ଝାରୁସୁଗୁଡା ଜିଲ୍ଲାପାଳଙ୍କ ନିଲମ୍ବନଙ୍କୁ ପ୍ରତ୍ୟାହାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଦାଲତ ଅବମାନାନା ନେଇ ଗତ ସପ୍ତାହରେ ହାଇକୋର୍ଟ ଦେଇଥିଲେ ନିଲମ୍ବନ ଆଦେଶ

374

କନକ ବ୍ୟୁରୋ : ଝାରସୁଗୁଡା ଜିଲ୍ଲାପାଳଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଝାରସୁଗୁଡା ଜିଲ୍ଳାପାଳ କୋର୍ଟରେ ହାଜର ହେବା ସହ ନିଃସର୍ତ କ୍ଷମା ପ୍ରାର୍ଥନା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲଂଘନ ଅଭିଯୋଗରେ ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ଜାଭେରୀ ଓ ଜଷ୍ଟିସ୍ କେ. ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ । ମଦ ଦୋକାନ ଖୋଲିବା ପାଇଁ ଆବେଦନକାରୀଙ୍କ ଲାଇସେନ୍ସ ମଞ୍ଜୁର ହୋଇଥିଲା ।

କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ ଦୋକାନ ଖୋଲିପାରିନଥିଲା । ପରେ ଦୋକାନୀଙ୍କ ନିକଟରୁ ଅବକାରୀ ବିଭାଗ ପୁଣି ଦେୟ ଦାବି କରିଥିଲା । ଏପରି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୯, ମାର୍ଚ୍ଚ ୧୯ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସରକାରଙ୍କୁ ନୋଟିସ୍ ଜାରି କରିବା ସହ ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଉପରେ ଅନ୍ତରୀଣ ଅଂକୁଶ ଲଗାଇଥିଲେ ।

ତେବେ କୋର୍ଟଙ୍କ ଏହି ଆଦେଶକୁ ଗ୍ରହଣ ନକରି ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲାଇସେନ୍ସ ବାତିଲ କରିଥିଲା ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ୨୦୧୯ ଏପ୍ରିଲ ୨୫ରେ ସାନି ଚ୍ୟାଲେଞ୍ଜ କରି ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜୁଲାଇ ୩୦ରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଉପରେ ରହିତାଦେଶ ଜାରି କରିବା ସହ ଅଗଷ୍ଟ ୧୩ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଜର ନହେବାରୁ ନିଲମ୍ବନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।