ଖୁବଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ୍ । ନୋଟରେ ଦେଖିବାକୁ ମିଳିବ ଚାଷ କାର୍ଯ୍ୟର ଝଲକ ।

434

କନକ ବ୍ୟୁରୋ : ଖୁବଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ୍ । ନୂଆ ନୋଟରେ ଦେଖିବାକୁ ମିଳିବ ଚାଷ କାର୍ଯ୍ୟର ଝଲକ । ଏହି ନୂଆ ଏକ ଟଙ୍କିଆ ନୋଟରେ ଇଂରାଜୀରେ ଗଭର୍ଣ୍ଣମେଂଟ ଅଫ୍ ଇଣ୍ଡିଆ ଓ ହିନ୍ଦିରେ ଭାରତ ସରକାର ଲେଖା ରହିବ । ନୂଆ ନୋଟରେ ଅର୍ଥ ସଚିବ ଅତନୁ ଚକ୍ରବର୍ତୀଙ୍କ ଦ୍ୱିଭାଷୀ ଦସ୍ତଖତ ରହିବ । ନମ୍ବର ପ୍ୟାନେଲରେ ଇଂରାଜୀ ଅକ୍ଷର ଏଲ୍ ସହିତ ଛପାବର୍ଷ ୨୦୨୦ ରହିବ ।

ଗୋଲାପୀ ଓ ସବୁଜ ରଙ୍ଗର ମିଶ୍ରଣକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଟଙ୍କିକିଆ ନୋଟ୍ । ଏହି ନୂଆ ନୋଟର ଲମ୍ବ ୯.୭ ସେମି ଓ ଚଉଡା ୬.୩ ସେମି ରହିବ । ବିବିଧ ପ୍ରକାରର ୱାଟରମାର୍କକୁ ଏଥିରେ ବ୍ୟବହାର କରାଯିବ । ଏହା ବ୍ୟତୀତ ତୈଳ ଉତୋଳନ ଫ୍ଲାଟଫର୍ମ ସାଗର ସମ୍ରାଟର ଛବି ମଧ୍ୟ ଏହି ନୂଆ ନୋଟରେ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ, ଦେଶରେ ପ୍ରଚଳନରେ ଥିବା ଏକମାତ୍ର ନୋଟ୍ ହେଉଛି ଟଙ୍କିକିଆ ନୋଟ୍, ଯାହାକୁ କେନ୍ଦ୍ର ସରକାର ଛପାଇଥାନ୍ତି ।

ଏହାପୂର୍ବରୁ ଦୃଷ୍ଟିହୀନ ଲୋକମାନଙ୍କୁ ବ୍ୟାଙ୍କନୋଟ୍ ଚିହ୍ନିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଥିଲା । ଏହି ଆପକୁ ବ୍ୟବହାର କରି ଦୃଷ୍ଟହୀନ ବ୍ୟକ୍ତିମାନେ ବ୍ୟାଙ୍କ ନୋଟକୁ ଚିହ୍ନିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଆପର ଉନ୍ମୋଚନ କରିଥିଲେ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭାରତୀୟ ବ୍ୟାଙ୍କ ନୋଟ୍ ଗୁଡିକରେ ବିଭିନ୍ନ ବ୍ୟବସ୍ଥା ରହିଛି । ଯାହାଦ୍ୱାରା ଦୃଷ୍ଟିହୀନ, ଆଂଶିକ ଦୃଷ୍ଟିହୀନ, ବର୍ଣ୍ଣାନ୍ଧ ବ୍ୟକ୍ତିମାନେ ନୋଟ୍ ଚିହ୍ନିପାରିବେ ।

ତେବେ ଖୁବ୍ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ନୂଆ ଟଙ୍କିକିଆ ନୋଟ୍ । ଯେଉଁଥିରେ ଚାଷ କାର୍ଯ୍ୟର ଝଲକ ରହିଥିବା ବେଳେ ଏହା ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ହେବ ।