ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଉତ୍ସବ : ବିଜୁଙ୍କୁ ଭାରତରତ୍ନ ପାଇଁ ଦାବି କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡା

36

କନକ ବ୍ୟୁରୋ :  ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଉନ୍ମୋଚିତ ହେଲା ଦି ଟଲ ମ୍ୟାନ ପୁସ୍ତକ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ପୁସ୍ତକ ଉନ୍ମୋଚନ କରିବା ଅବସରରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । କହିଛନ୍ତି, ବିଚାରଧାରାରେ ତାଙ୍କ ସହ ବିଜୁ ବାବୁଙ୍କର ସମାନତା ଥିଲା । ଏବଂ ବିଜୁ ବାବୁ ଜଣେ ଜାତୀୟତାବାଦୀ ନେତା ଥିଲେ । ସାରା ଦେଶପାଇଁ ତାଙ୍କ ଅବଦାନ ଯୋଗୁଁ ମହାନ ପାଲଟି ଯାଇଛନ୍ତି ବିଜୁ ପଟ୍ଟନାୟକ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଜୁ ବାବୁଙ୍କ ବିଚାରଧାରା ଆଗାମୀ ପୀଢିକୁ ପ୍ରଭାବିତ କରିବ ବୋଲି କହିଛନ୍ତି ।

ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ ସପକ୍ଷରେ ଯୁକ୍ତି ବାଢିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡା । ବିଜୁ ବାବୁ ଜଣେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ବୋଲି ସେ ଚିତ୍ରଣ କରିଛନ୍ତି । ସେହିପରି ବିଜୁ ବାବୁଙ୍କ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରି ଅଶେଷ ଆନନ୍ଦ ମିଳିଥିବା କଥା କହିଛନ୍ତି ଏଲ.କେ ଆଡଭାନୀ । ପୁସ୍ତକଟିକୁ ପଢିଲେ ଶ୍ରଦ୍ଧା ଓ ସମ୍ମାନ ଆପେ ଆପେ ଆସିଯାଉଥିବା ସେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ସୀତାରାମ ୟେଚୁରୀ କହିଛନ୍ତି ଯେ, ଦେଶକୁ ଏବେ ନେତା ନୁହେଁ ବରଂ ବିଜୁ ବାବୁଙ୍କ ପରି ନୀତି ଦରକାର ।