ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୧ରୁ ବଦଳିବ ନିୟମ, ଜାଣନ୍ତୁ ଆପଣଙ୍କୁ ମିଳିବ କଣ ସୁବିଧା?

13,538

କନକ ବ୍ୟୁରୋ : ଫେବ୍ରୁଆରୀ ପହିଲାରୁ ନୂଆ ନିୟମ । ଲର୍ଣ୍ଣିଙ୍ଗ ଲାଇସେନ୍ସ ହେଉ ବା ଡ୍ରାଇଭିଂ ଲାଇସେନ୍ସ ଆବେଦନ, ଏଣିକି ଆଉ ଆପଣଙ୍କୁ ଏଥିପାଇଁ ଆବଶ୍ୟକ ଥିବା କାଗଜପତ୍ର ସାଙ୍ଗରେ ବୋହିବାକୁ ପଡିବ ନାହିଁ । କାରଣ ଫେବ୍ରୁଆରୀ ୧ରୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଲର୍ଣ୍ଣର ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ସମ୍ପୂର୍ଣ୍ଣ ଡିଜିଟାଲ ଫର୍ମାଟରେ କାର୍ଯ୍ୟ କରିବ । ଆବେଦନ ବେଳେ ଆପଣ ଡିଜିଟାଲ ଫର୍ମାଟରେ ସମସ୍ତ କାଗଜପତ୍ର ଡିପୋଜିଟ କରିପାରିବେ । ଏଥିପାଇଁ ସମସ୍ତ କାଗଜପତ୍ରକୁ ସ୍କାନ କରି ଆପଣ ରଖିପାରିବେ ।

ପୂର୍ବରୁ ଲାଇସେନ୍ସ ଆବେଦନ ପାଇଁ ଆବଶ୍ୟକୀୟ କାଗଜପତ୍ର ସହ ଆବେଦନ ଫର୍ମ, ସ୍ଲଟ ବୁକିଂ ସ୍ଲିପ୍ ଓ ସମସ୍ତ ପେମେଣ୍ଟର ହାର୍ଡ କପି ବା ପ୍ରିଣ୍ଟ ଆଉଟ ଦେବାକୁ ପଡୁଥିଲା । କିନ୍ତୁ ନୂଆ ନିୟମରେ ଏସବୁ କାଗଜପତ୍ର ଅନଲାଇନରେ ଅପଲୋଡ କରିପାରିବେ ଆବେଦନକାରୀ । ଉଭୟ ଏଲଏଲ ଓ ଡିଏଲ ଆବେଦନ କ୍ଷେତ୍ରରେ ଏହା ଲାଗୁ କରାଯାଇପାରିବ । ଆପଣଙ୍କ ଦେୟ ରସିଦ ସହ ଠିକଣା, ଜନ୍ମ ପ୍ରମାଣ ପତ୍ର ଓ ପରିଚୟ ପତ୍ର ଅନଲାଇନରେ ଦାଖଲ କରି ମଧ୍ୟ ଆବେଦନକାରୀ ପୂର୍ବଭଳି ସମସ୍ତ ସୁବିଧା ପାଇପାରିବେ । ତେବେ ଯଦି ଆଧାରକାର୍ଡରେ ଠିକଣା ଓ ଜନ୍ମ ତାରିଖ ସଠିକ୍ ଭାବରେ ଉଲ୍ଲେଖ ରହିଥାଏ ତେବେ ଅନ୍ୟ କୌଣସି ପ୍ରମାଣପତ୍ର ଆଦେବନକାରୀଙ୍କୁ ଦେବାର ଆବଶ୍ୟକତା ନାହିଁ । ସମସ୍ତ କାଗଜପତ୍ର ଡିଜିଟାଲ ଫର୍ମାଟରେ ଗ୍ରହଣ କରିବା ଦ୍ୱାରା ଆରଟିଓ ଅଫିସରେ ଭିଡ କମିବ ବୋଲି ପରିବହନ ବିଭାଗ ଆକଳନ କରୁଛି ।

ତେବେ ଏହି କାଗଜପତ୍ର ଅନଲାଇନରେ ଦାଖଲ କରିବା ପୂର୍ବରୁ ନିଦ୍ଧିଷ୍ଟ ଦିଗ ଉପରେ ଧ୍ୟାନ ଦେବାକୁ ପଡିବ ।
– ପ୍ରତି ଡକ୍ୟୁମେଣ୍ଟ ସ୍କାନ କରିବା ସହ ଏହାକୁ ୨୦୦ କେବିରୁ କମ ସାଇଜର କରି ପିଡିଏଫ କିମ୍ବା ଜେପିଇଜି ଫର୍ମାଟରେ ଅପଲୋଡ କରିବାକୁ ପଡିବ ।
– ଅନଲାଇନରେ ଡିପୋଜିଟ୍ ସମୟରେ ଏହା ସ୍ପଷ୍ଟ ଦେଖାଯାଉଥିବା ଆବଶ୍ୟକ ନଚେତ ଆବେଦନକାରୀଙ୍କ ଦରଖାସ୍ତ ଯାଞ୍ଚ ସମୟରେ ଫେରାଇ ଦିଆଯିବ ।
– ଆବେଦନକାରୀ ଏଲଏଲ କିମ୍ବା ଡିଏଲ ଟେଷ୍ଟ ପାଇଁ ଆସିବା ସମୟରେ ଅନଲାଇନରେ ଅପଲୋଡ କରାଯାଇଥିବା ପ୍ରମାଣପତ୍ର ଆଣିବେ ।
– ଯେଉଁମାନେ ଫେବ୍ରୁଆରୀ ୧ ପୂର୍ବରୁ ଆବେଦନ କରିଛନ୍ତି ଏବଂ କାଜଗପତ୍ର ଅପଲୋଡ କରିନାହାନ୍ତି ସେମାନେ ଡକ୍ୟୁମେଣ୍ଟ ଗୁଡିକର ଅସଲି ପ୍ରମାଣପତ୍ର ଆଣିବେ ।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଓ ଗାଡି କାଗଜପତ୍ର ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତେବେ ସମୟ ନ ଦେଇ ଗାଡି କାଗଜପତ୍ର ଯାଞ୍ଚକୁ ପ୍ରବଳ ବିରୋଧ କରିଥିଲେ ସାଧାରଣ ଲୋକ । ଏପରିକି ଗାଡି କାଗଜପତ୍ର ଯାଞ୍ଚକୁ ନେଇ ଭୁବନେଶ୍ୱରରେ ପୋଲିସ-ସାଧାରଣ ଲୋକଙ୍କ ମଧ୍ୟରେ ମହାଭାରତ ଦେଖିବାକୁ ମିଳିଥିଲା । ତେବେ ଏହି ନିୟମକୁ ଗତ ଡିସେମ୍ବରରୁ ୩ ମାସ ପାଇଁ କୋହଳ କରିଥିଲେ ରାଜ୍ୟ ସରକାର । ଆଉ ଏହି ସମୟସୀମା ମଧ୍ୟରେ ଗାଡିର ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଗୋଟିଏ ପଟେ ଗାଡି କାଗଜପତ୍ର ଉପରେ କଟକଣା କୋହଳ କରାଯାଇଥିବା ବେଳେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ କିନ୍ତୁ ସାବାଡ କରିବାକୁ ଛକେ ଛକେ ଜଗୁଛନ୍ତି ପୋଲିସ । ଏପରିକି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଧରାପଡିବା ମାତ୍ରେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଖାସକରି ରଙ୍ଗ ରୁଟରେ ଗାଡି ଚଳାଇବା, ବିନା ହେଲମେଟ, ମୋବାଇଲରେ କଥା ହୋଇ ଗାଡି ଚଳାଉଥିବା ଚାଳକଙ୍କୁ ଧରୁଛି ପୋଲିସ । ଏପରିକି ଯେଉଁ ଟ୍ରାଫିକ ନିୟମ ଉଲ୍ଲଘଂନକାରୀ ପୋଲିସ ପଞ୍ଝାରୁ ଖସି ଯାଉଛନ୍ତି ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କ ପାଖକୁ ଚାଲାଣ ପଠାଯାଉଛି । ଏସବୁ ଭିତରେ ଆଉ ଦିନ କେଇଟା ପରେ ସରକାର ଦେଇଥିବା ଡେଡଲାଇନ ଶେଷ ହେବାକୁ ବସିଛି । ତେଣୁ ପୁଣିଥରେ ଲାଇସେନ୍ସ ପାଇଁ ଆରଟିଓ ଅଫିସରେ ଭିଡ ଜମାଇଲେଣି ଗାଡି ଚାଳକ ।