ଗରିବ ପିଲାଙ୍କୁ ଶିକ୍ଷାର ସ୍ରୋତ ଆଡକୁ ନେଉଥିବା ଏକ ସଂସ୍ଥା ! ଯେଉଁଠି ମାଟି ଏବଂ କାଠରେ ପ୍ରସ୍ତୁତ ହୋଇଛି ସ୍କୁଲ୍ , ମାଗଣାରେ ପାଠ ପଢୁଛନ୍ତି ପିଲା

110

ଦେଶରେ ଶିକ୍ଷାକୁ ବଢାଇବା ପାଇଁ ଅନେକ ପ୍ରକାର ପ୍ରୋଗ୍ରାମ୍ କରାଯାଏ । କିନ୍ତୁ ଯେଉଁଠି ସରକାରଙ୍କ ସାହାଯ୍ୟ ପହଁଚିବା କଥା ସେଠାରେ ଏହା ଫେଲ୍ ମାରିଥାଏ । ଏଭଳି ସ୍ଥିତିରେ କିଛି ବେସରକାରୀ ସଂସ୍ଥା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହ ସଂଯୋଗ କରିବାର କାମ କରିଥାନ୍ତି । କର୍ଣ୍ଣାଟକର କୁର୍ଗ ଜିଲ୍ଲା ସ୍ଥିତ ‘ବିଲ୍ଡିଙ୍ଗ୍ ବ୍ଲକ୍ସ’ ଏନଜିଓ ମଧ୍ୟ ଏବେ ଏହି ପ୍ରୟାସରେ ଲାଗିଛି । କୁର୍ଗ ଜିଲ୍ଲାର ସିଦ୍ଧପୁରାରେ ଥିବା ଏହି ଏନଜିଓ ବର୍ତ୍ତମାନ ସମୟରେ ୪୦ ଜଣ ଅଭାବୀ ପିଲାଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେଉଛି ।

‘ବିଲ୍ଡିଙ୍ଗ୍ ବ୍ଲକ୍ସ’ ଏନଜିଓର ଖାସ୍ କଥା ହେଉଛି ଏହା ଏକ “ଇକୋ ଫ୍ରେଣ୍ଡଲି” ଏନଜିଓ । ମାଟି ଏବଂ କାଠରେ ପ୍ରସ୍ତୁତ ହୋଇଥିବା ଏହି ଏନଜିଓର ୧୦ ଟି ସେଣ୍ଟର ରହିଛି । ଏହା ଜରିଆରେ ୩ ରୁ ୬ ବର୍ଷ ପର୍ଯ୍ୟନ୍ତ ୮୪୦ ପିଲାଙ୍କୁ ପାଠ ପଢାଇବାର ମହତ୍ ପୂର୍ଣ୍ଣ କାମ କରୁଛି ଏହି ସଂସ୍ଥା । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏନଜିଓର ସଂସ୍ଥାପକ ଜେମସ୍ ଆମବଟ୍ କହିଥିଲେ ଯେ , ମାଟିଘରେ ରହି ଆସୁଥିବା ଏବଂ ଅଭାବକୁ ପାଖରୁ ଦେଖି ଆସୁଥିବା ପିଲାମାନଙ୍କ ପାଇଁ କିଣ୍ଡରଗାର୍ଡେନ୍ ବଦଳରେ ସିଧାସଳଖ ସରକାରୀ ସ୍କୁଲ ପଠାଇବା ଆଦୌ ଗ୍ରହଣୀୟ ନୁହେଁ ।

ଏହି ସମୟରେ ପିଲାମାନଙ୍କ ମସ୍ତିଷ୍କରେ ଉଚ୍ଚସ୍ତରର ପାଠ୍ୟକ୍ରମ ସହ ତାଳମେଳ ରଖିବା କଷ୍ଟକର ହୋଇଥାଏ । ଏହି କାରଣରୁ ଆମେ ୩ ରୁ ୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ଦେଇଥାଉ । “ମର୍ଣ୍ଣିଙ୍ଗ୍ ଗ୍ଲୋରୀ” (ସକାଳର ଆଲୋକ) ନାମରେ ପ୍ରସିଦ୍ଧ ଏହି ଏନଜିଓର ସ୍କୁଲ୍ ନିଜ ସୁନ୍ଦରତା ଗଠନଶୈଳୀକୁ ନେଇ ଅଭିଭାବକ ଏବଂ ପିଲାମାନଙ୍କୁ ମଧ୍ୟ ନିଜ ଆଡକୁ ଆକର୍ଷିତ କରୁଛି । ପିଲାମାନଙ୍କୁ ଏକ ଶୈକ୍ଷିକ ଏବଂ ପ୍ରାକୃତିକ ବାତାବରଣ ଦେବା ପାଇଁ ‘ବିଲ୍ଡିଙ୍ଗ୍ ବ୍ଲକ୍ସ’ ନିଜର ସବୁ ବିଲଡିଙ୍ଗ୍ କୁ ସୃଜନଶୀଳ ଭାବରେ ପ୍ରସ୍ତୁତ କରିଛି ।

ଶାନ୍ତ ଏବଂ ଶୁଦ୍ଧ ପରିବେଶ ଭିତରେ ପିଲାମାନଙ୍କୁ ଏଠାରେ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ଇଂରାଜୀ ମାଧ୍ୟମ ଏହି ସ୍କୁଲରେ ପିଲାମାନଙ୍କୁ ଦିନକୁ ଦୁଇଓଳା ଭୋଜନ ସହ ପୁସ୍ତକ , ଷ୍ଟେସନାରୀ ଏବଂ ମାଗଣାରେ ସ୍କୁଲ୍ ବ୍ୟାଗ୍ ମଧ୍ୟ ଦିଆଯାଏ । ଏଠାରେ ପିଲାମାନଙ୍କ ମାନସିକ ଏବଂ ଶାରୀରିକ ବିକାଶ ସହ ଜଡିତ ଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ।