ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଶୋକ ମଲ୍ଲିକ କହିଲେ ହୋଇନି ଦୁର୍ବ୍ୟବହାର

35

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ହୋଇନି ଦୁର୍ବ୍ୟବହାର । ଏହା ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଶୋକ ମଲ୍ଲିକ । ଏହା ସହିତ ରାଷ୍ଟ୍ରପତି ଭବନରୁୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନକୁ ଦୁର୍ବ୍ୟବହାର ଘଟଣା ନେଇ କୈାଣସି ଚିଠି ଆସିଥିବା କଥାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ମଲ୍ଲିକ୍ କହିଛନ୍ତି, ରାଷ୍ଟ୍ରପତି ଭବନରୁ ଏମିତି କୈାଣସି ଚିଠି ପଠାଯାଇନାହିଁ । ଯଦି ରାଷ୍ଟ୍ରପତି ଭବନ ପକ୍ଷରୁ ଏଭଳି ଚିିଠି ଆସିଛି ବୋଲି କେହି ଅଭିଯୋଗ କରୁଛନ୍ତି, ତେବେ ସେହି ଚିଠିକୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ । ଏନେଇ ଯେଉଁ ସବୁ ତଥ୍ୟ ପ୍ରକାଶ ପାଇଛି ତାହା ସବୁ କଳ୍ପନାଜଳ୍ପନା ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି ରାଷ୍ଟ୍ରପତିଙ୍କ ଗସ୍ତ ଦିନ କେତେ ଜଣ ସେବାୟତ ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ନିକଟକୁ ଆସିବାକୁ ଚାହିଁଥିଲେ କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ । ଏବଂ ସେହି ବିବାଦ ସେଠି ହିଁ ସମାପ୍ତ ହୋଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରାଷ୍ଟ୍ରପତି ଭବନରୁ ଚିଠି ଆସିନଥିଲା କାହିଁକି ହେଲା ରିଜୋଲ୍ୟୁସନ? ଏହି ପ୍ରସଙ୍ଗ ଉଠାଇଲା କିଏ ? ରାଷ୍ଟ୍ରପତିଙ୍କ ନାଁରେ କାହିଁକି ସୃଷ୍ଟି କରାଗଲା ବିବାଦ?

ପୁରୀ ଶ୍ରୀମନ୍ଦିରର ଦୁଇ ଜଣ ସେବାୟତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଆସିଥିଲା ଅଭିଯୋଗ । ଏ ନେଇ ରାଷ୍ଟ୍ରପତି ଭବନରୁ ଚିଠି ଆସିଥିଲା । ଗତ ମାର୍ଚ୍ଚ ୧୮ରେ ରାଷ୍ଟ୍ରପତି ସସ୍ତ୍ରୀକ ପୁରୀ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ଦେହରେ ଏହି ଦୁଇଜଣ ସେବାୟତ ଘଷି ହୋଇ ଯାଇଥିଲେ ।ତେବେ ଏମିତି ଏକ ସାଙ୍ଘାତିକ ଅଭିଯୋଗ ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ ରାଷ୍ଟ୍ରପତି ଭବନରୁ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଏକ ଚିଠି ଆସିଥିଲା । ଯେଉଁ ଚିଠିରେ ଦର୍ଶାଯାଇଥିଲା ଯେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ବେଳେ ଦୁଇ ଜଣ ସେବାୟତ ତାଙ୍କ ଦେହରେ ଓ ପତ୍ନୀ ସବିତା କୋବିନ୍ଦଙ୍କ ଦେହରେ ଘଷି ହୋଇଯାଇଥିଲେ । ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ପରେ ସେବାୟତଙ୍କୁ କୌଣସି ଦକ୍ଷିଣା ଦେଇ ନଥିବା ନେଇ ମଧ୍ୟ ସେବାୟତ ଗଣମାଧ୍ୟମରେ ବୟାନ ଦେଇଥିଲେ । ଯାହାକୁ ନେଇ ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା ।