ସେନାରେ ସାମିଲ ହେଲା ପରମାଣୁ ଶକ୍ତି ସମ୍ପନ୍ନ ବୁଡାଜାହାଜ ଆଇଏନଏସ୍ କରଞ୍ଜ ! ବଢ଼ିବ ନୌସେନାର ଶକ୍ତି ଓ ସାମର୍ଥ୍ୟ

61

କନକ ବ୍ୟୁରୋ : ବଢ଼ିଲା ନୌସେନାର ଶକ୍ତି । ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଆଇଏନଏସ୍ କରଂଜ୍ । ଏହି ସ୍କୋର୍ପିୟନ୍ ଶ୍ରେଣୀୟ ବୁଡ଼ାଜାହାଜକୁ ମୁମ୍ବାଇର ମଡଗାୱଁ ଡକରେ ନୌସେନାରେ ସାମିଲ କରାଯାଇଛି । କରଞ୍ଜକୁ ମେକ ଇନ୍ ଇଣ୍ଡିଆ ପ୍ରୋଜେକ୍ଟ ଆଧାରରେ ନିର୍ମାଣ କରାଯାଇଛି । କଲବରୀ ଓ ଖଂଣ୍ଡେରୀ ପରେ ଏହା ତୃତୀୟ ବୁଡାଜାହାଜ ଭାବେ ନୌସେନାରେ ସାମିଲ ହୋଇଛି । କରଞ୍ଜ ସାମିଲ ହେବା ପରେ ଭାରତୀୟ ନୌସେନାର ଶକ୍ତିି ବୃଦ୍ଧି ପାଇଛି । ହିନ୍ଦ୍ ମହାସାଗରରେ ଚୀନର ବଢ଼ୁଥିବା ଶକ୍ତି ଓ ଆରବ ସାଗରରେ ପାକିସ୍ତାନର ବଢ଼ୁଥିବା ଶକ୍ତିିର ମୁକାବିଲା କରିବା ପାଇଁ କରଞ୍ଜ ବଡ ଭୂମିକା ଗ୍ରହଣ କରିବ । ଏପରିକି ଅତ୍ୟାଧୁନିକ ଜ୍ଞାନକୌ ଶଳରେ ନିର୍ମିତ ଏହି ବୁଡାଜାହାଜକୁ ଚୀନ୍ ଓ ପାକିସ୍ତାନ ରାଡାର ଧରିପାରିବ ନାହିଁ । ତେଣୁ ଆତଙ୍କବାଦର ମୁକାବିଲା କ୍ଷେତ୍ରରେ କରଞ୍ଜ ପ୍ରମୁଖ ଭୂମିକା ତୁଲାଇବ ।

୧୯୬୯ ମସିହା ସେପ୍ଟେମ୍ବର ମାସ ୪ ତାରିଖରେ ପୁରୁଣା ‘କରଞ୍ଜ’ ନୌବାହିନୀରେ ସାମିଲ କରାଯାଇଥିଲା । ତାହା ୨୦୦୩ ମସିହା ଅଗଷ୍ଟ ପହିଲା ଦିନ ଅବସର ଗ୍ରହଣ କରିଥିଲା । ତାହା ଦେଶ ପାଇଁ ଦୀର୍ଘ ୩୪ ବର୍ଷ ସେବା କରିବା ସହ ୧୯୭୧ ମସିହା ଯୁଦ୍ଧ ଅଭିଯାନରେ ଭାଗ ନେଇଥିଲା । ଆଜି ତାହା ନୂଆ ଅବତାର ଗ୍ରହଣ କରିଛି । ‘କରଞ୍ଜ’ ପ୍ରଥମ ଥର ପାଇଁ ଜଳରେ ପ୍ରବେଶ କରିବା ପୂର୍ବରୁ ଡକୟାର୍ଡ଼ରେ ଅଥର୍ବ ବେଦ ପାଠ କରାଯାଇଥିଲା । ଏଥିର ଥିବା ଆଧୁନିକ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ରହିଛି ଛପି ରହିବାର ଉନ୍ନତ କୌଶଳ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦୀ ଅସ୍ତ୍ର କ୍ଷେପଣ କ୍ଷମତା । ପାଣିରେ ଡୁବି ରହିଥିବା ବେଳେ କିଂବା ଭାସମାନ ଅବସ୍ଥାରେ ଥିବାବେଳେ ଏଥିରୁ ଟର୍ପେଡୋରେ ଆକ୍ରମଣ କରି ହେବ। ଏଇ ବୁଡ଼ାଜାହାଜର ହାରାହାରି ଲମ୍ବ ୬୭. ୫ ମିଟର ଲମ୍ବ ଏବଂ ଉଚ୍ଚତା ପ୍ରାୟ ୧୨. ୩ ମିଟର ।