୫୦ ବର୍ଷର ରେକର୍ଡ ଭାଙ୍ଗିଲା ଏଥରର ବାହୁଡ଼ା ଯାତ୍ରା ! ସଅଳ ଫେରିଲେ ଶ୍ରୀଜିଉ, ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସିଂହଦ୍ୱାର ଆଗରେ ଲାଗିଲା ତିନି ରଥ ।

82

କନକ ବ୍ୟୁରୋ : ଇତିହାସ ରଚିଛି ଏଥରର ବାହୁଡା ଯାତ୍ରା । ଗତ ୫୦ ବର୍ଷ ଭିତରେ ଯାହା କେବେ ହୋଇନଥିଲା ଏଥର ତାହା ହୋଇଛି । ସଅଳ ସରିଛି ମହାପ୍ରଭୁଙ୍କ ନୀତିକାନ୍ତି । ଆଉ ସବୁଠାରୁ ବଡ କଥା ହେଲା ଅପରାହ୍ନ ୪ଟାରେ ରଥ ଟଣାଯିବାକୁ ସମୟ ନିର୍ଘଂଟ ଥିବାବେଳେ ୪ଟା ସୁଦ୍ଧା ସିଂହଦ୍ୱାର ଆଗରେ ଲାଗିଯାଇଥିଲା ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଥିବାରୁ ଏବଂ ସେବାୟତଙ୍କ ନୀତି ଶୃଙ୍ଖଳିତ ଯୋଗୁଁ ଏଥର ରେକର୍ଡ କରିଛି ବାହୁଡା ଯାତ୍ରା ।

ସକାଳ ପ୍ରାୟ ୯ଟା । ନିର୍ଦ୍ଧାରିତ ସମୟର ୪ ଘଂଟା ପୂର୍ବରୁ ଆରମ୍ଭ ହେଲା ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି । ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା, ଶେଷରେ କାଳିଆ ସାଆନ୍ତ । ଧାଡି ପହଣ୍ଡିରେ ଜନ୍ମବେଦୀରୁ ରଥ ଉପରେ ବିରାଜିଲେ ଶ୍ରୀଜିଉ । ପ୍ରଶାସନର ପ୍ରସ୍ତୁତି ଆଉ ସେବାୟତଙ୍କ ସହଯୋଗରେ ସଅଳ ସଅଳ ସରିଯାଉଥିଲା ମହାପ୍ରଭୁଙ୍କ ନୀତିକାନ୍ତି ।

ଦିନ ପ୍ରାୟ ୧ଟା । ରଥ ଉପରେ ବଡଠାକୁରଙ୍କ ନୀତିକାନ୍ତି ଶେଷ ହୋଇଯାଇଥିଲା । ଆଉ ନିର୍ଦ୍ଧାରିତ ସମୟର ୩ ଘଂଟା ପୂର୍ବରୁ ଆରମ୍ଭ ହୋଇଗଲା ରଥଟଣା । ବଡଦାଣ୍ଡରେ ବଡଭାଇ ବଳଭଦ୍ରଙ୍କ ରଥକୁ ଟାଣିନେଇଥିଲେ ଭକ୍ତ । ପଛକୁ ପଛ ହୋଇ ଭଉଣୀ ସୁଭଦ୍ରାଙ୍କ ଦେବୀଦଳନ ବି ଗଡିଥିଲା ଶ୍ରୀମନ୍ଦିର ଅଭିମୁଖେ । ଶ୍ରୀକ୍ଷେତ୍ରରେ ଯେମିତି ଚମକ୍ରାର କରୁଥିଲେ ମହାପ୍ରଭୁ ।

ଅପରାହ୍ନ ପ୍ରାୟ ୩ଟା ୩୦ । ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଲାଗିଗଲା ତାଳଧ୍ୱଜ । ମାତ୍ର ୨୦ ମିନିଟ୍ ପରେ ପ୍ରାୟ ୩ଟା ୫୦ରେ ବଡଭାଇଙ୍କ ପାଖରେ ପହଁଚିଗଲେ ଦେବୀ ସୁଭଦ୍ରା । ଆଉ ତାପରେ ସିଂହଦ୍ୱାରରେ ଲାଗିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରଥଟଣା ସମୟ ଥିଲା ଅପରାହ୍ନ ୪ଟାରେ । ହେଲେ ରଥଟଣା ସରିଯାଇଥିଲା ଏହି ସମୟ ଭିତରେ । ନା ବର୍ଷା ହେଲା ନା କିଛି ବିଶୃଙ୍ଖଳା । ଇତିହାସ ରଚିଦେଲା ଏଥରର ବାହୁଡା ଯାତ୍ରା ।