୭ ବର୍ଷ ପରେ ପୁଣି ଆରମ୍ଭ ହେବ ଶୁଣାଣି ! ଅଗଷ୍ଟ ୧୧ରୁ ପ୍ରତିଦିନ ଦିନ ୨ଟାରେ ୩ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

35

କନକ ବ୍ୟୁରୋ: ୭ ବର୍ଷ ପରେ ପୁଣି ଥରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ମାମଲାର ଶୁଣାଣି ଆରମ୍ଭ । ଅଗଷ୍ଟ ୧୧ ତାରିଖରୁ ଏକ ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହାର ଶୁଣାଣି ପ୍ରତିଦିନ ୨ଟା ବେଳେ କରିବେ । ଆପୋଷ ବୁଝାମଣା ମାଧ୍ୟମରେ ଧର୍ମ ଓ ବିଶ୍ୱାସର ଏହି ପ୍ରସଙ୍ଗର ସମାଧାନ ପାଇଁ ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ ।

ଏପରିକି ମଧ୍ୟସ୍ତି ମାଧ୍ୟମରେ ମଧ୍ୟ ଏହା କରିବାକୁ କୋର୍ଟ କହିଥିଲେ । କିନ୍ତୁ ସମାଧାନ ବାଟ ନବାହାରିବାରୁ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟ ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଂଚ୍ ବିବାଦୀୟ ୨ ଦଶମିକ ୭୭ ଏକର ଜମିକୁ ତିନିଭାଗରେ ବାଂଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ତିନି ପକ୍ଷ ସୁନ୍ନି ୱାକଫ ବୋର୍ଡ, ନିର୍ମୋହୀ ଆଖଡା ଓ ରାମ ଲଲାଙ୍କ ମଧ୍ୟରେ ବାଂଟିଦେବାକୁ ତିନି ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ ।