ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମୋଦି ସରକାରଙ୍କ ନିଷ୍ପତ୍ତି : ଏଣିକି ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହିବ ଏସି ତାପମାତ୍ରା, ୨୪ ଡିଗ୍ରିରୁ ତଳକୁ ଖସିବନି

94

ଆଗାମୀ କିଛି ମାସ ମଧ୍ୟରେ ଦେଶରେ ଏୟାର କଣ୍ଡିସନର (ଏସି) ଗୁଡ଼ିକ ତାପମାତ୍ରା ୨୪ ଡିଗ୍ରିରୁ ତଳକୁ ଖସିବନି କିମ୍ବା ୨୬ ଡିଗ୍ରି ଉପରକୁ ଯିବନାହିଁ। କାରଖାନାରେ ନିର୍ମିତ ଏସି ଗୁଡ଼ିକରେ ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ନେଇ ସରକାର ଯୋଜନା ଚଳାଇଛନ୍ତି । ଦେଶରେ ବିଜୁଳି ସଞ୍ଚୟ ସହିତ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯିବ। କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍ କେ ସିଂହ ଆଜି ଏସି କମ୍ପାନିଙ୍କ ସହ ଏ ନେଇ ବୈଠକ କରିଥିଲେ। ଏହି ବୈଠକରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏଭଳି ପ୍ରସ୍ତାବକୁ କମ୍ପାନି ଗୁଡ଼ିକ ପ୍ରଶଂସା କରାଯିବା ସହିତ ସକାରାତ୍ମକ ମନୋଭାବ ପୋଷଣ କରାଯାଇଥିଲା।

ବୈଠକ ପରେ ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଗ୍ରାହକଙ୍କୁ ଉଭୟ ଆର୍ଥିକ ଓ ସ୍ୱାସ୍ଥ୍ୟଗତ କାରଣରୁ ଲାଭ ପହଞ୍ଚାଇବା ପାଇଁ ଏସିର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାକୁ ଉପରୋକ୍ତ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରଖିବା ବ୍ୟବସ୍ଥା କରିବା ଲାଗି କମ୍ପାନି ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏସିର ତାପମାତ୍ରା ୨୪ରୁ ୨୬ ଡିଗ୍ରି ମଧ୍ୟରେ ସ୍ଥିର କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏସିର ତାପମାତ୍ରା ସେଟିଂରେ ୧ ଡିଗ୍ରି ବୃଦ୍ଧି କରାଗଲେ ୬ ପ୍ରତିଶତ ବିଜୁଳି ସଞ୍ଚୟ ହୋଇଥାଏ। ମନୁଷ୍ୟ ଶରୀରର ତାପମାତ୍ରା ସାଧାରଣତଃ ୩୬ରୁ ୩୭ ଡିଗ୍ରି ମଧ୍ୟରେ ରହୁଥିବାବେଳେ ବହୁ ସଂଖ୍ୟକ ବାଣିଜ୍ୟିକ ପ୍ରତିଷ୍ଠାନ, ହୋଟେଲ ଏବଂ କାର୍ଯ୍ୟାଳୟରେ ଏସିର ତାପମାତ୍ରାକୁ ଏହାଠାରୁ ଯଥେଷ୍ଟ ତଳେ ଅର୍ଥାତ୍ ୧୮ରୁ ୨୧ ଡିଗ୍ରି ମଧ୍ୟରେ ରଖାଯାଉଛି। ପ୍ରତିଷ୍ଠାନ ଗୁଡ଼ିକରେ ତାପମାତ୍ରା ଏତେ କମରେ ରଖାଯିବା ଯୋଗୁଁ ଲୋକଙ୍କୁ ଗରମ ପୋଷାକ ଏବଂ କମ୍ବଳ ଆଦି ବ୍ୟବହାର କରିବାକୁ ପଡ଼ୁଛି। ଜାପାନ ଭଳି ଦେଶରେ ଏସିର ତାପମାତ୍ରାକୁ ୨୮ ଡିଗ୍ରିରେ ରଖିବାକୁ ନିୟମ ରହିଛି। ଶକ୍ତିମନ୍ତ୍ରୀ ଆର୍ କେ ସିଂହ କହିଛନ୍ତି ଯେ, ଶକ୍ତି ମନ୍ତ୍ରାଳୟର ତତ୍ତ୍ୱାବଧାନରେ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ପକ୍ଷରୁ ଏକ ଅନୁଧ୍ୟାନ କରାଯାଇଥିଲା। ଏହାପରେ ବିଇଇ ପକ୍ଷରୁ ଏସିର ତାପମାତ୍ରାକୁ ୨୪ ଡିଗ୍ରିରେ ରଖିବାକୁ ସୁପାରିଶ କରାଯାଇଛି।