କାଲିଠୁ କଟକରେ ଅନଲାଇନରେ ମଦ ବିକ୍ରି: ଅନଲାଇନରେ ବିକିବାକୁ ରାଜି ହେଲା କଟକ ମଦ ବ୍ୟବସାୟୀ ସଂଘ । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି, କାଲିଠୁ କଟକରେ ହେବ ମଦର ହୋମ୍ ଡେଲିଭରୀ  । 

487

କନକ ବ୍ୟୁରୋ: କାଲିଠାରୁ କଟକରେ ଆରମ୍ଭ ହେବ ଅନଲାଇନ୍ ମଦ ବିକ୍ରି । ହୋମ ଡେଲିଭରୀ ପାଇଁ ମନା କରୁଥିବା କଟକ ମଦ ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଶେଷରେ ଅନଲାଇନ୍ ମଦ ବିକ୍ରି ପାଇଁ ରାଜି ହୋଇଛି । ଅନଲାଇନରେ ମଦ ଦେବା କଷ୍ଟକର ବୋଲି ପୂର୍ବରୁ ମଦ ଦୋକାନୀ ମାଲିକ ସଂଘ ମତ ରଖିଥିଲା ଏବଂ ଅବକାରୀ ବିଭାଗକୁ ଜଣାଇଥିଲା ସେ ସେମାନେ ଅନଲାଇନରେ ବ୍ୟବସ୍ଥାରେ ସାମିଲ ହେବେ ନାହିଁ  । ଦୋକାନ ଯେମିତି ବନ୍ଦ ଥିଲା ଆଗକୁ ସେମିତି ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା ।

ଏପଟେ କିନ୍ତୁ କଟକ ଜିଲ୍ଲାପାଳ, ଅବକାରୀ ଅଧିକ୍ଷକ ଓ ମଦ ଦୋକାନ ମାଲିକ ସଂଘ ମଧ୍ୟରେ ବୈଠକ ପରେ ଅନଲାଇନ୍ ବିକ୍ରି ପାଇଁ ରାଜି ହୋଇଛନ୍ତି ବ୍ୟବସାୟୀ । ମିଳିଥିବା ସୂଚନା ଅନୁସାରେ ମଦ ଦୋକାନ ଆଗରେ ପୋଲିସ ସୁରକ୍ଷା ଦେବାକୁ ରାଜି ହେବା ପରେ ମତ ବଦଳାଇଛନ୍ତି କଟକର ମଦ ବ୍ୟବସାୟୀ ।

ଅନ୍ୟପଟେ ଆଜିଠାରୁ ରାଜ୍ୟରେ ଅନଲାଇନରେ ମଦ ବିକ୍ରି କରିବାକୁ ଅନୁମତି ଦେଇଥିଲେ ସରକାର । ହେଲେ ଅନଲାଇନରେ ମଦ ବିକ୍ରି କରିବାକୁ ଆଗ୍ରହ ଦେଖାଉନାହାନ୍ତି ମଦ ବ୍ୟବସାୟୀ । ମଦ ବ୍ୟବସାୟୀ ସଂଘ ପକ୍ଷରୁ ବିଭିନ୍ନ ଯୁକ୍ତି ଦର୍ଶାଯାଉଥିବା ବେଳେ ପ୍ରକୃତ କାରଣ ରହସ୍ୟ ହୋଇ ରହିଛି । ଏପଟେ ମଦ ଦୋକାନଗୁଡିକରେ କେତେ ଷ୍ଟକ ରହିଛି, ବିଭିନ୍ନ ସ୍ଥାନରେ ଏହାର ଯାଂଚ ଆରମ୍ଭ କରିଛି ଅବକାରୀ ବିଭାଗ ।  ତେବେ କାଲିଠୁ କଟକରେ ଅନଲାଇନ ମଦ ବିକ୍ରୀ ଆରମ୍ଭ ହେବାକୁଥିବାବେଳେ ଭୁବନେଶ୍ୱର ମଦ ବ୍ୟବସାୟୀ ସଂଘ କେଉଁ ନିଷ୍ପତି ନେବ?