ବିଧାନସଭାରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଲ୍ ପାରିତ । ଏଣିକି ଦେବୋତ୍ତର କମିସନରଙ୍କ ନିୟନ୍ତ୍ରଣରେ ରହିବନି ପୁରୀ ଗୋବର୍ଦ୍ଧନ ପୀଠ

487

କନକ ବ୍ୟୁରୋ : ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ ଶନିବାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଧେୟକ,୨୦୧୯ ପାରିତ ହୋଇଛି। ଏହି ବିଧେୟକ ବିଧାନସଭାରେ ପାରିତ ହେବା ପରେ ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ ଦେବୋତ୍ତର କମିସନରଙ୍କ ନିୟନ୍ତ୍ରଣରେ ରହିବ ନାହିଁ। ବିଲ ପାରିତ ହେବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

ପୁରୀ ଗୋବର୍ଦ୍ଧନ ମଠର ଧାର୍ମିକ ଗୁରୁତ୍ବ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ,୧୯୫୧ର ପରିସରରୁ ବାଦ ଦିଆଯାଇଛି । ଏ ନେଇ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ହୋଇଥିଲା। ଗତ କାଲି ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ,୨୦୧୯ ଆଗତ କରିଥିଲେ ।

ଆଦି ଶଙ୍କରାଚାର୍ଯ୍ୟ କର୍ଣ୍ଣାଟକ ରାଜ୍ୟର ଶ୍ରୀଙ୍ଗେରୀ ଠାରେ ଶାରଦା ମଠ, ଗୁଜୁରାଟ ରାଜ୍ୟର ଦ୍ୱାରକାଠାରେ ଦ୍ୱାରକା ମଠ, ଉତ୍ତରାଖଣ୍ଡ ରାଜ୍ୟର ଯୋଷୀମଠ ଠାରେ ଯୋଷୀ ମଠ ଓ ପୁରୀରେ ଗୋବର୍ଦ୍ଧନ ମଠ ପ୍ରତିଷ୍ଠା କରିଥିବା ବିଶ୍ୱାସ ରହିଛି। ଏହି ଚାରିଗୋଟି ମଠର ମୁଖ୍ୟ ଭାବରେ ଜଣେ ଲେଖାଏଁ ଶଙ୍କରାଚାର୍ଯ୍ୟ ଅଧିଷ୍ଠିତ ଅଛନ୍ତି। ଗୋବର୍ଦ୍ଧନ ମଠର ଧାର୍ମିକ ଅଗ୍ରଗଣ୍ୟତା ଓ ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ, ୧୯୫୧ର ପରିସରରୁ ବାଦ ଦେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ ଆସିଥିଲା। ତେଣୁ ଗୋବର୍ଦ୍ଧନ ପୀଠର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ବିଧେୟକ ପାରିତ କରାଯାଇଛି ।ରାଜ୍ୟରେ ପ୍ରାୟ ୧୮୦୦୦ ମନ୍ଦିର ଓ ମଠ ଦେବୋତ୍ତର ଅଧିନୟମ ପରିସରରେ ରହିଛି । ସେଥିମଧ୍ୟରେ ଗୋବର୍ଦ୍ଧନ ପୀଠ ମଧ୍ୟ ରହିଥିଲା । କିନ୍ତୁ ଏହି ବିଧେୟକ ପାରିତ ହେବା ସହ ଏବେ ଏହି ମଠ ପୁରୀ ଶଙ୍କରାଚାର୍ଯ୍ୟଙ୍କ ନିୟନ୍ତ୍ରଣରେ ରହିବ ।

ତେବେ ଦେବୋତ୍ତର ବିଲ୍ ପାସ୍ ହେବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ଏକ ଅର୍ଥ ବିଲ୍ ହୋଇଥିବାରୁ ରାଜ୍ୟପାଳଙ୍କ ଅନୁମୋଦନ ଦରକାର । ନଚେତ୍ ଏହା ଆଲୋଚନା ହୋଇ ପାରିବ ନାହିଁ । ମଠ ଗୁଡିକ ଆଇନ ଅନୁଯାୟୀ ଆକାଉଣ୍ଟ୍ ଡିଟେଲ ଦେବା ଆବଶ୍ୟକ ଓ ଆୟର ପାଞ୍ଚ ପ୍ରତିଶତ ସରକାରଙ୍କୁ ଦେବା କଥା କିନ୍ତୁ, କେହି ଦେଉ ନାହାନ୍ତି । ଶଙ୍କରାଚାର୍ଯ୍ୟ ଆଫିଡେଭିଟ ଅନୁଯାୟୀ କାମ କରୁନାହାଁନ୍ତି ।

ନରସିଂହ ମିଶ୍ରଙ୍କ ବୟାନ ଉପରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏହା କୌଣସି ଅର୍ଥ ବିଲ୍ ନୁହେଁ । ତେଣୁ ରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ନାହିଁ । ଗୋବର୍ଦ୍ଧନ ମଠ ସରକାରଙ୍କ ନୀତି ନିୟମରେ ପରିଚାଳିତ ହେବ । କିନ୍ତୁ ପୁର୍ବ ଭଳି ଦେବୋତ୍ତର ବିଭାଗକୁ ଆଉ ହିସାବ ଦେବେ ନାହିଁ । ସରକାରୀ ନୀତି ନିୟମ ଲାଗୁ ହେବ.କିନ୍ତୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଏହା ପରିଚାଳିତ ହେବ ।