ସେନା ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଲେ, ସ୍ତ୍ରୀଙ୍କୁ ବାଥରୁମରେ ବାନ୍ଧି ଦେଲେ । ରାତି ଅଧରେ ଚାଲିଲା ଅପରେସନ, ଜାଣନ୍ତୁ କଣ ଥିଲା ପୂରା ଘଟଣା

46

କନକ ବ୍ୟୁରୋ : ମଝିରାତିରେ ରାଜଧାନୀରେ ଡକାୟତି । ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ୫ ଜଣ ଡକାୟତ । ଘଟଣା ଘଟିଛି ଶିଖରଚଣ୍ଡୀ ଛକରେ ଥିବା ଲକ୍ଷ୍ମୀ ବିହାର ରେସିଡେନସ୍ି କଲୋନୀରେ । ଶସସ୍ତ୍ର ଡକାୟତମାନେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା ଓ ପ୍ରାୟ ଏକ କେଜି ଓଜନର ସୁନାଗହଣା । ଡକାୟତି ସମୟରେ ପୂର୍ବତନ ସେନାଅଧିକାରୀ ଜଣଙ୍କ ପ୍ରତିରୋଧ କରିବାରୁ ତାଙ୍କୁ ଖଣ୍ଡା ଭୁଜାଲି ଓ ସ୍କୁୃ ଡ୍ରାଇଭରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏବେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

ଶିଖରଚଣ୍ଡୀ ଲକ୍ଷ୍ମୀ ବିହାର ରେସିଡେନ୍ସିର ୫ ନମ୍ବର ଡ୍ୟୁପ୍ଲେକ୍ସ । ରାତି ପ୍ରାୟ ଗୋଟାଏ ସମୟର ଘଟଣା । ପୂର୍ବତନ ସେନାଅଧିକାରୀ ନରେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ପଶିଲେ ୫ ସଶସ୍ତ୍ର ଡକାୟତ । ସିସିଟିଭିକୁ ଭାଙ୍ଗିଦେବା ପରେ ଏକ ସ୍କୁ ଡ୍ରାଇଭରରେ ଘରର କବାଟ ଖୋଲି ପଶିଥିଲେ । ଏହା ପୂର୍ବରୁ ଉପର ମହଲା ଘରେ ଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଘର ବାହାର ପଟୁ ତାଲା ପକାଇଥିଲେ ଡକାୟତ । ଆରମ୍ଭ ହେଲା ଅପରେସନ । ପ୍ରଥମେ ସେନାଅଧିକାରୀଙ୍କ ପତ୍ନୀଙ୍କ ମୁହଁରୁ କପଡା ବାନ୍ଧି ବାଥରୁମ ଭିତରେ ଲକ କରିଥିଲେ । ପରେ ପୂର୍ବତନ ସେନାଅଧିକାରୀଙ୍କ ହାତ ଗୋଡ ବାନ୍ଧି ଖଟ ଉପରେ ନିସ୍ତୁକ ମାଡ ମାରିଥିଲେ ଡକାୟତ । ଏଥିସହ ଆଲମିରାରେ ଥିବା ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ୧ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ଖଟ ଉପରେ ରକ୍ତର ଛିଟା ବୟାନ କରୁଥିଲା କିପରି ନୃଶଂସ ଭାବେ ନରେଶଙ୍କୁ ଡକାୟତମାନେ ଆକ୍ରମଣ କରିଥିଲେ । ଡକାୟତମାନଙ୍କୁ ପ୍ରତିରୋଧ କରିବା ସମୟରେ ନରେଶଙ୍କ ସହ ସେମାନଙ୍କର ହାତାହାତି ହୋଇଥିଲା । ଏପରିକି ଖଣ୍ଡା, ଭୁଜାଲି ଓ ସୃ ଡ୍ରାଇଭରରେ ପୂର୍ବତନ ସେନା ଅଧିକାରୀଙ୍କ ଶରୀରର ବିଭିନ୍ନ ଅଂଶରେ ଆଘାତ କରିଥିଲେ । ନରେଶ ବିଫଳ ହେବା ପରେ ହୋଇଥିଲା ଡକାୟତୀ । ଏହି ଆକ୍ରମଣରେ ନରେଶଙ୍କ ପ୍ରବଳ ରକ୍ତସ୍ରାବ ହେବାସହ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଘଟଣା ପରେ ପରିବାରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ଘଟଣାର ଛାନବିନ ଜାରି ରଖିଛି । ଏହି ଘଟଣା ପରେ ରାଜଧାନୀରେ ବୟସ୍କଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କାରଣ ପୂର୍ବରୁ ମଧ୍ୟ ବୟସ୍କଙ୍କୁ ଆକ୍ରମଣ କରି ଡକାୟତମାନେ ଲୁଟ କରିବାର ନଜିର ରହିଛି ।