ଆପଣ ଖାଉଥିବା ଗୁପଚୁପର ଅଛି ୧୦ ଟି ଭିନ୍ନ ଭିନ୍ନ ନାଁ ! ଆପଣ କେତୋଟି ଜାଣିଛନ୍ତି ?

233

କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୁହିକ ମୂଲ୍ୟବୋଧରେ ଥିବା ପରିପକ୍ଵତା ଓ ମାର୍ଜିତ ଚିନ୍ତାଧାରାର ପ୍ରତିଫଳନ ହେଉଛି ସଂସ୍କୃତି । ଆଚାର ଓ ବ୍ୟବହାର , ଖାଦ୍ୟ ଓ ପୋଷାକ , ଭାଷା ଓ ସାହିତ୍ୟ ଶିକ୍ଷା ଓ ଜ୍ଞାନ, ବିଜ୍ଞାନ , ଓ ବୈଷୟିକ ବିଦ୍ୟା , ଧର୍ମ ଓ ବିଶ୍ଵାସ , ପ୍ରଥା ଓ ପରମ୍ଫରା, ପର୍ବପର୍ବାଣି ଓ ରୀତିନୀତି , ନୃତ୍ୟ ଓ ସଂଗୀତ , ଏବଂ କଳା ଓ ସ୍ଥାପତ୍ୟ ହେଉଛି ସଂସ୍କୃତିର ଉପାଦାନ । ଯେଉଁ ଦେଶରେ ସଂସ୍କୃତି ସେତିକି ମହାନ । ଏହି ପରିପ୍ରେକ୍ଷୀରେ ଭାରତୀୟ ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର । ଏହାର ଏକ ସ୍ଵତନ୍ତ୍ର ରହିଛି । ଆପଣ ଜାଣିଛନ୍ତି ଭାରତ ଖାଦ୍ୟ ପେୟ ରେ ବି ଭିନ୍ନ । ଭାରତରେ କ୍ଷେତ୍ର ଆଧାରରେ ଖାଦ୍ୟର ବିଭିନ୍ନ ନାମ ଅଛି । ସେମିତି ଭାରତରେ ୧୦ଟି ଭିନ୍ନ ପ୍ରକାରର ଗୁପଚୁପ ମିଳେ । ଭାରତର ସବୁବେଳେ ଲୋକପ୍ରିୟ ଷ୍ଟ୍ରିଟ ଫୁଡକୁ ଦେଶର ବିଭିନ୍ନ ଅଂଚଳରେ ଅଲଗା ଅଲଗା ନାମରେ ଜଣାଯାଏ । ପ୍ରାୟତଃ ଅଧିକାଂଶ ସମୟରେ ଗୁପଚୁପର ରେସିପି ସମାନ ଥାଏ, ହେଲେ ତାର ସ୍ୱାଦରେ ବହୁତ ପାର୍ଥକ୍ୟ ଥାଏ । ଗୁପଚୁପ ଓ ପୁଚକା ଖାଉଥିବା ଲୋକ ଗୋଲଗପ୍ପା ଓ ପାନିପୁରିର ସ୍ୱାଦ ସହିତ ଆଡଜଷ୍ଟ କରିପାରନ୍ତିନି କାହିଁକି ? ଆସନ୍ତୁ ଜାଣିବା ସବୁଠୁ ଲୋକପ୍ରିୟ ଗୁପଚୁପର ପ୍ରକାର ବିଷୟରେ ।

୧. ପାନିପୁରି : ଏହା ଛଣାହୋଇଥିବା ଗୋଲ ଆକୃତିର ଫମ୍ପା ପୁରି ଯେଉଁଥିରେ ଆଳୁ, ବୁଟ ଓ ଚାଟ ମସଲାର ମିଶ୍ରଣ ଥାଏ । ଏହାକୁ ମିଠା, ମସଲା ଯୁକ୍ତ ପାଣି ଓ ତେନ୍ତୁଳି ଚଟଣି ରେ ଖିଆ ହୁଏ । ଏହା ଏକ ପ୍ରସିଦ୍ଧ ଷ୍ଟ୍ରିଟ ସ୍ନାକ ଯାହାର ସ୍ୱାଦ ବିଭିନ୍ନ ଅଂଚଳ ଅନୁଯାୟୀ ଭିନ୍ନ ଭିନ୍ନ ।

୨. ଗୁପଚୁପ : ଗୁପଚୁପ ଏକ ମଜାକିଆ ନାଁ । କାରଣ ଏହା ମୁହଁ ଭିତରେ ଭର୍ତ୍ତି ହୋଇଯାଏ ଓ ଖଟା ପାଣିର ସ୍ୱାଦ ଆପଣଙ୍କୁ କିଛି ସମୟ କହିବାକୁ ଦିଏନି । ଆପଣ ଏହାର ମଜା ନେଇଥାନ୍ତି । ଓଡିଶା, ଝାରଖଣ୍ଡ, ଛତିଶଗଡ, ବିହାରର କିଛି ଅଂଚଳ, ହାଇଦ୍ରାବାଦ ଓ ତେଲେଙ୍ଗାନାରେ ଏହାକୁ ଗୁପଚୁପ କୁହାଯାଏ । ଆଳୁ, ଧଳା ମଟର ଓ ବୁଟ ଭର୍ତ୍ତି ଗୁପଚୁପକୁ ଖଟା-ମିଠା ପାଣିରେ ଖାଆନ୍ତି ।

୩. ପୁଚକା : ଭାରତର ପୂର୍ବାଂଚଳରେ ଅର୍ଥାତ ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ଏହା ପୁଚକା ନାମରେ ଜଣା । ସିଝା ଚଣା ଓ ଆଳୁରେ ଭର୍ତ୍ତି ଏହି ପୁଚକାକୁ ଖଟା ଚଟଣି ଓ ମସଲା ଯୁକ୍ତ ପାଣି ସହିତ ଖାଆନ୍ତି । ଏହା ସାଧାରଣ ପୁରୀ ଅପେକ୍ଷା ଟିକେ ବଡ ଥାଏ । ଏହା ଗହମ ଅଟାରେ ତିଆରି ।

୪. ପକୋଡି : ଏହି ପକୋଡିର ମାନେ ବେସନ ତିଆରି ପକୁଡି ନୁହେଁ । ଏହା ଏକ ପ୍ରକାରର ଗୁପଚୁପ ଯାହାକୁ ଅଭ୍ୟନ୍ତର ଗୁଜରାଟ ଓ ମଧ୍ୟ ପ୍ରଦେଶରେ ପକୋଡି କୁହାଯାଏ । କଂଚା ଲଙ୍କା ଓ ପୁଦିନା ପତ୍ରରେ ତିଆରି ପାଣି ଓ ଛଣା ସେଓ ଏହାର ସ୍ୱାଦକୁ ଦ୍ୱିଗୁଣିତ କରି ଦିଏ ।

୫. ପଡାକା : ଗୁପଚୁପକୁ ଉତ୍ତର ପ୍ରଦେଶର ଅଲିଗଡରେ ପଡାକା କୁହାଯାଏ । ଏହାର ରେସିପି ପାଖାପାଖି ସମାନ ଥିଲେ ବି ସ୍ୱାଦରେ ସମାନ୍ୟ ଅଲଗା ।

୬. ଗୋଲ ଗପ୍ପେ : ମସଲା ଯୁକ୍ତ ପାଣିରେ ଭର୍ତ୍ତି ସ୍ୱାଦ ପୂର୍ଣ୍ଣ ପୁରିକୁ ନୁଆ ଦିଲ୍ଲୀ, ପଂଜାବ, କମ୍ମୁ ଓ କାଶ୍ମୀର, ହରିୟାଣା, ମଧ୍ୟ ପ୍ରଦେଶ ଓ ହିମାଚଳ ପ୍ରଦେଶରେ ଗୋଲ ଗପ୍ପେ ଭାବେ ଜଣାଯାଏ । ଆଳୁ, ବୁଟ, ଚଟଣିର ମିଶ୍ରଣରେ ତିଆରି ଏହି ଗୋଲ ଗପ୍ପେକୁ ଖଟା ପାଣିରେ ଖିଆ ଯାଏ । ଏହା କଡମଡିଆ ହୋଇଥିବାରୁ ଖାଇବାକୁ ଅଧିକ ଇଚ୍ଛା ହୁଏ ।

୭. ପାନି କେ ପତାଶେ : ଉତ୍ତର ପ୍ରଦେଶରେ ଏହି ନାମରେ ପ୍ରସିଦ୍ଧ । ଏହାର ମୁଖ୍ୟ ଉପାଦାନ ସାଧାରଣ ଗୁପଚୁପ ସହ ସମାନ କିନ୍ତୁ ଏହାର ପାଣିରେ ଭିନ୍ନ ପ୍ରକାରର ମସଲା ପଡିଥାଏ । ଯାହା ପାଣିକୁ ଆହୁରି ମସଲାଯୁକ୍ତ କରି ଦିଏ ।

୮. ପାନି କେ ବତାଶେ : ମଧ୍ୟ ଭାରତରେ, ଉତ୍ତର ପ୍ରଦେଶ ଓ ରାଜସ୍ଥାନର କେତେକ ଅଂଚଳରେ ଏହା ପାନି କେ ବତାଶେ ନାମରେ ପରିଚିତ । ଏହା ଏକ ସାଧାରଣ ଗୁପଚୁପ ।

୯. ଟିକ୍କି : ଟିକେ ଅବିଶ୍ୱସନୀୟ, କିନ୍ତୁ ମଧ୍ୟ ପ୍ରଦେଶର ହୋଶଙ୍ଗାବାଦରେ ଏହାକୁ ଟିକ୍କି କୁହାଯାଏ । ଏହା ଆକୃତିରେ ଛୋଟ ଥାଏ ।

୧୦. ଫୁଲକି : ଉତ୍ତର ପ୍ରଦେଶ, ଗୁଜରାଟ ଓ ନେପାଳରେ ଏହାକୁ ଫୁଲକି କୁହାଯାଏ । ଏହାର ପ୍ରସ୍ତୁତି ପ୍ରଣାଳୀରେ କିଛି ପାର୍ଥକ୍ୟ ନାହିଁ । କେବଳ ନାଁଟି ଭିନ୍ନ ।