ଧରା ପଡିଲେ ବଳାତ୍କାରୀ ! ଗଂଜାମ ପୁଲିସକୁ ମିଳିଲା ବଡ ସଫଳତା

436

କନକ ବ୍ୟୁରୋ: ଗଂଜାମ ପୁଲିସକୁ ମିଳିଛି ବଡ ସଫଳତା । ଗତ ନଭେମ୍ବର ପହିଲାରେ ପୋଲସରା ବ୍ଲକର ଜଣେ ନାବାଳିକାଙ୍କୁ ଘରୁ ଉଠାଇନେଇ ଗଣଦୁଷ୍କର୍ମ  ହୋଇଥିବା ଘଟଣାର ଖୁଲାସା କରିଛି ପୁଲିସ ।  ଘଟଣାରେ ସଂପୃକ୍ତ ୩ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି । ତେବେ ଘରକୁ ଚୋରି କରିବାକୁ ଆସି ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ । ପରେ ପୀଡିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ବର୍ତ୍ତମାନ ମଧ୍ୟ ପୀଡିତା ନାବାଳିକା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ଘଟଣାର ଦୀର୍ଘ ୨୧ ଦିନ ପରେ ଆଜି ୩ ଜଣ ଅଭିଯୁକ୍ତଙ୍କ କବିସୂର୍ଯ୍ୟନଗର ଥାନା ପୁଲିସ ଗିରଫ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଗଂଜାମ ଏସପି ବ୍ରିଜେଶ କୁମାର ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଉଲ୍ଲେଖ ଥାଉ କି, କିଛି ଦିନ ତଳେ ରାତିରେ ତିନି ଜଣ ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ପୋଲସରା ବ୍ଲକର ବାଲିସାହି ଫାଣ୍ଡି ଅଞ୍ଚଳରେ ଜଣଙ୍କ ଘର ଭିତରେ ପଶିଥିଲେ। ଘରେ ପଶି ଟଙ୍କା, ପଇସା ଓ ସୁନାରୂପା ଅଳଙ୍କାର ଚୋରି କରି ନେବା ପରେ ଦୁର୍ବୃତ୍ତମାନେଙ୍କ ପାପ ଆଖି ପଡ଼ିଥିଲା ଘର ଭିତରେ ଶୋଇଥିବା ନାବାଳିକାଙ୍କ ଉପରେ। ଦୁର୍ବୃତ୍ତମାନେ ତାଙ୍କୁ ଘର ବାହାରକୁ ଟେକି ନେଇ ଗଣଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅଟିକୁ ଉଦ୍ଧାର କରି ପ୍ରଥମେ ଆସ୍କା ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସୁଦ୍ଧା ପୀଡିତା ନାବାଳିକା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।