ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ ଲୋକାର୍ପଣକୁ ନେଇ ରାଜନୀତି ! ବିଜେଡି ନେତାଙ୍କ ଅନୁପସ୍ଥିତି ନେଇ ଧର୍ମେନ୍ଦ୍ର କହିଲେ-ବିକାଶ କାମରେ ନହେଉ ଛୋଟ ରାଜନୀତି ।

37

କନକ ବ୍ୟୁରୋ : ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ ଲୋକାର୍ପଣକୁ ନେଇ ରାଜନୀତି । ଲୋକାର୍ପଣ ଉତ୍ସବକୁ ବିଜେଡିର ଜଣେ ହେଲେ ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀ ନଆସିବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଡା ଭାଷାରେ ସମାଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିକାଶ କାମରେ ଏମିତି ଛୋଟ ରାଜନୀତି କରାନଯାଉ । ଜବାବରେ ବିଜେଡି କହିଛି, ବିକାଶ କାମରେ ରାଜ୍ୟର ପୂର୍ଣ୍ଣ ସହଯୋଗ ଅଛି ।

ଭୁବନେଶ୍ୱର ନୂଆ ରେଳଷ୍ଟେସନ୍ ଉଦଘାଟନ ହେବା ପରେ ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସବୁଜ ପତାକା ଦେଖାଇ ମେମୋ ଟ୍ରେନ୍ ଛାଡ଼ିବାର ସିଗ୍ନାଲ ଦେଉଥିଲେ, ସେତେବେଳେ କେବଳ ମେମୋ ଟ୍ରେନ୍ ଗଡ଼ି ନଥିଲା ବରଂ ରାଜନୀତିର ଟ୍ରେନ୍ ମଧ୍ୟ ଗଡିବା ଆରମ୍ଭ ହୋଇସାରିଥିଲା । କାରଣ ନିମନ୍ତ୍ରଣ ସତ୍ୱେ ଶାସକ ବିଜେଡି ଦଳର ଜଣେ ହେଲେ ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀଙ୍କ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଯାହାକୁ ପ୍ରସଙ୍ଗ କରି କଡ଼ା ଭାଷାରେ ସମାଲୋଚନା କରିବାକୁ ପଛାଇନଥିଲେ କେନ୍ଦ୍ରମନ୍ତ୍ରୀ ।

ଭୁବନେଶ୍ୱର ନୂଆ ରେଳ ଷ୍ଟେସନର ଲୋକାର୍ପଣ ଉତ୍ସବକୁ ଭୁବନେଶ୍ୱରର ବିଧାୟକ-ସାଂସଦ, ପୁରୀ ବିଧାୟକ-ସାଂସଦଙ୍କ ସମେତ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏବଂ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସମସ୍ତେ କାର୍ଯ୍ୟକ୍ରମରୁ ଦୂରେଇ ରଖିବା କେନ୍ଦ୍ରମନ୍ତ୍ରୀଙ୍କୁ ରାଜନୀତି କରିବାର ଏକ ବଡ ମୌକା ଆଣି ଦେଇଛି । ଏପଟେ ସଂସ୍କୃତି ମନ୍ତ୍ରୀ ବି ଠିକ୍ ଧର୍ମେନ୍ଦ୍ରଙ୍କ ଶୈଳୀରେ ଜବାବ୍ ରଖିଛନ୍ତି । ଧର୍ମେନ୍ଦ୍ରଙ୍କ ସମାଲୋଚନାର ଜବାବ୍ ଦେବାକୁ ଯାଇ ସଂସ୍କୃତି ମନ୍ତ୍ରୀ- ରେଳବାଇ ସହ ହେବାକୁ ଥିବା ଏମଓୟୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିକାଶ କାମରେ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସହଯୋଗ ଥିବା କହିଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ । ରାଜନୀତିର ଏହି ବୟାନବାଜି ଭିତରେ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ ସମେତ ଭୁବନେଶ୍ୱର ଷ୍ଟେସନରେ ଫୁଟ୍ ଓଭର ବ୍ରିଜ୍, ଖୋର୍ଦ୍ଧା ରୋଡରେ ମେମୋ ଟ୍ରେନ୍ ସେଡ୍, ପୁରୀରେ ପିଆରଏସ୍ କାଉଂଟର ଏବଂ ରଥଯାତ୍ରା ମୋବାଇଲ ଆପର ଉଦଘାଟନ ହୋଇଛି ।