କାଲିଠୁ ‘ମହାଭାରତ’ । ରାମାୟଣ ପରେ ପୁଣି ଟିଭି ପରଦାକୁ ଫେରିବ, ପୌରାଣିକ ସ୍ମୃତିକୁ ତାଜା କରିବ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ । ଜାଣନ୍ତୁ କେତେବେଳେ ହେବ ପ୍ରସାରଣ

17,021

କନକ ବ୍ୟୁରୋ: ରାମାୟଣ ପରେ ମଭାଭାରତ । ଆସନ୍ତାକାଲି ଠାରୁ ପୁଣି ଟିଭି ପରଦାକୁ ଫେରିବ ମହାଭାରତ । କାଲିଠାରୁ କୌରବ-ପାଣ୍ଡବଙ୍କ କାହାଣୀ ସହ ୧୮ ଦିନର ମହାଭାରତ ଯୁଦ୍ଧ ଦେଖିବେ ଭାରତୀୟ । ଟିଭି ପରଦାରେ ମହାଭାରତର ପୁନଃପ୍ରସାରଣ ଦେଶବାସୀଙ୍କ ପୁରୁଣା ଦିନର ସ୍ମୃତିକୁ ତାଜା କରିଦେବ । ତେବେ ଆସନ୍ତାକାଲି ଠାରୁ ଡିଡି ଭାରତୀରେ ଏହି ଲୋକପ୍ରିୟ ଧାରାବାହିକ ପ୍ରସାରଣ ହେବ । ପ୍ରତିଦିନ ମଧ୍ୟାହ୍ନ ୧୨ଟାରେ ଏବଂ ସନ୍ଧ୍ୟା ୭ଟାରେ ଏହା ପ୍ରସାରଣ କରାଯିବ ଆଉ ଦର୍ଶକ ଏହାର ମଜା ଉଠାଇପାରିବେ ବୋଲି ଟ୍ୱିଟ କରି କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ।

ସେପଟେ କରୋନା ପାଇଁ ସାରା ଦେଶରେ ତାଲା ବନ୍ଦ । ଘରେ ଲୋକେ ବନ୍ଦ ରହିବାକୁ ସରକାର ବାରମ୍ବାର ଆବେଦନ କରୁଛନ୍ତି । ଏପରି ସମୟରେ ଲୋକଙ୍କ ବିପୁଳ ଚାହିଦାକୁ ନଜରରେ ରଖି ଦୂରଦର୍ଶନର ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ର ପୁନଃ ପ୍ରସାରଣ କରାଯାଉଛି ।

୮୦ ଦଶକରେ ଅର୍ଥାତ ୧୯୮୭ ମସିହାରେ ପ୍ରସାରିତ ହେଉଥିବା ରାମାନନ୍ଦ ସାଗରଙ୍କ ‘ରାମାୟଣ’ର ହେବ ପୁନଃ ପ୍ରସାରଣ । କରୋନା ଭୂତାଣୁ ପାଇଁ ସାରା ଦେଶରେ ତାଲା ବନ୍ଦ ହୋଇଥିବାବେଳେ, ଗଳି କନ୍ଦି ରାସ୍ତା ଘାଟ ସବୁ ଶୁନ୍ସାନ ହୋଇ ଯାଇଛି । ଆଉ ଯେଉଁ ରାମାୟଣକୁ ଦେଖିଲାବେଳେ ରାସ୍ତାଘାଟ ଶୂନାସାନ ହୋଇଯାଉଥିଲା, ଏବେ ତାଲାବନ୍ଦ ପରିସ୍ଥିତିରେ ପୁଣିଥରେ ଲୋକଙ୍କୁ ମନୋରଂଜନ ଯୋଗାଇବ ସେହି ରାମାୟଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ପ୍ରତ୍ୟେକ ଦିନ ସକାଳ ୯ଟା ରୁ ୧୦ଟା ଓ ପୁଣି ରାତି ୯ଟାରୁ ୧୦ଟା ଟିଭି ପରଦାରେ ରାମାନନ୍ଦ ସାଗରଙ୍କ ରାମାୟଣ ଦେଖିପାରିବେ ଦେଶବାସୀ ।

ସେପଟେ ରାମାୟଣ ଓ ମହାଭାରତର ପୁନଃ ପ୍ରସାରଣ ଖବର କଥା ଶୁଣି ଅନେକ ଲୋକ ନିଜର ପୁରୁଣା ଦିନର ସ୍ମୃତିକୁ ମନେପକାଇଛନ୍ତି । ପିଲାଦିନେ କେମିତି ସେମାନେ ବାପାମାଆ ଓ ପରିବାର ସହ ରାମାୟଣ, ମହାଭାରତ ଦେଖୁଥିଲେ ସେସବୁ ସ୍ମୃତିକୁ ତାଜା କରିଛନ୍ତି । ବୟସ୍କ ଲୋକ ବି ସ୍ମୃତି ଚାରଣ କରିବାରୁ ପଛରେ ନାହାନ୍ତି । ୮୦ ଦଶକରେ କେଉଁ କେଉଁ ଗାଁରେ ଗୋଟିଏ ଦୁଇଟି ଟିଭି ଥିବ, ତାହା ପୁଣି କଳାଧଳା ଆଉ ସନ୍ଧ୍ୟା ହେବା କ୍ଷଣି ଗାଁର ବୃଦ୍ଧ, ବୃଦ୍ଧାମାନେ ଟିଭି ଆଗରେ ହାଜର ହୋଇଯାଆନ୍ତି । ପିଲାମାନେ ଏସବୁ ଦେଖିବାକୁ ତ ଭୋକ ଶୋଷ ଭୁଲି ଯାଆନ୍ତି ବୋଲି କିଛି ବୟସ୍କ ଲୋକ ସ୍ମୃତିକୁ ମନେପକାଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପୁରୁଣା ସ୍ମୃତିକୁ ସତେଜ କରି ଦେଇଛି ।