ବିଦେଶ ଗଲା ରସଗୋଲା ଯୁଦ୍ଧ ! ଏଫିଲ ଟାୱାର ସାମନାରେ ଅଭିନବ ପ୍ରତିବାଦ

124

କନକ ବ୍ୟୁରୋ : ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ଅନେକ ଦିନ ଧରି ଚାଲିଥିବା ରସଗୋଲା ଯୁଦ୍ଧରେ ଜିତିଛି ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗକୁ ମିଳିଛି ଜିଆଇ ଟାଗ୍ । ରସଗୋଲାକୁ ନେଇ ଓଡିଶା- ପଶ୍ଚିମବଙ୍ଗ ମଧ୍ୟରେ ଯୁଦ୍ଧ ଏକ ସଂସ୍କୃତଗତ ଡିବେଟ୍ ପାଲଟିଯାଇଛି । ପଶ୍ଚିମବଙ୍ଗ ,ରସଗୋଲାର ବେଙ୍ଗଲୀ ରସଗୋଲା ଜିଆଇ ଟାଗ୍ ହାସଲ କରିଛି । ସୂଚନାଯୋଗ୍ୟ ଯେ , ରସଗୋଲାକୁ ନେଇ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ୨ବର୍ଷ ତଳେ ଲଢେଇ ଆରମ୍ଭ ହୋଇଥିଲା । ପଶ୍ଚିମ ବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତିକ ସଂପତ୍ତି କାର୍ଯ୍ୟାଳୟରେ ଆବେଦନ କରିଥିଲା ।

ଜଣେ ଓଡିଆ ଯୁବକ ପ୍ୟାରିସର ପ୍ରସିଦ୍ଧ ଏଫିଲ୍ ଟାୱାର ସାମନାରେ ଏକ ପ୍ଲାକାର୍ଡ ଧରି କିଛି ବାର୍ତ୍ତା ଦେଇଛନ୍ତି । ଯାହା ଏବେ ଖୁବ୍ ଚର୍ଚ୍ଚାରେ । ଏହି ଯୁବକ ତାଙ୍କର ବନ୍ଧୁମାନଙ୍କୁ ଏହି ବିଷୟରେ ବାର୍ତ୍ତା ଦେଇଛନ୍ତି ଯେ ରସଗୋଲା ଓଡିଶାର । ଏଫିଲ୍ ଟାୱାର ସହ ରସଗୋଲାକୁ ନେଇ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ସାଜିଛି । ଏବଂ ଏହି ରସଗୋଲା ଯୁଦ୍ଧକୁ ଆଉ ଏକ ସ୍ତରକୁ ନେଇଯାଇଛି । ଏହି ପ୍ଲାକାର୍ଡରେ ଲେଖାଯାଇଛି –‘ ରସଗୋଲା ଆମର ଥିଲା ଆମର ଅଛି , ଆଉ ରହିବ ମଧ୍ୟ … ଜୟ ଜଗନ୍ନାଥ ! ’ ସେହି ସାଙ୍ଗମାନଙ୍କ ମଧ୍ୟରୁ କେହି ଜଣେ ଏହାକୁ ସୋସିଆଲରେ ପୋଷ୍ଟ କରିଛନ୍ତି । ଯାହା ବହୁତ ଆଦୃତ ହୋଇଛି ସୋସିଆଲ ମିଡିଆରେ । ଏବଂ ଅନେକ କମେଂଟ ଓ ପ୍ରତିକ୍ରିୟା ମିଳିଛି ଏହାକୁ ନେଇ ।

ଯେତେବେଳେ ପଚରାଯାଇଥିଲା କାହିକି ସେ ଏମିତି ଏକ ସ୍ୱତନ୍ତ୍ର ଲୋକେସନକୁ ବାଛିଲେ , ଯାହାକୁ ଏକ ରୋମାଂଟିକ୍ ସ୍ପଟ ଭାବେ ଇତିହାସରେ ଦର୍ଶାଯାଇଛି , ସେ କହିଥିଲେ , ଏହା ହେଉଛି ଶ୍ରଦ୍ଧାପ୍ରୀତି । ନିଜ ରାଜ୍ୟକୁ ଭଲପାଇବାର ନିଦର୍ଶନ । ଆଉ ଓଡିଆ ସଂସ୍କୃତିକୁ ହୃଦୟତାର ସହ ଭଲପାଇବା । ଅନେକକିଛି ଅଛି ଓଡିଶା ବିଷୟରେ ଲୋକେ ତାହା ଜାଣିପାରନ୍ତି ନାହିଁ । ଆମକୁ ଏହାକୁ ଚାରିଆଡେ ପ୍ରଚାର କରିବା ନିହାତି ଦରକାର । ଆମେ ସବୁ ଓଡିଆ ନିଶ୍ଚୟ ନିଜକୁ ଓଡିଆ ଭାବେ ଗର୍ବ କରୁ ଆମର ଭାଷା , ସଂସ୍କୃତି ଓ ଖାଦ୍ୟକୁ ନେଇ । ଆମେ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର । ଶେଷରେ ,ଏହା ସହ ଏହି ଯୁବକ କହିଥିଲେ -ବନ୍ଦେ ଉତ୍କଳ ଜନନୀ ।

ରସଗୋଲାର ଜିଆଇ ଟାଗ୍ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲାଗିଥିବା ସଂସ୍କୃତିଗତ ଯୁଦ୍ଧରେ ନିଶ୍ଚୟ ଏହା ଏକ ନୂତନ ଅଭିଯାନ । ଯାହା ଏଇ ଯୁବକଙ୍କ ନିଜ ରାଜ୍ୟ ପ୍ରତି ଶ୍ରଦ୍ଧା ପ୍ରୀତିର ପ୍ରତୀକ ।

( ସୌଜନ୍ୟ- ଓଡିଶା ସନ୍ ଟାଇମ୍ସ)