ଗୁଗଲରୁ ଚାକିରି ଛାଡି କଲେ ନିଜ ରୁଚିର ବ୍ୟବସାୟ ! ସିଙ୍ଗଡା ବିକି ଆଜି ବର୍ଷକୁ କମାଉଛନ୍ତି ବର୍ଷକୁ ୫୦ ଲକ୍ଷ 

86

ଏମିତି ଅନେକ ଯୁବକ ଅଛନ୍ତି ଯେଉଁମାନେ ନିଜ ରୁଚି ଅନୁଯାୟୀ କାମ କରିବାକୁ ପସନ୍ଦ କରିଥାନ୍ତି । ଆଉ ଏଥିପାଇଁ କରିଥାନ୍ତି ବହୁତ ସଂଘର୍ଷ । ଶେଷରେ ସଫଳ ମଧ୍ୟ ହୋଇଥାନ୍ତି । ମୋଟା ଅଙ୍କ ଦରମାର ଚାକିରି ଛାଡି ସେ ନିଜ ଲକ୍ଷ୍ୟ ପଥରେ ଆଗେଇଯାନ୍ତି । କିଛି ଭିନ୍ନ କରିଦେଖେଇବାର ପ୍ରୟାସରେ ଲାଗିଯାନ୍ତି । ଏମିତି ଜଣେ ହେଲେ ମୁନଫ କାପାଡିଆ । ନିଜର ବ୍ୟବସାୟ  ଆରମ୍ଭ କରିବାକୁ ଇଚ୍ଛା କରି ଗୁଗଲ ପରି ପ୍ରତିଷ୍ଠିତ କଂପାନୀର ଚାକିରି ଛାଡି ସ୍ୱଦେଶ ଫେରିଥିଲେ । ଆଉ ଆରମ୍ଭ କରିଥିଲେ ନିଜ ଭାଗ୍ୟ ପରୀକ୍ଷା ।  ଆଜି ତାଙ୍କ କଂପାନୀ ବର୍ଷକୁ ଆୟ କରୁଛି ୫୦ ଲକ୍ଷ ଟଙ୍କା ।

ମୁନଫଙ୍କର  ଶିକ୍ଷାଗତ ଯୋଗ୍ୟତା ଏମବିଏ । ମୁମ୍ବାଇରେ ଏହି ଡିଗ୍ରୀ ହାସଲ କରି ସେ ପାଇଥିଲେ ଗୁଗଲରେ ଚାକିରୀ ।  ।  ଗୁଗଲ ପରି ବିଶ୍ୱସ୍ତରୀୟ କଂପାନୀରେ ଚାକିରି ପାଇଁ ଅନ୍ୟ ପିଲାଙ୍କ ପରି ସେ ହୋଇଥିଲେ ଖୁବ୍ ଉତ୍ସାହିତ ।  କିଛିବର୍ଷ ପୁରା ଜୋସର ସହ କରିଥିଲେ କାମ ।  କିଛି ଅଭିଜ୍ଞତା ହାସଲ କରିବା ପରେ  ନିଜର ଏକ ସ୍ୱତନ୍ତ୍ର ବ୍ୟବସାୟ ଆରମ୍ଭ କରିବାକୁ ଚାହିଁଥିଲେ । ତାପରେ ସ୍ଥିର କରିଥିଲେ ସ୍ୱଦେଶ ଫେରିବାକୁ । ଗୁଗଲ ଚାକିରି ଛାଡି ଘରକୁ ଫେରିଆସି ମୁନଫ କେଉଁ କାମ କରିବେ ସେ ବିଷୟରେ ଚିନ୍ତା କଲେ । ଶେଷରେ ଆରମ୍ଭ କଲେ  ‘ଦି ବୋହରୀ କିଚେନ’ ନାମରେ ଏକ ପ୍ରୋଜେକ୍ଟ । କାରଣ ତାଙ୍କ ମା’ଙ୍କର ରୋଷେଇ ଆଇଡିଆ ତାଙ୍କୁ ଏହା କରିବାରେ ସୁଯୋଗ ଦେଇଥିଲା ।

ନିଜ ମା’ଙ୍କର ହାତରନ୍ଧା ଖାଦ୍ୟ  ଅନ୍ୟକୁ ପରଷିବା ନେଇ ମୁନଫ ଏକ ପ୍ରୟାସ ଆରମ୍ଭ କଲେ । ନିଜର ଚିହ୍ନାପରିଚିତ ମାନଙ୍କୁ ଫୋନ୍ ମାଧ୍ୟମରେ ନିଜ ଘରକୁ ଡିନର ପାଇଁ  ନିମନ୍ତ୍ରଣ କରିଥିଲେ ।  ମା’ଙ୍କ ହାତ ରନ୍ଧା ଖାଦ୍ୟରେ ଖୁବ୍ ସନ୍ତୁଷ୍ଟ ହୋଇଥିଲେ ବନ୍ଧୁମାନେ ।  ଏହାପରେ ମୁନଫ ‘ଦ ବୋହରୀ କିଚେନ’ର ଏକ ଫେସବୁକ୍ ପେଜ୍ କଲେ । ଯାହାପରେ ଗ୍ରାହକଙ୍କ ସଂଖ୍ୟା  ବଢି ଚାଲିଥିଲା ।  ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟି ଯାଏ ସବୁ ଶ୍ରେଣୀୟ ଲୋକେ ଏହି ବୋହରୀ କିଚେନର ଗ୍ରାହକ ପାଲଟିଥିଲେ ।  ଏହି କିଚେନ ତିଆରି ମଟନ୍ ସିଙ୍ଗଡା ଓ ଅନ୍ୟ ସବୁ ଖାଦ୍ୟ ସମସ୍ତଙ୍କର ପସନ୍ଦ ଥିଲା ।

ଧୀରେ ଧୀରେ ବଢିଚାଲିଲା ମୁନଫର ବ୍ୟବସାୟ ।  ଲୋକପ୍ରିୟ ହେବାପରେ  ଘରେ ଖାଦ୍ୟ ପହଁଚାଇବାର କାମ ଆରମ୍ଭ କଲେ ସେ ।  ଏହାପରେ ସେ ଖୋଲିଲେ ଏକ ରେଷ୍ଟୁରାଂଟ । ଖୁବ୍ କମ୍ ଦିନରେ ଭଲ ଆୟ କଲା ଏହି ରେଷ୍ଟୁରାଂଟ । ମୁନଫଙ୍କ ଏହି ସଫଳାରେ ଫୋବର୍ସ ପକ୍ଷରୁ ପ୍ରକାଶିତ  ୩୦ବର୍ଷ ବୟସରୁ  କମ୍ ଉଦ୍ୟୋଗପତିଙ୍କ ତାଲିକାରେ  ମୁନଫ ହୋଇଛନ୍ତି ସାମିଲ୍ । ଆଜି ନିଜର ସମସ୍ତ ସଫଳତାର ଶ୍ରେୟ ସେ ନିଜ ମା’ଙ୍କୁ ଦିଅନ୍ତି । ମୁନଫ ଆଜି ପାଲଟିଛନ୍ତି ଅନେକ ଯୁବକଙ୍କ ଆଦର୍ଶ । ନିଜର ଦୃଢ ମନୋବଳରେ ନିଜେ କରିଦେଖେଇବାର ପ୍ରାୟସ ଆଜି ତାଙ୍କୁ ଦେଇଛି ଜଣେ ଯୁବଉଦ୍ୟୋଗପତିର ପରିଚୟ । ଯେଉଁଥିପାଇଁ ସେ ହୋଇଛନ୍ତି ପ୍ରଶଂସିତ ।

 (ସୌଜନ୍ୟ-ଇୟୋର ଷ୍ଟୋରୀ)