସ୍ତାଘାଟ ନିର୍ମାଣ କରାଯିବା ସହ ବିଭିନ୍ନ କାର୍ଯ୍ୟାଳୟ ପାଇଁ ଟେଂଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ବାଲିଯାତ୍ରା ପାଇଁ ଷ୍ଟଲ ଆବେଦନ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଯାବତ ପ୍ରାୟ ୫୦୦ଟି ଷ୍ଟଲ ଲାଗି ବ୍ୟବସାୟୀମାନେ ଆବେଦନ କରିସାରିଲେଣି । କୂଆଖାଇ ନଦୀବନ୍ଧକୁ ଆଲୋକୀକରଣ ପ୍ରକ୍ରିୟା ଯୁଦ୍ଧକାଳିନ ଭିତିରେ ଚାଲିଛି । କାର୍ତିକ ପୂର୍ଣ୍ଣମାରେ ବୋଇତ ବନ୍ଦାଣ ଏବଂ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଆୟେଜକ କହିଛନ୍ତ । ତେବେ ବାଲିଯାତ୍ରା ଆୟୋଜନ କରୁଛନ୍ତି ସ୍ଥାନୀୟ ୫୫ଟି ଗ୍ରାମର ଗ୍ରାମବାସୀ ତଥା ଭୁବନେଶ୍ୱରର ସମସ୍ତ ଦୂର୍ଗାପୂଜା କମିଟିର ସଦସ୍ୟମାନେ । ରାଜଧାନୀରେ ହେବାକୁ ଥିବା ବାଲିଯାତ୍ରା ପାଇଁ ଲୋକମାନେ ମଧ୍ୟ ଖୁସି ଥିବା ସୂଚନା ମିଳିଛି ।

 

ଏହାସହ ଆମେ ଚଳିତ ଥର ରାଜ୍ୟପାଳଙ୍କୁ ଏହି କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଆମନ୍ତ୍ରଣ କରିଥିଲୁ ହେଲେ ଆସିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏହାସହ ଆମେ ମାନେ କଟକ ଓ ଭୁବନେଶ୍ୱର ମଧ୍ୟରେ ଟକ୍କର ଦେବା ଉଦ୍ଦେଶ୍ୟରେ ଏପରି କରୁନାହୁଁ । ଆମର ଆଶା ରହିଛି କି ଲୋକମାନେ ଏହି ଉତ୍ସବକୁ ବେଶ ଭଲଭାବରେ ଉପଭୋଗ କରିବେ ବୋଲି କହିଛନ୍ତି ବାଲିଯାତ୍ରାର କାର୍ଯ୍ୟକାରୀ ସଭାପତି ଜୀବନ କୁମାର ବଡୁ । ଏହାସହ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସହମତି ଆମେ ନେଇଥିବା ଶ୍ରୀବଡୁ ସୂଚନା ଦେଇଛନ୍ତି ।