ଏକା ଏକା ଦମ ଦେଖାଇଲେ ଦୈତାରୀ… । ପାହାଡର ଛାତି ଚିରି ୪୦୦ ଏକର କ୍ଷେତକୁ କଲେ ଶସ୍ୟଶାମଳା

32

କନକ ବ୍ୟୁରୋ : ‘ଜବ ତକ ତୋଡ଼େଙ୍ଗେ ନେହିଁ ତବ ତକ ଛୋଡ଼େଙ୍ଗେ ନେହିଁ’ ବାସ୍ ଏଇ କେଇପଦ କଥା ହିଁ ପାହାଡ଼ର ଛାତିକୁ ଚିରି ଖଣ୍ଡ ଖଣ୍ଡ କରିବାକୁ ଯଥେଷ୍ଟ ଥିଲା । ହଁ ଆଜ୍ଞା ଆମେ କହୁଛୁ ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଥିବା ଦଶରଥ ମାଞ୍ଝିଙ୍କ କଥା । ଯିଏ ପାହାଡ଼ର ବୁକୁକୁ ଚିରି ନିଜ ଗାଁ ପାଇଁ ଏକ ରାସ୍ତା ନିର୍ମାଣ କରି ପାରିଥିଲେ । ଯାହାଙ୍କ ଅସୀମ ଧୈର୍ଯ୍ୟ ଓ ଦୃଢ଼ ଆତ୍ମବିଶ୍ୱାସ ଆଗରେ ଖଣ୍ଡ ଖଣ୍ଡ ହୋଇ ଗଳି ପଡିଥିଲା ଶକ୍ତିଶାଳୀ ପାହାଡ଼ । ଠିକ୍ ଦଶରଥ ମାଞ୍ଝିଙ୍କ ଭଳି ଆଉ ଏକ ଚରିତ୍ର ମଧ୍ୟ ଏବେ ସାମ୍ନାକୁ ଆସିଛି । ଯାହାଙ୍କ ଦୃଢ଼ ଆତ୍ମବିଶ୍ୱାସ ଓ ଅସୀମ ଧୈଯ୍ୟ ଆଗରେ ପାହାଡ଼ ନତମସ୍ତକ ହୋଇଛି ବିଶାଳକାୟ ପାହାଡ଼ । ଯାହାଙ୍କୁ ଓଡ଼ିଶାର ମାଞ୍ଝି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ସେହିଭଳି ଜଣେ ମାଉଣ୍ଟେନ ମ୍ୟାନ ଚରିତ୍ରରେ ସାମ୍ନାକୁ ଆସିଛନ୍ତି ଦୈତାରୀ ନାଏକ । ଯିଏ ପାହାଡ଼ର ଛାତି ଫଟାଇ ଟାଙ୍ଗରା ଭୂମିକୁ କରିଛନ୍ତି ଶସ୍ୟଶାମଳା ।

କେନ୍ଦୁଝରର ଦୈତାରୀ ନାଏକ । ବୟସ ୭୫ ଛୁଇଁଲାଣି । ଯାହାଙ୍କ କାହାଣୀ ପୂରାପୁରି ଭାବେ ଦଶରଥ ମାଞ୍ଝିଙ୍କ କାହାଣୀ ସହ ମେଳ ଖାଇଥାଏ । ଦଶରଥଙ୍କ ଭଳି ସେ ମଧ୍ୟ ପାହାଡ଼ର ଛାତି ଚିରି ଟାଙ୍ଗରା ଭୂମିକୁ ଶସ୍ୟଶାମଳା କରିଛନ୍ତି । ଆଉ ଖାସ୍ ଏଥିପାଇଁ ପୂରା ଅଞ୍ଚଳରେ ତାଙ୍କୁ ମାଞ୍ଝିଙ୍କ ସହ ତୁଳନା କରାଯାଉଛି । କେନ୍ଦୁଝର ଜିଲ୍ଲାର ପାହାଡ଼ ଜଙ୍ଗଲ ଘେରା ଗୋନାସିକା ପର୍ବତମାଳାର ଉପରେ ରହିଛି ତଳବୈତରଣୀ ଗାଁ। ଏହି ଗାଁରେ ରୁହନ୍ତି ୧୧୩ ଟି ଆଦିବାସୀ ପରିବାର। ଏହାର ଉପରମୁଣ୍ଡରେ ରହିଛି ପବିତ୍ର ବୈତରଣୀର ଉତ୍ପତ୍ତିସ୍ଥଳ। ବୈତରଣୀର ଉତ୍ପତ୍ତିସ୍ଥଳରେ ଗାଁଟି ହୋଇଥିଲେ ବି ବର୍ଷତମାମ ଗାଁକୁ ପାଣି ନିଅଣ୍ଟ ପଡ଼େ। ଫଳତଃ ଗାଁରେ କେବେ ବି ଚାଷବାସ ହୋଇ ପାରେନାହିଁ। ଅବସ୍ଥା ଏମିତି ହୁଏ ଯେ ବେଳେବେଳେ ଖାଇବାକୁ ମୁଠାଏ ଫସଲ ଅମଳ କରିହୁଏ ନାହିଁ। ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ପିଲାଛୁଆଙ୍କ ପାଟିରେ ଟିକେ ଦାନା ଦେବାକୁ ଅଣ୍ଟା ଭିଡ଼ିଥିଲେ ଦୈତାରୀ ନାଏକ ।

ବେଲମୂଳ ପାହାଡ ଉପରେ ବର୍ଷ ବର୍ଷ ଧରି ପଡ଼ିଆ ପଡ଼ୁଥିବା ଜମିରେ ବର୍ଷା ଦିନେ କେବେ କେବେ ଧାନ ବୁଣିଲେ ଗଛ ହେଉଥିଲା ସତ, କିନ୍ତୁ ବର୍ଷା ଛାଡ଼ିଗଲେ ଗଛ ମରି ଯାଉଥିଲା। କେବେ ବି ଫସଲ ଅମଳ ହୋଇ ପାରୁ ନ ଥିଲା। ବର୍ଷତମାମ ନିଜ ପରିବାର ଚଳେଇବାକୁ ଦୈତାରୀଙ୍କୁ ମୂଲ ମଜୁରି କିମ୍ବା କାଠ କାଟି ଚଳିବାକୁ ପଡ଼ୁଥିଲା। ଆଉ ଠିକ୍ ଏହି ସମୟରେ ଦୈତାରୀ ଗାଁ ପାଖ ଦେଇ ବହିଯାଉଥିବା ବୈତରଣୀ ନଦୀର ପାଣିକୁ ନିଜ ଜମିକୁ ନେବାକୁ ଚିନ୍ତା କରିଥିଲେ। ଆଉ ଏଥିପାଇଁ ହାତରେ ଉଠାଇଥିଲେ ଶାବଳ ଓ କୋଡ଼ି ଓ ମନରେ ଥିଲା ଦୃଢ଼ ଆତ୍ମବିଶ୍ୱାସ । ଲକ୍ଷ୍ୟ ଥିଲା ପାହାଡ଼ର ଛାତି ଚିରି ସେଥିରେ ସେଥିରେ ଅମୃତ ରୂପି ଜଳ ବୁହାଇବା ।

ଦୈତାରୀଙ୍କୁ ଏଭଳି କାମ ପାଇଁ ଲୋକମାନେ ତାଙ୍କୁ ପରିହାସ କରୁଥିଲେ । କିନ୍ତୁ ଲୋକଙ୍କ ପରିହାସ ଦୈତାରୀଙ୍କୁ ଜିଦକୁ ଅଟକାଇ ପାରିନଥିଲା । କାରଣ ପରିବାର ଲୋକଙ୍କ ସମର୍ଥନ ପାଇଥିଲେ ଦୈତାରୀ । ପ୍ରଥମ କିଛି ବର୍ଷ ପାହାଡ଼ କାଟିବାରେ ଦୈତାରୀଙ୍କୁ ବେଶ ଅସୁବିଧା ହୋଇଥିଲା । ତେବେ ଦୈତାରୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଆଗରେ ବାଲି ଘର ଭଳି ଭୁଷୁଡ଼ି ପଡ଼ିଥିଲା ଶକ୍ତିଶାଳୀ ପାହାଡ଼ । ଅଳ୍ପ କିଛି ପାହାଡ଼ କାଟିବା ପରେ ପାଣି ଆସିବା ଆରମ୍ଭ ହୋଇଥିଲା । କିନ୍ତୁ ଏତିକିରେ ସରିନଥିଲା ଦୈତାରୀଙ୍କ ସଂଗ୍ରାମ । ଲକ୍ଷ୍ୟ ଥିଲା ପୂରା ଗାଁର ଚାଷ କ୍ଷେତକୁ ପାଣି ପହଞ୍ଚାଇବା । ଆଉ ଦୈତାରୀଙ୍କ ଏହି ଲକ୍ଷ୍ୟ ପୂରଣ କରିବାକୁ ଆଗେଇ ଆସିଥିଲେ ତିନି ଭାଇ କ୍ଷେତ୍ରବାସୀ ନାଏକ,ଶିବ ନାଏକ ଓ ଲକ୍ଷ୍ମଣ ନାଏକ । ଦୀର୍ଘ ୪ ବର୍ଷ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଟାଙ୍ଗରା ପଡ଼ିଥିବା ଜମିରେ ଅମୃତ ରୂପି ଜଳ ସ୍ପର୍ଶ କରିଥିଲା । ଜମିରେ ପାଣି ମାଡ଼ିବା ପରେ ଆରମ୍ଭ ହେଲା ଚାଷବାସ। ତେବେ ଖାଲି ଦୈତାରୀଙ୍କ ପରିବାର ନୁହେଁ, ଏହି ପାହାଡ଼ ଉପରେ ଥିବା ଗ୍ରାମବାସୀଙ୍କ ପ୍ରାୟ ୪ଶହ ଏକର ଜମି ଜଳସେଚିତ ହେଉଛି ଏହି ପାଣିରେ। ଗତ ୫ ବର୍ଷ ଧରି ଧାନଚାଷଠୁ ଆରମ୍ଭ କରି ମକା, ବଜରା, ରାଶି, ସୋରିଷ ଭଳି ଚାଷରେ ତଳବୈତରଣୀ ଗାଁ ଆଜି ଶସ୍ୟ ଶ୍ୟାମଳା। ଏଇ ନାଳ ଖୋଳା ପରଠାରୁ ଏହାର ରକ୍ଷଣାବେକ୍ଷଣ ଓ ବର୍ଷାଦିନ ଆସିଲେ ଏହାକୁ ପରିଷ୍କାର କରିବା ଦାୟିତ୍ୱ ବି ନେଉଛନ୍ତି ଦୈତାରୀ। ଦିନେ ଯେଉଁ ଗାଁ ଲୋକେ ଦୈତାରୀଙ୍କ ଉଦ୍ୟମକୁ ହସରେ ଉଡ଼ାଇ ଦେଉଥିଲେ, ସେମାନେ ଆଜି ଦୈତାରୀଙ୍କ ପାଇଁ ବର୍ଷ ତମାମ ଦାନା ପାଉଛନ୍ତି। ଆଉ ଏଭଳି କରି ପୂରା ଅଞ୍ଚଳ ବାସୀଙ୍କ ପାଇଁ ଦୈତାରୀ ପାଲଟି ଯାଇଛନ୍ତି ଆଧୁନିକ ଯୁଗର ବିଶ୍ୱକର୍ମା ।