ଶେଷ ହେଲା ତୃତୀୟ ପରୀକ୍ଷା, ଠିକ୍ ମାସକ ପରେ ବାହାରିବ ରେଜଲ୍ଟ ।

254

କନକ ବ୍ୟୁରୋ: ଶେଷ ହେଲା ତୃତୀୟ ପର୍ଯ୍ୟାୟ ମତଦାନ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୬ଟି ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ମତ ସାବ୍ୟସ୍ତ କରି ନିଜ ଅଞ୍ଚଳ ପାଇଁ ସିପାହୀ ବାଛିଛନ୍ତି ଜନତା ଜନାର୍ଦ୍ଦନ । ତେବେ ମୋଟ୍ ୧୦ ହଜାର ୪୬୪ଟି ପୋଲିଂ ବୁଥରେ ଭୋଟ୍ ଗ୍ରହଣ କରାଯାଇଥଲା । ଆଉ ଏହି ମତଦାନରେ ରାଜ୍ୟର ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା ଜନାର୍ଦ୍ଦନ ।

ଅନ୍ୟପଟେ ଆସନ୍ତା ୨୯ ତାରିଖ ଚତୁର୍ଥ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ୬ଟି ସଂସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭା ଆସନ ପାଇଁ ଲଢ଼େଇ ଜୋରଦାର ହେବ । ଆଉ ଶେଷ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ତେବେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଜକ ଠିକ୍ ମାସକ ପରେ ଅର୍ଥାତ୍ ଆସନ୍ତା ମେ’ ୨୩ ତାରିଖରେ ପ୍ରକାଶ ପାଇବ ପରୀକ୍ଷା ଫଳ ।

ଅନ୍ୟପଟେ ନିର୍ବାଚନ ଶେଷ ପରେ ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ ହେଉଛି । କାରଣ ରାଜ୍ୟର ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚଳିତ ଥର କଡ଼ା ମୁକାବିଲା ହେବ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି । ହେଲେ ଅନ୍ୟପଟେ ବିଭିନ୍ନ ଦଳର ଶୀର୍ଷ ନେତାମାନେ ଶେଷ ପର୍ଯ୍ୟାୟ ପାଇଁ କମର କଷିଛନ୍ତି । ଆଉ ଶେଷ ଲଢ଼େଇରେ ବାଜିମାତ୍ କରିବା ପାଇଁ ଶୀର୍ଷ ନେତାମାନେ ରାଜନୀତି ରଣାଙ୍ଗନରେ ରଣ ହୁଙ୍କାର ଦେଉଛନ୍ତି । ତେବେ ଦେଖିବାର କଥା ଆସନ୍ତା ୨୩ର ଫଳାଫଳ କାହା ଶିବିରରେ ହସ ଆଉ କାହା ଶିବିରକୁ ଝଟକା ଦେଉଛି ।